ଜାତୀୟ

Utkarsh Hazarika: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ୧.୧୧ ବର୍ଷର ଶିଶୁ

ନୂଆଦିଲ୍ଲୀ, ୧୨/୦୯: ବୟସ ଦୁଇ ବର୍ଷ ମଧ୍ୟ ପୂରିନାହିଁ, ହେଲେ ଅସାଧାରଣ ସ୍ମରଣଶକ୍ତି ଓ ଶିକ୍ଷଣ କ୍ଷମତା ଯୋଗୁଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି ଆସାମର ଉତ୍କର୍ଷ ହଜାରିକା। ମୋରିଗାଓଁ ଜିଲ୍ଲାର ସୋନାରିଗାଓଁର ଏହି କୁନି ପ୍ରତିଭାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।

ମାତ୍ର ୧ ବର୍ଷ ୧୧ ମାସ ବୟସରେ ଉତ୍କର୍ଷ ଅନେକ ବସ୍ତୁ ଚିହ୍ନିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି। ଏଥିସହ ବିଭିନ୍ନ ପ୍ରକାରର ସୂଚନା ମନେ ରଖିବାର ତାଙ୍କ ଅସାଧାରଣ କ୍ଷମତା ମଧ୍ୟ ଦେଖିବାକୁ ମିଳିଛି। ତାଙ୍କ ଏହି ପ୍ରତିଭା ଶୈଶବରୁ ଶିକ୍ଷଣ ପ୍ରତି ପରିବାରର ଯତ୍ନ ଓ ଉତ୍ସାହକୁ ମଧ୍ୟ ପ୍ରତିଫଳିତ କରୁଛି।

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସର ପ୍ରମାଣପତ୍ର ଅନୁଯାୟୀ, ଉତ୍କର୍ଷ ୨୨ ପ୍ରକାର ଖାଦ୍ୟ ସାମଗ୍ରୀ, ୨୮ ପ୍ରକାର ଫଳ, ୨୮ ପ୍ରକାର ପକ୍ଷୀ, ବିଭିନ୍ନ ପନିପରିବା ଓ ୨୮ ପ୍ରକାର ବାଦ୍ୟଯନ୍ତ୍ର ଚିହ୍ନିପାରନ୍ତି। ସେହିପରି ୧୨ ପ୍ରକାର ଫୁଲ, ୧୧ ପ୍ରକାର ବୃତ୍ତି, ଶରୀରର ୨୬ଟି ଅଙ୍ଗ, ୨୫ଟି ମହାକାଶୀୟ ବସ୍ତୁ ଓ ୧୬ଟି ସ୍ମାରକୀର ନାମ ମଧ୍ୟ ସେ କହିପାରନ୍ତି। କେବଳ ଏତିକି ନୁହେଁ, ଉତ୍କର୍ଷ ସପ୍ତାହର ଦିନ, ବର୍ଷର ମାସ, ୮ଟି ଗ୍ରହ ଓ ୭ଟି ମହାଦେଶର ନାମ କହିପାରନ୍ତି। ସେହିପରି ୧୦ଟି ନର୍ସରୀ କବିତା ଆବୃତ୍ତି କରିବା ସହ ଇଂରାଜୀ ବର୍ଣ୍ଣମାଳା ସହ ସମ୍ବନ୍ଧିତ ଶବ୍ଦ ମଧ୍ୟ କହିପାରନ୍ତି। ଭାରତର ୧୭ଟି ଜାତୀୟ ପ୍ରତୀକ ବିଷୟରେ ମଧ୍ୟ ତାଙ୍କର ଜ୍ଞାନ ରହିଛି। ଏଥିସହ ସେ ୨୨ ପ୍ରକାର ଭାବଭଙ୍ଗୀ ପ୍ରଦର୍ଶନ କରିବା ସହ ୧ରୁ ୨୦ ପର୍ଯ୍ୟନ୍ତ ଗଣନା କରିପାରନ୍ତି।

ଉତ୍କର୍ଷଙ୍କ ମା’ଙ୍କ କହିବାନୁସାରେ, ନିୟମିତ ଶିକ୍ଷଣ, ଖେଳ ଓ ଉତ୍ସାହ ପ୍ରଦାନ ତାଙ୍କ ପ୍ରତିଭା ବିକାଶରେ ଗୁରୁତ୍ୱପୂର୍ଣ୍ଣ ହୋଇଛି। ଥରେ ତାଙ୍କୁ ଭାରତର ଜାତୀୟ ପ୍ରତୀକଗୁଡ଼ିକ ଦେଖାଯାଇଥିଲା। ଦୁଇ-ତିନି ଦିନ ପରେ ସେହି ପ୍ରତୀକଗୁଡ଼ିକ ବିଷୟରେ ପଚରାଯିବାରୁ ଉତ୍କର୍ଷ ସେଥିରୁ ୨-୩ଟି ପ୍ରତୀକର ନାମ ସଠିକ୍ ଭାବେ କହିପାରିଥିଲେ। ପୁଅର ଅସାଧାରଣ ସ୍ମରଣଶକ୍ତିକୁ ପରିବାର ଚିହ୍ନିବା ପରେ ତାଙ୍କୁ ଅଧିକ ଉତ୍ସାହିତ କରାଯାଇଥିଲା। ନିୟମିତ ଭାବେ ନୂଆ ଜିନିଷ ଶିଖାଇବା ସହ ଖେଳ ଓ ଆନନ୍ଦ ମାଧ୍ୟମରେ ତାଙ୍କ ଶିକ୍ଷଣକୁ ଆଗକୁ ବଢ଼ାଯାଇଥିଲା।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button