ଜାତୀୟ

Brics Summit : ଟ୍ରମ୍ପଙ୍କୁ ବ୍ରିକ୍ସ ନେତାଙ୍କ ଦୃଢ଼ ସନ୍ଦେଶ, ନିଜସ୍ୱ ମୁଦ୍ରାରେ ବାଣିଜ୍ୟ କାରବାର ଲାଗି ଆହ୍ୱାନ

ନୂଆଦିଲ୍ଲୀ, ୧୨/୯ : ନୂଆଦିଲ୍ଳୀର ଭାରତ ମଣ୍ଡପମରେ ଆଜି ଠାରୁ ଦୁଇ ଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହେଉଛି । ଏହା ପୂର୍ବରୁ ବ୍ରିକ୍ସ ବ୍ୟବସାୟିକ ଫୋରମ୍‌ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟାନ ଯୋଗଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସନ୍ଦେଶ ଦେଇଛନ୍ତି । ଏହି ନେତାମାନେ ପରସ୍ପର ଭିତରେ ଆର୍ଥିକ ସହଯୋଗକୁ ବ୍ୟାପକ କରିବା, ବାଣିଜ୍ୟ ପଥକୁ ସୁରକ୍ଷିତ ରଖିବା ଏବଂ ସ୍ଥାନୀୟ ମୁଦ୍ରାର କାରବାର ନେଇ ସହମତ ହୋଇଛନ୍ତି । ଡଲାରର ଆଧିପତ୍ୟକୁ ବ୍ରିକ୍ସ ରାଷ୍ଟ୍ରମାନେ ଚାଲେଞ୍ଜ କରୁଥିବାରୁ ଆମେରିକା ବ୍ରିକ୍ସର କଡ଼ ସମାଲୋଚନା କରିଥିଲା । କିନ୍ତୁ ଏହି ନେତାମାନେ ଏକାଠି ହୋଇ ବୈଶ୍ୱିକ ଆର୍ଥିକ ବ୍ୟବସ୍ଥାର ବିକଳ୍ପ ହେବା ନେଇ ଟ୍ରମ୍ପଙ୍କୁ ଦୃଢ଼ ବାର୍ତ୍ତା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ୨୦୦୬ରେ ଯେତେବେଳେ ବ୍ରିକ୍ସର ଶୁଭାରମ୍ଭ ହୋଇଥିଲା ସେତେବେଳେ ମାତ୍ର ୪ଟି ଦେଶ ଏଥିରେ ସଦସ୍ୟ ଭାବେ ସାମିଲ ଥିଲେ । ବର୍ତ୍ତମାନ ସଦସ୍ୟ ଓ ଭାଗିଦାରୀଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି । ବ୍ରିକ୍ସ ଦେଶରେ ବିଶ୍ୱର ଅଧା ଲୋକ ରହୁଛନ୍ତି । ଏହି ଦେଶମାନେ ବିଶ୍ୱର ୪୦ ପ୍ରତିଶତ ଜିଡିପି ଓ ୨୫ ପ୍ରତିଶତ ବାଣିଜ୍ୟ ପ୍ରତି ଅବଦାନ ରଖିଛି । ବିଗତ ବର୍ଷଗୁଡିକରେ ବିଶ୍ୱର ଜିଡିପି ଅଢ଼େଇ ଗୁଣ ବଢ଼ିଛି । କିନ୍ତୁ ବ୍ରିକ୍ସ ଦେଶର ଜିଡିପି ସାଢ଼େ ୪ ଗୁଣ ବୃଦ୍ଧି ପାଇଛି । ଅର୍ଥାତ ବ୍ରିକ୍ସର ଅର୍ଥ ବ୍ୟବସ୍ଥା