Diwali Fire Injury : ଦୀପାବଳିରେ ଅଗ୍ନିକାଣ୍ଡ, ଦୀପରୁ ଜଳିଗଲା ଯୁବତୀଙ୍କ ଡ୍ରେସ୍, ମହମବତୀରୁ ନିଆଁ ଲାଗି ୮୫ ବର୍ଷୀୟା ବୃଦ୍ଧା ଗୁରୁତର

ଭୁବନେଶ୍ୱର ୦୯/୧୧: ଦୀପାବଳି ପାଳନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ। ବାଣ ଫୁଟାଇବା ଓ ଦୀପ ଜାଳିବା ସମୟରେ ଅସାବଧାନତା ଯୋଗୁଁ ଶତାଧିକ ଲୋକ ଆହତ ହୋଇଛନ୍ତି। ଏଥିମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।
ନୟାଗଡ଼ ସହରର ରାଜାବଗିଚା ସାହିରେ ଦୀପରୁ ଡ୍ରେସ୍ରେ ନିଆଁ ଲାଗି ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବତୀ ହେଉଛନ୍ତି ପୂଜାଲକ୍ଷ୍ମୀ ସାହୁ। ସେ ଘର ଛାତ ଉପରେ ଦୀପ ଲଗାଉଥିବା ସମୟରେ ଅସାବଧାନତାବଶତଃ ତାଙ୍କ ପୋଷାକରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ନୟାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଶରୀରରେ ଗୁରୁତର ପୋଡ଼ାଜଳା ହୋଇଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।
ସେହିପରି ଦୀପ ଓ ମହମବତୀରୁ ନିଆଁ ଲାଗି ଆଉ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ଧାମନଗରର କଣ୍ଟାପାରି ଅଞ୍ଚଳର ୮୫ ବର୍ଷୀୟା ହେମଲତା ମହାନ୍ତିଙ୍କ ଶାଢ଼ିରେ ଘରେ ଦୀପ ଜାଳିବା ସମୟରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଅନ୍ୟ ଏକ ଘଟଣାରେ ନାବାଳିକା ଗୁଡ଼ିଲି ନାୟକ ଘରେ ମହମବତୀ ଜାଳୁଥିବା ସମୟରେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଦୀପାବଳି ଭଳି ଖୁସିର ପର୍ବରେ ଏଭଳି ଅଘଟଣ ଚିନ୍ତାର କାରଣ ପାଲଟିଛି। ତେଣୁ ଦୀପ ଜାଳିବା ଓ ବାଣ ଫୁଟାଇବା ସମୟରେ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଥିଲା।
ସୌଜନ୍ୟ ପ୍ରମେୟ




