Nuclear disaster: ପରମାଣୁ ବିପତ୍ତି ଆଶଙ୍କା ବଢ଼ୁଛି: ମୁକାବିଲା ପାଇଁ ‘ହୁ’ର ପ୍ରସ୍ତୁତି

ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୧ ଦିନ ଅତିକ୍ରାନ୍ତ କରିବା ସହିତ ଏକ ପରମାଣୁ ମହାବିପତ୍ତିର ଆଶଙ୍କା ଏବେ ବିଶ୍ୱ ସ୍ୱାସ୍ଥ୍ୟ ସମୁଦାୟକୁ ଚିନ୍ତାରେ ପକାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କରାଯାଉଥିବା ପ୍ରସ୍ତୁତି ଏହା ସ୍ପଷ୍ଟ କରୁଛି....

ଜେନେଭା: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୧ ଦିନ ଅତିକ୍ରାନ୍ତ କରିବା ସହିତ ଏକ ପରମାଣୁ ମହାବିପତ୍ତିର ଆଶଙ୍କା ଏବେ ବିଶ୍ୱ ସ୍ୱାସ୍ଥ୍ୟ ସମୁଦାୟକୁ ଚିନ୍ତାରେ ପକାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କରାଯାଉଥିବା ପ୍ରସ୍ତୁତି ଏହା ସ୍ପଷ୍ଟ କରୁଛି ଯେ ପାରମ୍ପରିକ ଯୁଦ୍ଧର ସୀମା ଏବେ ଅତିକ୍ରମ ହେବାକୁ ଯାଉଛି। ପରମାଣୁ କେନ୍ଦ୍ରଗୁଡ଼ିକ ଉପରେ ସମ୍ଭାବ୍ୟ ଆକ୍ରମଣ କିମ୍ବା ପରମାଣୁ ଅସ୍ତ୍ରର ପ୍ରୟୋଗ କେବଳ ସାମରିକ କ୍ଷୟକ୍ଷତିରେ ସୀମିତ ରହିବ ନାହିଁ, ବରଂ ଏହା ଏକ ଦୀର୍ଘକାଳୀନ ଜୈବିକ ଏବଂ ପରିବେଶ ସଙ୍କଟ ସୃଷ୍ଟି କରିବ। ଏଭଳି ସ୍ଥିତିର ମୁକାବିଲା ପାଇଁ  ‘ହୁ’ ଏବେ ବ୍ୟାପକ ପ୍ରସ୍ତୁତି ଚଳାଇଛି। ଜଣାପଡ଼ିଛି ଯେ ଏବେ ଉପଲବ୍ଧ ଆଞ୍ଚଳିକ ଚିକିତ୍ସା ଭିତ୍ତିଭୂମି ବିକିରଣଜନିତ ରୋଗ ଏବଂ ବଂଶଗତ ବିକୃତିକୁ ରୋକିବା ପାଇଁ ସମ୍ପୂର୍ଣ୍ଣ ଅସମର୍ଥ। ଏହି ରଣନୈତିକ ସଂଘର୍ଷ ଏବେ ଏଭଳି ଏକ ମୋଡ଼ରେ ପହଞ୍ଚିଛି ଯେଉଁଠାରେ ସାମାନ୍ୟ ଭୁଲ୍ ସମଗ୍ର ମାନବ ଜାତି ପାଇଁ ଦଶନ୍ଧି ଦଶନ୍ଧି ଧରି ଅଭିଶାପ ପାଲଟିପାରେ।

‘ପଲିଟିକୋ’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ‘ହୁ’ର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ହାନାନ ବାଲଖି ବର୍ତ୍ତମାନର ପରିସ୍ଥିତିକୁ ଅତ୍ୟନ୍ତ ଉଦବେଗଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି,  ‘ଏକ ପରମାଣୁ ଦୁର୍ଘଟଣା ହେଉଛି ସବୁଠାରୁ ଭୟଙ୍କର ପରିସ୍ଥିତି, ଯାହା ଆମକୁ ସବୁଠାରୁ ଅଧିକ ଚିନ୍ତାରେ ପକାଇଛି।’ ସେ ଚେତାବନୀ ଦେଇଛନ୍ତି ଯେ ‘ହୁ’ପକ୍ଷରୁ ଯେତେ ପ୍ରସ୍ତୁତି କରାଗଲେ ମଧ୍ୟ ପରମାଣୁ ବିକିରଣରୁ ହେବାକୁ ଥିବା କ୍ଷତିକୁ ରୋକିବା ପାଇଁ କୌଣସି ସ୍ଥାୟୀ ସମାଧାନ ନାହିଁ। ଯଦି ଏଭଳି କିଛି ଘଟେ, ତେବେ ଏହାର ପ୍ରଭାବ କେବଳ  ବିଶ୍ୱବ୍ୟାପୀ ଅନୁଭୂତ ହେବ ଏବଂ ଏହାର ଭୟଙ୍କର ପରିଣାମ ଆଗାମୀ ଅନେକ ପିଢ଼ି ପର୍ଯ୍ୟନ୍ତ ଜାରି ରହିବ। ବର୍ତ୍ତମାନର ଯୁଦ୍ଧକ୍ଷେତ୍ରର ଭୌଗୋଳିକ ସ୍ଥିତି ଏହି ବିପଦକୁ ଆହୁରି ବଢ଼ାଇ ଦେଇଛି। ଇରାନ ଓ  ଇସ୍ରାଏଲର ପରମାଣୁ ଭିତ୍ତିଭୂମି ଉଭୟ ଶକ୍ତିଶାଳୀ କ୍ଷେପଣାସ୍ତ୍ରର ପରିସର ମଧ୍ୟରେ ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Exit mobile version