ବେଙ୍ଗାଲୁରୁ: ବଡ଼ ସହର, ଶୂନଶାନ ରାତି । ଘଣ୍ଟା କଣ୍ଟାରେ ଠିକ୍ ରାତି ୧୨ଟା । ଛାତିରେ ଛାତିଏ ଛନକା, ମନରେ ପ୍ରବଳ ଡର । ଝିଅଟିଏ ଏତେ ରାତିରେ ଘରକୁ ଫେରିବ କେମିତି ? ଆଜିକାଲି ସମୟ ଭଲନାହିଁ, ରାତି କଥା- କାହାକୁ ବିଶ୍ବାସ କରିହେବନି। ତଥାପି ଡରିମରି, ଈଶ୍ବରଙ୍କୁ ମୁଣ୍ଡିଆ ମାରି ରାପିଡୋ ବୁକ୍ କଲେ ଯୁବତୀ । ଅଟୋ ଆସିଲା… ଓଟିପି ଦେଲେ, ଆଉ ଆଖିବୁଜି ଗାଡ଼ି ଭିତରେ ଦୁମ୍ କିନା ବସିଗଲେ ଯୁବତୀ । କାରଣ ତାଙ୍କୁ ଘରକୁ ଫେରିବାର ଥିଲା, ମଧ୍ୟରାତ୍ରୀରେ ସେହି ଅଟୋ ହିଁ ଏକମାତ୍ର ମାଧ୍ଯମ ଥିଲା…
ଅଟୋ ଚାଳକଙ୍କୁ ଶହେ ସଲାମ୍
ରାତିର ଛାତି ଚିରି ବେଙ୍ଗାଲୋର ସଡ଼କ ଉପରେ ଅଟୋ ଯେତେବେଳେ ଆଗେଇ ଚାଲିଥିଲା ଆଉ ଠିକ୍ ସେତିକି ବେଳେ ଯୁବତୀଙ୍କ ନଜର ପଡିଥିଲା ଏକ ଲେଖା ଉପରେ । ଅଟୋ ଡ୍ରାଇଭରଙ୍କ ସିଟ୍ ପଛରେ ଲେଖାଯାଇଥିବା ଦୁଇ ଧାଡି ଯୁବତୀଙ୍କୁ ଦେଇଥିଲା ଦମ୍ଭ । ଅଧ ରାତିରେ ଅଟୋ ଭିତରୁ ଉଭେଇଯାଇଥିଲା ଯୁବତୀଙ୍କ ମନରୁ ଭୟ । ନାରୀ ସୁରକ୍ଷା ନେଇ ଅଟୋ ଚାଳକଙ୍କ ଉଦ୍ୟମ ଦେଖି ଛଳଛଳ ହୋଇଥିଲେ ଯୁବତୀ । ସାଙ୍ଗେସାଙ୍ଗେ ମୋବାଇଲ କ୍ୟାମେରା ଅନ୍ କରି ସାରା ଦୁନିଆକୁ ଉକ୍ତ ଅଟୋ ଡ୍ରାଇଭରଙ୍କ ବଡ଼ପଣ ଦେଖାଇଥିଲେ । ଅଟୋରେ ଲେଖାଥିଲା- ମୁଁ ତୁମ ବାପା ଓ ଭାଇ ଭଳି… ତୁମ ସୁରକ୍ଷା ମୋର ପ୍ରାଥମିକତା… ଆରାମରେ ବସ୍, ଚିନ୍ତା କରନି… ଦୁମ ଦାୟିତ୍ବ ମୋର…
ସୌଜନ୍ୟ ସମ୍ବାଦ

