Daya river: ଦୟାରେ ଆଡ଼ିବନ୍ଧ: ମରୁଭୂମି ପାଲଟିଛି ୭କିମି ନଦୀଶଯ୍ୟା

ଘର ନଈକୂଳରେ। ତେଣୁ ବର୍ଷା ଦିନେ ବନ୍ୟା ଭୟ ରାତିର ନିଦ ହଜାଇଦିଏ। କିନ୍ତୁ ଖରାଦିନେ ନଈ ଜୀବନ ରଖିଦିଏ। ମଣିଷଠାରୁ ଆରମ୍ଭ କରି ଗୃହପାଳିତ ପଶୁଙ୍କ ପର୍ଯ୍ୟନ୍ତ ସମସ୍ତେ ନଈ ପାଣି ପାଇଁ ବେଶ୍‌ ସୁରୁଖୁରୁରେ ବଞ୍ଚିଯାଆନ୍ତି।

ନିରଞ୍ଜନ ସେନାପତି

ଧଉଳି: ଘର ନଈକୂଳରେ। ତେଣୁ ବର୍ଷା ଦିନେ ବନ୍ୟା ଭୟ ରାତିର ନିଦ ହଜାଇଦିଏ। କିନ୍ତୁ ଖରାଦିନେ ନଈ ଜୀବନ ରଖିଦିଏ। ମଣିଷଠାରୁ ଆରମ୍ଭ କରି ଗୃହପାଳିତ ପଶୁଙ୍କ ପର୍ଯ୍ୟନ୍ତ ସମସ୍ତେ ନଈ ପାଣି ପାଇଁ ବେଶ୍‌ ସୁରୁଖୁରୁରେ ବଞ୍ଚିଯାଆନ୍ତି। ମାତ୍ର ପରିତାପର କଥା ଚଳିତ ବର୍ଷ ଦେଖାଦେଇଛି ବ୍ୟତିକ୍ରମ। ଖରାଦିନ ଆସୁ ନ ଆସୁଣୁ, ନଈରେ ପାଣି ନାହିଁ। ପ୍ରଶସ୍ତ ନଦୀଶଯ୍ୟାରେ ପାଣିର ଛୋଟିଆ ଧାରଟିଏ ବି ନାହିଁ। ୭କିମି ଦୂରର ନଦୀଶଯ୍ୟା ମରୁଭୂମି ପାଲଟିଯାଇଛି। ଫଳରେ ନଈକୂଳରେ ଘର କରି ମଧ୍ୟ ପାଣି ପାଇଁ ହାହାକାର ସ୍ଥିତି। ଜୀବଜନ୍ତୁ ସମସ୍ତେ ଆଉଟୁପାଉଟୁ ହେଲେଣି। ଏହା ହେଉଛି ଧଉଳି ନିକଟବର୍ତ୍ତୀ ଦୟା ନଦୀକୂଳରେ ଅବସ୍ଥିତ ପାଞ୍ଚଟି ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶାର କଥା। ରାଜଧାନୀ ଉପକଣ୍ଠ ଲିଙ୍ଗିପୁରଠାରେ ଦୟାନଦୀରେ ହୋଇଥିବା ଆଡ଼ିବନ୍ଧ ଯୋଗୁ ତଳମୁଣ୍ଡରେ ଥିବା ପାଞ୍ଚ ପଞ୍ଚାୟତବାସୀ ଏମିତି ହନ୍ତସନ୍ତ ହେଉଛନ୍ତି।

