Odisha Weather Update : ଆଜି ପ୍ରବଳ ବର୍ଷା, କାଲିଠୁ କମିବ

ଭୁବନେଶ୍ୱର, ୧୨ \୯ : ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟାରେ ବର୍ଷା ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ-ବର୍ଷା ପ୍ରକୋପ ଶନିବାର ମଧ୍ୟ ଜାରି ରହିବ । ରବିବାରଠାରୁ ଧୀରେ ଧୀରେ ବର୍ଷା କମିବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ଉପକୂଳ ଉପରେ ଲଘୁଚାପ ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହେବା ସମ୍ଭାବନା ଅଛି । ଏହା ପ୍ରଭାବରେ ଶନିବାର ସକାଳ ସୁଦ୍ଧା ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ।
ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରିରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଅଞ୍ଚଳର ବହୁ ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଶନିବାର ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଏହାବାଦ୍ କେତେକ ଅଞ୍ଚଳରେ ଘଡ଼ଘଡ଼ି ସହ ପବନ ଏବଂ ବର୍ଷା ଆଶଙ୍କା ରହିଛି । ରବିବାର ବର୍ଷା ପରିମାଣ ଅନେକ ମାତ୍ରାରେ କମିପାରେ । ସୋମବାରଠାରୁ ବିଶେଷ ବର୍ଷା ସମ୍ଭାବନା ନାହିଁ । କେତେକ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ସୌଜନ୍ୟ ପ୍ରମେୟ




