BJP hits back at Rahul’s remark: ଗୃହମନ୍ତ୍ରୀ ଆପଣଙ୍କ ଭଳି ଲୁଚିଛପି ବିଦେଶ ଯାଆନ୍ତି ନାହିଁ’ ରାହୁଲଙ୍କ ଟିପ୍ପଣୀକୁ ନେଇ ବିଜେପିର ପାଲଟା ଆକ୍ରମଣ
ନିଟ୍ ପେପର ଲିକ୍ ଓ ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିବା ପରେ ବିଜେପି ତାଙ୍କ ଉପରେ ପାଲଟା ଆକ୍ରମଣ କରିଛି।

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ଓ ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ୍ କରିବା ପରେ ବିଜେପି ତାଙ୍କ ଉପରେ ପାଲଟା ଆକ୍ରମଣ କରିଛି। ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର କହିଛନ୍ତି, ଗୃହମନ୍ତ୍ରୀ ଆପଣଙ୍କ ଭଳି ଲୁଚିଛପି ବିଦେଶ ଯାଆନ୍ତି ନାହିଁ। ଏହା ସହ ରାହୁଲଙ୍କ ଅଭିଯୋଗକୁ ସେ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟ-ପ୍ରଣୋଦିତ ବୋଲି କହିଛନ୍ତି।
ଲୋକସଭାରେ ଆଲୋଚନା ବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ, ଜନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଛାତ୍ରଙ୍କ ବିରୋଧରେ ପେଲେଟ୍ ବ୍ୟବହାର କରାଯାଇଥିଲା ଏବଂ ଏହାର ଉତ୍ତର ଦେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହ ସଦନରେ ଉପସ୍ଥିତ ନ ଥିଲେ। ରାହୁଲଙ୍କ ଅଭିଯୋଗ ଥିଲା, ଛାତ୍ରଙ୍କ ସହ ହୋଇଥିବା ବ୍ୟବହାର ପାଇଁ ସରକାର ଜବାବ ଦେବାରୁ ଦୂରେଇ ଯାଉଛନ୍ତି। ଏହାର ଜବାବରେ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଅମିତ ଶାହ ସଂସଦରେ ନ ଥିବାର ଅର୍ଥ ସେ ଦାୟିତ୍ବରୁ ପଳାଉଛନ୍ତି ବୋଲି ନୁହେଁ।
ସେ କହିଥିଲେ, ଗୃହମନ୍ତ୍ରୀ ସରକାରୀ କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି ଏବଂ ସେ ‘ଲୁଚିଛପି ବିଦେଶ ଯାଉଥିବା’ ନେତା ନୁହନ୍ତି। ଏହା ସହ ସେ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତକୁ ନେଇ ମଧ୍ୟ କଟାକ୍ଷ କରିଥିଲେ। ସମ୍ବିତ ପାତ୍ର ଆହୁରି କହିଥିଲେ, ଜନ୍ତରମନ୍ତରରେ ପୁଲିସ ପକ୍ଷରୁ ପେଲେଟ୍ ଗନ୍ ବ୍ୟବହାର କରାଯାଇଥିବା ଦାବି ସମ୍ପୂର୍ଣ୍ଣ ଭୁଲ। ଦିଲ୍ଲୀ ପୁଲିସ ଏପରି କୌଣସି ପଦକ୍ଷେପ ନେଇ ନ ଥିବା ସ୍ପଷ୍ଟ କରିସାରିଛି। ତେଣୁ ଭୁଲ ତଥ୍ୟ ଆଧାରରେ ସରକାରଙ୍କୁ ବଦନାମ କରିବାର ଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ।
ସୌଜନ୍ୟ ସମ୍ବାଦ




