ରାଜ୍ୟ

Berhampur illegal gun case ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇ ସହ ଚାରି ଗିରଫ, ଅଣଲାଇସେନ୍‌ସ ବନ୍ଧୁକ ଓ ନଗଦଟଙ୍କା ଜବତ

ବ୍ରହ୍ମପୁରରେ ବେଆଇନ ବନ୍ଧୁକ ରଖିବା ଓ ଅପରାଧ ପାଇଁ ଏକତ୍ରିତ ହେବା ଅଭିଯୋଗରେ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇଙ୍କ ସମେତ ୪ ଗିରଫ। ବନ୍ଧୁକ, ମୋବାଇଲ ଓ ନଗଦ ଟଙ୍କା ଜବତ।

ବ୍ରହ୍ମପୁର: ବେଆଇନ ବନ୍ଧୁକ ରଖିବା ଓ ଅପରାଧ ଘଟାଇବା ନିମନ୍ତେ ଏକତ୍ରିତ ହେବା ମାମଲାରେ ଆଜି ଗୋଷାଣିନୂଆଗାଁ ପୁଲିସ ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ସାନ ଭାଇ ସମେତ ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ମୋବାଇଲ୍‌ ଓ ନଗଦ ଟଙ୍କା ଜବତ କରିଛି।

ଅଭିଯୁକ୍ତମାନେ ହେଲେ, ପିଣ୍ଟୁ ଦାଶଙ୍କ ଭାଇ ଚନ୍ଦ୍ରଶେଖର ଦାଶ ଓରଫ ପିଙ୍କୁ (୪୪), କୈଳାସ ମହାନ୍ତି(୪୯), ଦେବାଶିଷ ପାତ୍ର (୩୦) ଓ ସିତୁନ ସାହୁ(୨୫)। ସେମାନଙ୍କ ବିରୋଧରେ ନଂ ୩୫୪/୨୦୨୬ ରେ ମାମଲା ରୁଜୁ କରାଯିବା ସହ  ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ଗତକାଲି ରାତିରେ (ସୋମବାର) ଗଣେଶ ପୂଜା ପାଇଁ ରାତ୍ରିକାଳୀନ ପାଟ୍ରୋଲିଂ ବେଳେ ଗୋଷାଣିନୁଆଗାଁ-ନେହେରୁ ନଗର ମୁଖ୍ୟରାସ୍ତାରେ ଥିବା ଏକ ଘରେ କିଛି ଯୁବକ ସନ୍ଦେହଜନକ ଭାବେ ଚଳପ୍ରଚଳ ହେଉଥିବା ଖବର ମିଳିଥିଲା। ପୁଲିସ ଟିମ ଉକ୍ତ ଘରେ ଚଢ଼ଉ କରିଥିଲା। ଘର ଭିତରେ ଉପରୋକ୍ତ ଚାରି ଯୁବକ ଥିବା ବେଳେ ଯାଞ୍ଚ ସମୟରେ ଜଣେ ଯୁବକ ନିକଟରୁ ବନ୍ଧୁକ ମିଳିଥିବାରୁ ପୁଲିସର ସନ୍ଦେହ ବଢ଼ିଥିଲା। ପଚରାଉଚରା ବେଳେ ସେମାନେ ତାସ ଖେଳିବାକୁ ଆସିଥିବା କହିଥିଲେ।

ଅଭିଯୁକ୍ତମାନେ ବନ୍ଧୁକ କେଉଁଠୁ ଆଣିଥିଲେ ଓ ତାଙ୍କୁ କିଏ ବିକ୍ରି କରିଥିଲା? ସେ ଦିଗରେ ଏବେ ପୁଲିସ ତଦନ୍ତ କରୁଛି। ବେଆଇନ ଭାବେ ବନ୍ଧୁକ ଧରି ସେମାନେ ଉକ୍ତ ଘରେ କ’ଣ ସବୁ ଯୋଜନା କରୁଥିଲେ? ତାହାର ତଦନ୍ତ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button