ବିଶ୍ୱର ଅର୍ଥ ବ୍ୟବସ୍ଥା ଅପେକ୍ଷା ୨ ଗୁଣ ଅଧିକ ବଢ଼ିଛି । ବ୍ରିକ୍ସ ଦେଶ ଏବେ ନବସୃଜନ ଓ ନୂଆ ଟେକ୍ନୋଲୋଜିର ବଡ଼ କେନ୍ଦ୍ର ପାଲଟିଛି । ବୈଶ୍ୱିକ ବାଣିଜ୍ୟ କାରବାର ଲାଗି ଯୋଗାଣ ରାସ୍ତା ଓ ସାମୁଦ୍ରିକ ପଥର ସୁରକ୍ଷା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେ କହିଛନ୍ତି ଯେ ମୁକ୍ତ ସାମୁଦ୍ରିକ ପଥ ଓ ନାବିକଙ୍କ ସୁରକ୍ଷାର ଭାରତ ଦୃଢ଼ ସମର୍ଥକ । ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ବିଶ୍ୱର ପ୍ରମୁଖ ଜଳମାର୍ଗ ହୋର୍ମୁଜରେ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ମୋଦି ଏଭଳି ବୟାନ ଦେଇଛନ୍ତି ।

ସେ କହିଛନ୍ତି ଯେତେବେଳେ ସାମୁଦ୍ରିକ ପଥ ସୁରକ୍ଷିତ, ଯୋଗାଣ ରାସ୍ତା ଉନ୍ମୁକ୍ତ ଏବଂ ନାବିକମାନେ ସୁରକ୍ଷିତ ରହିପାରିବେ ସେତେବେଳେ ବୈଶ୍ୱିକ ବାଣିଜ୍ୟର ପ୍ରଗତି ସମ୍ଭବ ହୋଇପାରିବ । ଏହି କାରଣରୁ ଭାରତ ମୁକ୍ତ ସାମୁଦ୍ରିକ ଜଳମାର୍ଗ ଓ ନାବିକଙ୍କ ସୁରକ୍ଷାକୁ ଦୃଢ଼ ଭାବେ ସମର୍ଥନ କରେ । ଘରୋଇ ଶିଳ୍ପକୁ ସୁରକ୍ଷା ଦେବା ଲାଗି ବିଭିନ୍ନ ଦେଶ ଟାରିଫ ବଢ଼ାଇବା, କଟକଣା ଲଗାଇବା ଓ ଅନ୍ୟାନ୍ୟ ବାଧା ସୃଷ୍ଟି କରିବା ଫଳରେ ବର୍ତ୍ତମାନ ବାଣିଜ୍ୟ କାରବାର କଷ୍ଟସାଧ୍ୟ ହୋଇପଡ଼ିଛି । ଏଭଳି ସମୟରେ ବିଶ୍ୱ ଅର୍ଥନୀତିରେ ଭାରତ ଆର୍ଥିକ ସେତୁ ପାଲଟିଛି । ଆମର ଧ୍ୟାନ ବ୍ୟବସାୟ ପାଇଁ ସମସ୍ୟା କମ୍‌ କରିବା ଓ ନୂଆ ଅବସର ଉପରେ କେନ୍ଦ୍ରୀଭୂତ ରହିଛି । ସେଥିପାଇଁ ଆମେ ଷ୍ଟର୍ଟଅପ୍‌ ଓ ଏମ୍‌ଏସ୍‌ଏମ୍‌ଇକୁ ବଜାର ସହ ଯୋଡ଼ିବା ଲାଗି ବ୍ରିକ୍ସ ଇନକ୍ୟୁବେଟର ନେଟୱର୍କ, ବ୍ରିକ୍ସ ଏମ୍‌ଏସ୍‌ଏମ୍‌ଇ ପୋର୍ଟାଲ ଓ ବ୍ରିକ୍ସ ଷ୍ଟାର୍ଟଅପ୍‌ ଇନୋଭେସନ ଫଣ୍ଡ୍‌ ଭଳି ଯୋଜନା ଆରମ୍ଭ କରିଛୁ । ବ୍ରିକ୍ସ ତୃତୀୟ ଦଶକରେ ପ୍ରବେଶ କରିଛି । ବ୍ରିକ୍ସ ଦେଶ ମଧ୍ୟରେ ବାଣିଜ୍ୟ କାରବାର କ୍ଷେତ୍ରରେ ରହିଥିବା ୧୦ ବାଧା ଦୂର କରିବା ଲାଗି ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ ମୋଦି ବ୍ରିକ୍ସ ବିଜିନେସ କାଉନସିଲକୁ ଆହ୍ୱାନ ଦେଇଛନ୍ତି ।

ଫୋରମକୁ ସମ୍ବୋଧନ କରି ପୁଟିନ କହିଛନ୍ତି ବର୍ତ୍ତମାନ ବିଶ୍ୱ ବଦଳୁଛି । ବୈଶ୍ୱିକ ସ୍ତରରେ ବଡ଼ ପରିବର୍ତ୍ତନ ହେବାରେ ଲାଗିଛି । ବିଶ୍ୱର ଅର୍ଥନୀତିକୁ ଆଗକୁ ବଢ଼ାଉଥିବା ପୁରୁଣା ଆର୍ଥିକ କେନ୍ଦ୍ର ସ୍ଥାନରେ ଏବେ ନୂଆ ଦେଶ ଓ ଅର୍ଥ ବ୍ୟବସ୍ଥାର ବିକାଶ ଘଟିଛି । ପୁରୁଣା ଆର୍ଥିକ କେନ୍ଦ୍ର ନିକଟରେ ଆଜି ବି ମଜଭୁତ ଭିତ୍ତିଭୂମି ଢାଞ୍ଚା, ଉନ୍ନତ ଟେକ୍ନୋଲୋଜି, ବୈଜ୍ଞାନିକ କ୍ଷମତା ଓ ମଜଭୁତ ଗବେଷଣା ସଂସ୍ଥାନ ରହିଛି । କିନ୍ତୁ ଦୁନିଆ ଓ ଅର୍ଥ ବ୍ୟବସ୍ଥା ସର୍ବଦା ପରିବର୍ତ୍ତନଶୀଳ । ଏହି କାରଣରୁ ନୂଆ ଦେଶ ଆର୍ଥିକ ଶକ୍ତି ଭାବେ ଆଗକୁ ଆସିବା ସ୍ୱାଭାବିକ ବିଷୟ ବୋଲି ପୁଟିନ କହିଛନ୍ତି । ଏହି ଅବସରରେ ରୁଷ ରାଷ୍ଟ୍ରପତି ପଶ୍ଚିମ ଦେଶକୁ କଡ଼ା ସମାଲୋଚନା କରିଛନ୍ତି । କହିଛନ୍ତି ଦୁର୍ବଳ ହୋଇସାରିଥିବା କିଛି ପାଶ୍ଚାତ୍ୟ ଦେଶ ନିଜକୁ ଜି-୭ ବୋଲି କାହିଁକି କହୁଛନ୍ତି ତାହା ବୁଝାପଡୁନାହିଁ । ଆର୍ଥିକ ଦୃଷ୍ଟିରୁ ଜି-୭ ଠାରୁ ବ୍ରିକ୍ସ ବହୁଦୂରକୁ ଚାଲିଗଲାଣି । ବିଶ୍ୱ ଅର୍ଥ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ହେବାରେ ଲାଗିଛି । ବ୍ରିକ୍ସର ଅର୍ଥ ବ୍ୟବସ୍ଥା ଲଗାତାର ଭାବେ ଆଗକୁ ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ପାଶ୍ଚାତ୍ୟ ଦେଶର ପରିବର୍ତ୍ତନ ଆଗ ଭଳି ହେଉନାହିଁ । ବର୍ତ୍ତମାନ ନୂଆ ଆର୍ଥିକ ଶକ୍ତିର ଆବିର୍ଭାବ ଘଟିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button