
ଭୁବନେଶ୍ୱର ୧୦।୦୬ : ରାଜଧାନୀରେ ପୁଣି ଲଜ୍ଜା । ଦୁଇ ଦିନ ତଳେ ପିପିଲି ଅଞ୍ଚଳରେ ଏକ ହୋଟେଲରେ ଜଣେ ଚାକିରି ଆଶାୟୀ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ମନରୁ ଲିଭିନଥିବା ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ବିଉଟି ପାର୍ଲରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ଆସିଛି । ଏହି ଅଭିଯୋଗ ଆସିବା ପରେ ଖଣ୍ଡଗିରି ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପାର୍ଲରରେ ଚଢ଼ଉ କରି ମାଲିକ ଏବଂ ଜଣେ କର୍ମଚାରୀଙ୍କୁ ଗିରଫ କରିଛି । ଏହାସହିତ ପାର୍ଲରକୁ ସିଲ୍ ମଧ୍ୟ କରାଯାଇଛି । ରାଜଧାନୀରେ ଏହି ଘଟଣା ପୁରା ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ପୋଲିସ ସୂଚନା ମୁତାବକ, ପୀଡ଼ିତା ଚାକିରି ଆଶାରେ ଭୁବନେଶ୍ୱର ଆସିଥିଲେ। ଜଣେ ମଧ୍ୟସ୍ଥିଙ୍କ ଜରିଆରେ ସେ ଜାଗମରାରେ ଥିବା ଏକ ବିଉଟି ପାର୍ଲର ମାଲିକଙ୍କ ସହ ଯୋଗାଯୋଗ କରିଥିଲେ । ପାର୍ଲରରେ କାମ କରିବା ପାଇଁ ମାଲିକ ତାଙ୍କ ସହ କଥା ହୋଇ ଦରମା ସ୍ଥିର କରିଥିଲେ । ତେଣୁ ୪ ଦିନ ହେବ ଯୁବତୀ ଜଣଙ୍କ ଉକ୍ତ ବିଉଟି ପାର୍ଲରରେ ଆସି କାମ କରୁଥିଲେ । ମଙ୍ଗଳବାର ରାତିରେ ତାଙ୍କୁ ପାର୍ଲର ମାଲିକ ଓ ଜଣେ କର୍ମଚାରୀ ମିଶି ପାର୍ଲର ଭିତରେ ଦୁଷ୍କର୍ମ କରିଥିଲେ । ବିଳମ୍ବିତ ରାତିରେ ପୀଡ଼ିତା ସେମାନଙ୍କ କବଳରୁ ଖସି ଆସି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ପାର୍ଲରରେ ଚଢ଼ଉ କରିଥିଲା । ସାଇଣ୍ଟିଫିକ୍ ଟିମ୍ ସହ ପୋଲିସ ପାର୍ଲରରେ ବିଭିନ୍ନ ନମୁନା ସଂଗ୍ରହ କରିଥିଲା । ଏଥିସହ ପାର୍ଲରରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରିବା ସହ ପାର୍ଲରକୁ ସିଲ୍ କରିଛି ।
ଅନ୍ୟପଟେ ମଙ୍ଗଳବାର ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ପୀଡ଼ିତା ଏବଂ ୨ ଅଭିଯୁକ୍ତଙ୍କୁ ନେଇ ଡାକ୍ତରୀମାଇନା କରାଇଛି। ଅପରାହ୍ଣରେ ପାର୍ଲର ମାଲିକ ଏବଂ କର୍ମଚାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଏଥିସହ ପୀଡ଼ିତାଙ୍କୁ ସେଠାରେ ଚାକିରି କରାଇ ଦେଇଥିବା ମଧ୍ୟସ୍ଥିକୁ ମଧ୍ୟ ପୋଲିସ ଖୋଜୁଛି । ଉକ୍ତ ପାର୍ଲରରେ ଆଗରୁ ଅନୈତିକ କାର୍ଯ୍ୟ ଚାଲୁଥିଲା କି ନାହିଁ ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।
ସୌଜନ୍ୟ Prameya News7




