BJP and Congress: ବିଜେପି-କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ: ନରୱେ ମିଡିଆ ବିବାଦରେ ପଶିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିବା ନରୱେର ଏକ ମିଳିତ ପ୍ରେସ୍‌ କାର୍ଯ୍ୟକ୍ରମକୁ ନେଇ ଭାରତରେ  ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମର ପ୍ରଶ୍ନ ଗ୍ରହଣ ନକରିବା ନିଷ୍ପତ୍ତିକୁ ନେଇ କେତେକ ବିଦେଶୀ ସାମ୍ବାଦିକ ବିରୋଧ କରିଥିବା ବେଳେ ଦେଶ ଭିତରେ ଶାସକ ବିଜେପି ଏବଂ ବିରୋଧୀ କଂଗ୍ରେସ ମଧ୍ୟରେ  ରାଜନୈତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି।

ନରୱେରେ ଆୟୋଜିତ ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଗଣମାଧ୍ୟମର କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ। ଏହାକୁ ନେଇ ନରୱେର ମହିଳା ସାମ୍ବାଦିକ ହେଲି ଲିଙ୍ଗ୍ ସେଠାରେ ସ୍ୱର ଉତ୍ତୋଳନ କରିବା ସହ ମୋଦୀଙ୍କୁ ସମାଲୋଚନା କରି ଏକ ଭିଡିଓ ପୋଷ୍ଟ କରିଥିଲେ। ସେହି ଭାଇରାଲ କ୍ଲିପ୍‌ରେ ଜଣେ ଭାରତୀୟ ଅଧିକାରୀଙ୍କୁ ପଚାରୁଥିବାର ଶୁଣାଯାଉଛି, ‘ଆପଣ ବିଶ୍ୱର ସବୁଠାରୁ ସ୍ୱାଧୀନ ଗଣମାଧ୍ୟମର ପ୍ରଶ୍ନଗୁଡ଼ିକର ଉତ୍ତର କାହିଁକି ଦେଉନାହାନ୍ତି?’ ସାମ୍ବାଦିକା ଜଣକ ପରବର୍ତ୍ତୀ ସମୟରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ଭାରତୀୟ ଅଧିକାରୀମାନଙ୍କୁ ମାନବାଧିକାର ଏବଂ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରଶ୍ନ କରିଥିଲେ। ଭାରତୀୟ କୂଟନୀତିଜ୍ଞ ସିବି ଜର୍ଜ ଏହାର ଦୃଢ଼ ଜବାବ ଦେଇ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ସାମ୍ବିଧାନିକ ଅଧିକାର ସମ୍ପୂର୍ଣ୍ଣ ସୁଦୃଢ଼ ଓ ସ୍ବୟଂଶାସିତ ଅଟେ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।  ଗାନ୍ଧୀ କହିଛନ୍ତି,  ଯେତେବେଳେ ଲୁଚାଇବାକୁ କିଛି ନାହିଁ, ସେତେବେଳେ ଡରିବାର ମଧ୍ୟ କିଛି ନାହିଁ।  ପ୍ରଧାନମନ୍ତ୍ରୀ ଗଣମାଧ୍ୟମକୁ ସାମ୍ନା ନକରିବା ଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଏହି ସମୟରେ ସାମ୍ବାଦିକ   ଲିଙ୍ଗ୍ ନିଜ ଏକ୍ସ  ଆକାଉଣ୍ଟରେ ‘ଆଇ ଆମ୍‌ ରେଡି!’(ମୁଁ ପ୍ରସ୍ତୁତ) ଲେଖି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତକାର ପାଇଁ ଆମନ୍ତ୍ରଣ କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଜୟରାମ ରମେଶ ଡଚ୍ ପ୍ରଧାନମନ୍ତ୍ରୀ ରବ୍ ଜେଟେନଙ୍କ ସହ ମୋଦୀଙ୍କ ଆଲୋଚନାକୁ ଉପହାସ କରି ଏହାକୁ  ନକଲି ଜ୍ଞାନ  ବୋଲି କହିଛନ୍ତି। ଅପରପକ୍ଷରେ ବିଜେପି ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି ଯେ ପୂର୍ବ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁଯାୟୀ ନରୱେର ପ୍ରଧାନମନ୍ତ୍ରୀ ମଧ୍ୟ ସେହି ମିଳିତ ସାମ୍ବାଦିକ ସମ୍ମିଳନୀରେ କୌଣସି ପ୍ରଶ୍ନ ଗ୍ରହଣ କରିନଥିଲେ। ମାଲବୀୟ ବିରୋଧୀ ଦଳକୁ ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ କେବଳ ରାଜନୈତିକ ଫାଇଦା ପାଇଁ ଜଣେ  ଉଦ୍ଦଣ୍ଡ ସାମ୍ବାଦିକଙ୍କ ଅଯୌକ୍ତିକ ପ୍ରଳାପକୁ ପ୍ରୋତ୍ସାହନ ଦେଉଛି।

 

 

 

ସୌଜନ୍ୟ ସମ୍ବାଦ