ନଈକୂଳିଆ ପାଞ୍ଚ ପଞ୍ଚାୟତରେ ପାଣି ପାଇଁ ହାହାକାର

ପ୍ରାଚୀ ଜଳସମ୍ପଦ ବିଭାଜନ ଲିଙ୍ଗିପୁରଠାରେ ଦୟାନଦୀ ଶଯ୍ୟାରେ ଆଡ଼ିବନ୍ଧ କରିଛି। ୩୦ଫୁଟ୍‌ ଚଉଡ଼ାର ଏହି ବାଲିବନ୍ଧ ଦୟା ନଦୀଶଯ୍ୟାର ଦୁଇ ପାର୍ଶ୍ବକୁ ଲାଗିଛି। ଫଳରେ କୁଆଖାଇର ଜଳ ଆଉ ଦୟାନଦୀର ତଳମୁଣ୍ଡକୁ ଯାଉନାହିଁ। ଫଳରେ ଆଡ଼ିବନ୍ଧର ତଳକୁ ଥିବା ୫ଟି ପଞ୍ଚାୟତର ଲୋକମାନେ ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲିଙ୍ଗିପୁର, ଟିକରପଡ଼ା, ଇଟିପୁର, ଧଉଳି ଓ ପମସରା ପଞ୍ଚାୟତର ହଜାର ହଜାର ପରିବାର ଜଳ ପାଇଁ କଲବଲ ହେଉଛନ୍ତି। ଲିଙ୍ଗିପୁରଠାରୁ ଗଙ୍ଗେଶ୍ବରପୁରଶାସନ ପର୍ଯ୍ୟନ୍ତ ପ୍ରାୟ ୭କିମି ନଦୀ ଶଯ୍ୟା ପୂରା ଶୁଖିଯାଇଛି। ଜଳଧାର ନଥିବାରୁ ଏହି ସବୁ ପଞ୍ଚାୟତର ଲୋକମାନେ ନଦୀ ଶଯ୍ୟାରେ ବାଲି ଖୋଳି ଛୋଟ ଛୋଟ ଚୁଆ କରି ସେଥିରୁ ପାଣି ସଂଗ୍ରହ କରୁଛନ୍ତି। ଚୁଆରୁ ଯେତିକି ପାଣି ମିଳୁଛି, ତାହା ପିଇବା ପାଇଁ ଯଥେଷ୍ଟ ହେଉନି। ତେଣୁ ସ୍ନାନଶୌଚ ପାଇଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଲୋକେ ଟ୍ୟାଙ୍କର୍‌ ଯୋଗେ ପାଣି ଯୋଗାଇବା ପାଇଁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ଓ ସରପଞ୍ଚଙ୍କୁ ଗୁହାରି କରିଛନ୍ତି। ଆଞ୍ଚଳିକ ବିକାଶ ପରିଷଦ ସଭାପତି ବୃନ୍ଦାବନ ସାହୁ ଓ କର୍ମକର୍ତ୍ତାମାନେ ଏନେଇ ସ୍ଥାନୀୟ ଜନପ୍ରତିନିଧିଙ୍କୁ ମଧ୍ୟ ନିବେଦନ କରିଛନ୍ତି। କିନ୍ତୁ ଫଳ ଶୂନ। ଏସଂପର୍କରେ ଜଳସମ୍ପଦ ବିଭାଜନ ସହକାରୀ ନିର୍ବାହୀଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ କହିବା କଥା ଭାର୍ଗବୀ ନଦୀକୁ ଜଳ ଯୋଗାଇବା ପାଇଁ ଦୟାନଦୀରେ ଅସ୍ଥାୟୀ ଆଡ଼ିବନ୍ଧ କରାଯାଇଛି। ଏହାଦ୍ବାରା ଖରାଦିନିଆ ଜଳକଷ୍ଟରୁ ବର୍ତ୍ତିବା ପାଇଁ ଭାର୍ଗବୀ ଉପରେ ନିର୍ଭର କରୁଥିବା ଲୋକେ ଓ ପୁରୀ ସହରବାସୀ ଉପକୃତ ହେଉଛନ୍ତି। ସରକାରୀ ନିଷ୍ପତ୍ତି ଅନୁସାରେ ଏହି ବାଲିବନ୍ଧ ନିର୍ମାଣ କରାଯାଇଛି।

ସୌଜନ୍ୟ ସମ୍ବାଦ

Exit mobile version