Breaking News: ଭୋରୁ ହଠାତ୍ ୨ ମହଲା କୋଠାରେ ଲାଗିଲା ନିଆଁ; ୭ ସୁରକ୍ଷିତ ଉଦ୍ଧାର, ୯ ବର୍ଷର ବାଳକ ଗୁରୁତର

କଟକ, ୦୯/୧୧: କଟକ ଦରଘା ବଜାରସ୍ଥିତ ରକି ଟେଲର ଗଳିରେ ଆଜି ଭୋର ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ୯ ବର୍ଷର ବାଳକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରଖିଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୪ଟା ସମୟରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ଘରେ ହଠାତ୍ ନିଆଁ ଲାଗିଯାଇଥିଲା। ଉକ୍ତ ଘରର ଦୁଇଟି ମହଲାରେ ମହିଳା, ପୁରୁଷ ଓ ଶିଶୁଙ୍କ ସମେତ ମୋଟ ୮ ଜଣ ରହୁଥିଲେ। ଘରେ କାମ କରୁଥିବା ଜଣେ ମହିଳା ଛାତ ଉପରେ ଥିବା ସମୟରେ ଘର ଭିତରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖି ପାଟି କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ଫସି ରହିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ। ତେବେ ଏହି ଅଘଟଣରେ ଜଣେ ୯ ବର୍ଷର ବାଳକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ପଠାଯାଇଛି। ଅନ୍ୟପକ୍ଷରେ, ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ସୌଜନ୍ୟ ପ୍ରମେୟ




