Biju Swabhiman Manch: ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ପରଦା ଉଠାଇଲେ ଭାସ୍କର ରାଓ

ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ଆଗାମି ପଞ୍ଚାୟତ ନିର୍ବାଚନରେ ସ୍ବର୍ଗତଃ ବିଜୁବାବୁ ଓ ତାଙ୍କ ବିଚାରଧାରାକୁ ଭଲ ପାଉଥିବା ଏବଂ ତାଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷମାନଙ୍କ ନିଷ୍ପତି ଆନୁଯାୟି କମିଟି ମାଧ୍ୟମରେ ସର୍ବସମ୍ମତିକ୍ରମେ...

ରାୟଗଡା (ଶିବ ପ୍ରସାଦ ଦୋରା): ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ଆଗାମି ପଞ୍ଚାୟତ ନିର୍ବାଚନରେ ସ୍ବର୍ଗତଃ ବିଜୁବାବୁ ଓ ତାଙ୍କ ବିଚାରଧାରାକୁ  ଭଲ ପାଉଥିବା ଏବଂ ତାଙ୍କୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷମାନଙ୍କ ନିଷ୍ପତି ଆନୁଯାୟି କମିଟି ମାଧ୍ୟମରେ ସର୍ବସମ୍ମତିକ୍ରମେ ବ୍ୟକ୍ତିଙ୍କୁ ଚୟନ କରାଯିବ  ଏବଂ ସେମାନେ ନିର୍ବାଚନ ଲଢ଼ିବେ ବୋଲି ପୂର୍ବତନ ରାଜ୍ୟସଭା ସାଂସଦ ତଥା ଦକ୍ଷିଣ ଓଡିଶାର ବରିଷ୍ଠ ନେତା ଏନ ଭାସ୍କର ରାଓ ଆଜି ସ୍ପଷ୍ଟ କରିଛନ୍ତି।

ବିଜେଡି ଛାଡିଲା ପରେ ସେ  କଣ କରିବେ ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରାହିଥିବ‌ା ବେଳେ ଆଜି ଖୋଦ ଭାସ୍କର ରାଓ ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ପରଦା ହଟାଇଛନ୍ତି। ଆଜି ରାୟଗଡା ବ୍ଲକ ପଞ୍ଚାୟତ ପ୍ରତିନିଧି, ପୂର୍ବତନ ନିର୍ବାଚିତ ପ୍ରତିନିଧି ଓ ଭାସ୍କର ରାଓଙ୍କୁ ସମର୍ଥନ କରୁଥିବା ବରିଷ୍ଠ ନେତାଙ୍କୁ ନେଇ ଏକ ବୈଠକ ରାୟଗଡା ସହର ସ୍ଥିତ ବିଜୁ ସ୍ବାଭିମାନ ମଞ୍ଚ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ରାଓ ସ୍ପଷ୍ଟ କରି କହିଥିଲେ ମୋ ପାଖରେ ରହିବା ପାଇଁ ମୁଁ କାହାରିକୁ ଜବରଦସ୍ତି କରୁନାହିଁ କିମ୍ବା ପ୍ରଲୋଭିତ ମଧ୍ୟ କରୁନାହିଁ। ସେମାନେ ଯୁଆଡେ ଚାହିଁଲେ ଯାଇପାରିବେ। କିନ୍ତୁ ମୋ ସହ ରହିବା ବ୍ୟକ୍ତିଙ୍କୁ ବିଜୁ ସ୍ବାଭିମାନ ମଞ୍ଚ ବ୍ୟାନରରେ ଆଗାମି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେଇ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ରାୟଗଡା ପୌରସଂସ୍ଥାର କାଉନସିଲର ମାନଙ୍କ ବୈଠକ ହୋଇଥିବା ବେଳେ ଆଜି ରାୟଗଡା ବ୍ଲକର ନିର୍ବାଚିତ ପ୍ରତିନିଧି ଏବଂ ପୂର୍ବତନ ପ୍ରତିନିଧି ଯୋଗଦେଇ ଭାସ୍କର ରାଓଙ୍କୁ ସମର୍ଥନ କରିବା ସହ ନିର୍ବାଚନରେ ଅବତୀର୍ଣ ହେବେ ବୋଲି ପ୍ରକାଶ କରିଥିଲେ। ଏପରିକି ଶ୍ରୀ ରାଓ ସୂଚନା ଦେଇ କହିଥିଲେ ବିଷମକଟକକୁ ଏନ ଏ ସି ବୋଲି ଘୋଷଣା କରାଯାଇଛି ଏବଂ ବିଜୁ ସ୍ବାଭିମାନ ମଞ୍ଚର କର୍ମକର୍ତା ମାନେ ସେଠାକାର ସ୍ଥାନୀୟ ନେତା ମାନଙ୍କ ସହ ଆଲୋଚନା କରୁଛନ୍ତି ଆବଶ୍ୟକ ସ୍ଥଳେ ସେଠାରେ ମଧ୍ୟ ପ୍ରାର୍ଥୀ ଦିଆଯିବ ବୋଲି କହିଥିଲେ। ଆଗାମି ଦିନରେ ବିଜୁ ସ୍ବାଭିମାନ ମଞ୍ଚର ବୈଠକ ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଅନୁଷ୍ଠିତ ହେବ ଏବଂ ଆଲୋଚନା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଓ ଆଜି ସୂଚନା ଦେଇଛନ୍ତି। ଲୋକଙ୍କ ସମସ୍ୟା ଶୁଣିବା ପାଇଁ ଏକ ହେଲ୍ପ ଡେସ୍କ ଖୋଲାଯିବ ବୋଲି ଶ୍ରୀ ରାଓ ପ୍ରକାଶ କରିଥିଲେ।

ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଲାଲବିହାରି ହିମିରିକା ଯୋଗଦେଇ କହିଥିଲେ ବିଜୁ ସ୍ବାଭିମାନ ମଞ୍ଚ ଦ୍ବାରା ବଛାଯାଇଥିବା ନେତା ମାନେ ଆଗାମି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବେ ଏବଂ ସେମାନଙ୍କୁ ଆମେ ସହଯୋଗ କରିବୁ ବୋଲି କହିଥିଲେ । ଏହି ବୈଠକରେ ପୂର୍ବତନ ଏସଡିସି ସଭ୍ୟ ଲାଛନା ‌ମାଣ୍ଡାଙ୍ଗି ଯୋଗଦେଇ ନେଇ କହିଥିଲେ ମୋ ସହ ବିନା ଆଲୋଚନାରେ  ବିଜୁ ଜନତା ଦଳ ମୋତେ ଉପସଭାପତି ପଦବି ଦେଇଛି ଯାହା ମୁଁ ସାମାଜିକ ଗଣମାଧ୍ୟମରୁ ଜାଣିଲି କିନ୍ତୁ ମୋର ବିଜେଡି ସହ କ‌ୌଣସି ସଂପର୍କ ନାହିଁ ଏବଂ ସେ ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଭାସ୍କର ରାଓଙ୍କ ନେତୃତ୍ବରେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରକାଶ କରିଥିଲେ।

ଆଜିର ବୈଠକରେ ରାୟଗଡା ବ୍ଲକ ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷା ହରପ୍ରସାଦ ହେପୃକା, ରାୟଗଡା ଜିଲ୍ଲା ପରିଷଦ ସଭ୍ୟ ସନ୍ଧ୍ୟା ପୁଲାକା, ପ୍ରଶାନ୍ତ କୁଲେସିକା, ହାଲୁଆ ସରପଞ୍ଚ ତାମାରାଓ ବିଡିକା, ଭୀମ ହିମିରିକା, ତପନ ପେଦାଣ୍ଟି, ବରିଷ୍ଠ ନେତା ବି ତିରୁପତି, ଚନ୍ଦ୍ରକାନ୍ତ ସାମଲ, ପ୍ରବୀଣ କୁମାର, ବହୁ ନିର୍ବାଚିତ ପ୍ରତିନିଧି, ପୂର୍ବତନ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାୟଗଡା ବ୍ଲକର ୫୦୦ରୁ ଊର୍ଧ୍ବ କର୍ମକର୍ତ୍ତା ଏହି ବୈଠକରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ତପନ ପେଦାଣ୍ଟି ପରିଚାଳନା କରିଥିଲେ।

 

 

ସୌଜନ୍ୟ ସମ୍ବାଦ

Exit mobile version