ଶିଲଂ: ମେଘାଳୟର ପୂର୍ବ ଜୟନ୍ତିଆ ପାହାଡ଼ ଜିଲ୍ଲାର ଏକ ବେଆଇନ କୋଇଲା ଖଣିରେ ବିସ୍ଫୋରଣ ଘଟି ଗୁରୁବାର ଅନ୍ୟୂନ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ସମୟରେ ଖଣି ଭିତରେ ଉପସ୍ଥିତ ଥିବା ଶ୍ରମିକଙ୍କ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଆହୁରି ଅଧିକ ଲୋକ ଫସି ରହିବାର ଆଶଙ୍କା କରାଯାଉଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଆଇ ନୋଙ୍ଗରାଙ୍ଗ କହିଛନ୍ତି।
ଉଦ୍ଧାରକାରୀ ଦଳ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି। ଉକ୍ତ ସ୍ଥାନରେ କୋଇଲା ଖଣି କାର୍ଯ୍ୟକଳାପ ସମୟରେ ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଏହି ଘଟଣା ଘଟିଛି, ଯାହା ବେଆଇନ ବୋଲି ବିଶ୍ୱାସ କରାଯାଉଛି। ପୂର୍ବ ଜୟନ୍ତିଆ ପାହାଡ଼ ପୁଲିସ ଅଧୀକ୍ଷକ ବିକାଶ କୁମାର କହିଛନ୍ତି ଯେ, ବିସ୍ଫୋରଣରେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ସୁତଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ଏବଂ ଉନ୍ନତ ଚିକିତ୍ସା ପାଇଁ ଶିଲଂ ଡାକ୍ତରଖାନାକୁ ପଠାଯାଇଥିଲା। ନ୍ୟାସନାଲ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍ଜିଟି) ୨୦୧୪ରେ ମେଘାଳୟରେ ମୂଷା-ଗର୍ତ୍ତ କୋଇଲା ଖନନ (ରୢାଟ୍ହୋଲ୍ ମାଇନିଂ) ଓ ଅନ୍ୟାନ୍ୟ ଅବୈଜ୍ଞାନିକ ଖଣି ଖନନ ଅଭ୍ୟାସ ଉପରେ ପ୍ରତିବନ୍ଧକ ଲଗାଇଥିଲା। ପରେ ସୁପ୍ରିମ୍କୋର୍ଟ ଏହି ନିଷେଧାଦେଶକୁ ସମର୍ଥନ କରିଥିଲେ ଏବଂ ପରିବେଶ ସୁରକ୍ଷା ଦିଗକୁ ଦୃଷ୍ଟି ଦେବା ସହିତ କେବଳ ବୈଜ୍ଞାନିକ ଓ ନିୟନ୍ତ୍ରିତ ପ୍ରକ୍ରିୟା ଅନୁଯାୟୀ ଖଣି ଖନନକୁ ଅନୁମତି ଦେଇଥିଲେ।
ସୂଚନାଯୋଗ୍ୟ ୨୦୨୫ ଡିସେମ୍ବର ୨୩ରେ ଥାଙ୍ଗସ୍କୋ ଅଞ୍ଚଳରେ ସମାନ ଢଙ୍ଗରେ ଡାଇନାମାଇଟ୍ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ଦୁଇଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।
ସୌଜନ୍ୟ ସମ୍ବାଦ
