କପିଳେନ୍ଦ୍ର ପ୍ରଧାନ
ଅନୁଗୁଳ: ଗାଁର ବିକାଶ ହେଲେ ରାଜ୍ୟର ବିକାଶ ହେବ, ଦେଶ ଆଗକୁ ବଢ଼ିବ। ଏଥିପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ବି କରୁଛନ୍ତି ସରକାର। ଗ୍ରାମାଞ୍ଚଳ ବିକାଶର ସ୍ଥିତି ପରଖିବାକୁ ‘ସମ୍ବାଦ’ ପହଞ୍ଚିଥିଲା ଅନୁଗୁଳ କିଶୋରନଗର ବ୍ଲକ ନୂଆବାଲିଖମଣ ଗାଁରେ। ହେଲେ ସେଠି ପହଞ୍ଚିଲା ପରେ ଲାଗିଲା ସତେଯେମିତି ମୌଳିକ ସୁବିଧା ବି ଗ୍ରାମବାସୀଙ୍କ ପାଇଁ ସାତପସନ। ଅନୁଗୁଳ ବଇଣ୍ଡାଛକ ପରେ ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥଠୁ ଡାହାଣ ପାର୍ଶ୍ବରେ ବଣପାହାଡ଼ ଘେରା ଆବଡ଼ାଖାବଡ଼ା ରାସ୍ତାରେ ୪ କିଲୋମିଟର ଯିବା ପରେ ରହିଛି ନୂଆବାଲିଖମଣ ଗାଁ। ପ୍ରାୟ ୩୫ ପରିବାର ବସବାସ କରୁଥିବା ଛୋଟ ଗାଁଟି ୬୦ ବର୍ଷ ପୂର୍ବେ ଗଢ଼ିଉଠିଛି। ଏହି ଗାଁ ନାମରେ ସେମାନଙ୍କର ଭୋଟର କାର୍ଡ, ଆଧାର କାର୍ଡ ଅଛି, ରାସନ ବି ମିଳୁଛି। ହେଲେ ଗାଁର ୫ଟି ପରିବାରକୁ ଛାଡ଼ିଦେଲେ ଅନ୍ୟ କାହାକୁ ଜମିପଟ୍ଟା ଦେଇନାହାନ୍ତି ସରକାର। ଏଣୁ ଆବାସ ଯୋଜନାରେ ପକ୍କାଘର ପାଇବାରୁ ବଞ୍ଚିତ ହୁଅନ୍ତି ସେମାନେ। ନିର୍ବାଚନ ଆସିଲେ ଜମିପଟ୍ଟାଠୁ ଆରମ୍ଭ କରି ଆବାସ ଯାଏଁ ସବୁ କରେଇ ଦେବୁ କହି ନେତାଏ ଭୋଟ ତ’ ନେଇଯାଆନ୍ତି, ହେଲେ ତା’ ପରେ ଆଉ ସେମାନଙ୍କ ଦେଖା ମିଳେନି ବୋଲି କ୍ଷୋଭର ସହ କହିଛନ୍ତି ଗାଁର ବସନ୍ତ ଟେଟେ।
ନଳକୂଅ ଖରାପ, ନାଳ ପାଣି ଭରସା
୬୦ ବର୍ଷର ଗାଁ, ଜମିପଟ୍ଟା ମିଳୁନି
ମୋବାଇଲ୍ ନେଟ୍ୱର୍କ ନାହିଁ
ଗାଁର ବହୁ ମହିଳା ନିଜ ନିଜ କାମରୁ ଆସିବା ପରେ ଏକାଠି ହେଲେ। କାଖରେ ଗରା, ମୁଣ୍ଡରେ ବାଲ୍ଟି ନ ହେଲେ ଡେକ୍ଚି ଧରି ପାଖ ପାହାଡ଼ି ନାଳ ଆଡ଼କୁ ଗଲେ। ପ୍ରାୟ ଅଧଘଣ୍ଟା ପରେ ପାଣି ଭର୍ତ୍ତି ଗରା, ବାଲ୍ଟି ଧରି ଗାଁକୁ ଫେରିଲେ। ଏଭଳି ପାଣି ସଂଗ୍ରହ ସଂପର୍କରେ ପଚରାଯିବାରୁ ଉତ୍ତର ମିଳିଲା, ୩୦ ବର୍ଷ ତଳେ ଗାଁମୁଣ୍ଡ ବିଲ ମଝିରେ ନଳକୂଅଟିଏ ବସାଇଥିଲେ ସରକାର। ପ୍ରଥମେ କିଛି ମାସ ସେଥିରୁ କେବଳ ମାଟିଆ ପାଣି ବାହାରିଲା। ତା’ ପରଠୁ ନଳକୂଅଟି ଖରାପ ହୋଇଛି ଯେ ଆଉ ସଜଡ଼ା ହୋଇପାରିନି। ନଳକୂଅ ଚାରିପାଖରେ ଏବେ ଗଛଲତା ମାଡ଼ିଯାଇଛି। ଆଉ ଏବେ ଗାଁରେ ଥିବା ଏକମାତ୍ର କୂଅ ଖରାଦିନେ ଶୁଖିଯାଉଛି। ପାନୀୟଜଳ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। ତେଣୁ ସେମାନେ ଏହି ନାଳରେ ଗାଧୁଆପାଧୁଆ କରନ୍ତି, ଏଠୁ ପାଣି ନେଇ ରୋଷେଇ ଓ ପିଇବା ପାଇଁ ବ୍ୟବହାର କରନ୍ତି।
ନୂଆବାଲିଖମଣ ଗାଁ ଲୋକଙ୍କ ପାଖରେ ମୋବାଇଲ୍ ଫୋନ୍ ଅଛି, ହେଲେ ନେଟ୍ୱର୍କ ନାହିଁ। ଦେହ ଖରାପ ହେଲେ ଆମ୍ବୁଲାନ୍ସ ଡାକିବାକୁ ହେଉ କି ନିଜ ପ୍ରିୟଜନଙ୍କ ସହ କଥା ହେବାକୁ, ଏଠାରୁ ବହୁ ଦୂର ଗଲେ ଫୋନ୍ ଲାଗେ। ନୂଆବାଲିଖମଣର ପିଙ୍କି ମିର୍ଧା କହିଛନ୍ତି, ମୋବାଇଲ ନେଟ୍ୱର୍କ ନ ଥିବାରୁ ଆମେ ବାହାର ଦୁନିଆରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଉଛୁ। ରାସ୍ତା ଖରାପ ଓ ରାତି ସମୟରେ ବନ୍ୟଜନ୍ତୁଙ୍କ ଭୟ ଥିବାରୁ ସନ୍ଧ୍ୟାପରେ ଡାକ୍ତରଖାନା ଯିବା ବି ସମ୍ଭବ ହୋଇପାରେନି। ସେହିପରି ଗାଁରେ ପ୍ରାଥମିକ ସ୍କୁଲଟିଏ ତ’ ଅଛି, ହେଲେ ଅଧିକ ପାଠପଢ଼ା ପାଇଁ ୭-୮ କିଲୋମିଟର ଦୂରକୁ ଯିବାକୁ ପଡ଼ୁଥିବାରୁ ବହୁ ଗରିବ ପିଲା ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୁଅନ୍ତି। ଗାଁର ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ପଚାରିବାରୁ ସେ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।
ସୌଜନ୍ୟ ସମ୍ବାଦ