Capital Hospital: କ୍ୟାପିଟାଲ୍‌ ହସ୍ପିଟାଲ୍‌: ଅନ୍‌ଲାଇନ୍ ଓପିଡି ବୁକିଂ କିଓସ୍କ ଅଚଳ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଉ ଟିକଟ ଓ ରିପୋର୍ଟ ସଂଗ୍ରହ ପାଇଁ ଝରକାର ସମ୍ମୁଖରେ ଲମ୍ବାଧାଡ଼ି ଦେଖିବାକୁ ମିଳିବନି। ଅନ୍‌ଲାଇନ୍‌ ମାଧ୍ୟମରେ ସବୁ ଟିକଟ କରି ଆସିବେ ଆଉ ସ୍କାନ୍‌ କରି ଓପିଡି ଟିକଟ ଆଉ ଲ୍ୟାବ୍‌ ରିପୋର୍ଟ ପାଇପାରିବେ।

ଭୁବନେଶ୍ବର: କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଉ ଟିକଟ ଓ ରିପୋର୍ଟ ସଂଗ୍ରହ ପାଇଁ ଝରକାର ସମ୍ମୁଖରେ ଲମ୍ବାଧାଡ଼ି ଦେଖିବାକୁ ମିଳିବନି। ଅନ୍‌ଲାଇନ୍‌ ମାଧ୍ୟମରେ ସବୁ  ଟିକଟ କରି ଆସିବେ ଆଉ ସ୍କାନ୍‌ କରି ଓପିଡି ଟିକଟ ଆଉ ଲ୍ୟାବ୍‌ ରିପୋର୍ଟ ପାଇପାରିବେ। ଏମିତି ସବୁ ସ୍ବପ୍ନ ଦେଖାଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ କିଓସ୍କ ସ୍ଥାପନ କରାଯାଇଥିଲା। ଏକ ବର୍ଷ ମଧ୍ୟରେ ଏବେ ସବୁ କିଓସ୍କ ଅଚଳ। ପୂର୍ବ ଭଳି ଏବେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଧାଡ଼ିରେ ଛିଡ଼ା ହୋଇ ଓପିଡି ଟିକଟ କିମ୍ବା ଲ୍ୟାବ୍‌ ରିପୋର୍ଟ ସଂଗ୍ରହ କରୁଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ହସ୍ପିଟାଲ୍‌ କର୍ତ୍ତୃପକ୍ଷ କେବଳ କିଓସ୍କ ସ୍ଥାପନ କରିଥିବା ସଂସ୍ଥାକୁ ଚିଠି ଲେଖି ଚୁପ ହୋଇ ରହିଯାଇଛନ୍ତି। ଠିକ୍‌ ହେଲା କି ନାହିଁ ଏନେଇ ଆଉ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି।

ସୂଚନା ଅନୁସାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ରୋଗୀ ସଂଖ୍ୟା ବଢ଼ିବା ପରେ ପଞ୍ଜୀକରଣ କେନ୍ଦ୍ର ସମ୍ମୁଖରେ ଲ୍ୟାବ୍‌ ରି‌ପୋର୍ଟ ସଂଗ୍ରହ କରିବାପାଇଁ ଲମ୍ବାଧାଡ଼ି ଲାଗୁଥିଲା। ଏମିତିକି ଜଣେ ଜିଲ୍ଲା ବାହାରର ରୋଗୀ ଟିକଟ କରି ଡାକ୍ତରଙ୍କୁ ଦେଖାଇ ପରେ ରକ୍ତ ଓ ଅନ୍ୟାନ୍ୟ ପରୀକ୍ଷା କରି ପୁଣି ଡାକ୍ତରଙ୍କୁ ଦେଖାଇବା ସମ୍ଭବ ହେଉ ନଥିଲା। ତେଣୁ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଇଥିଲା।ଏଥିପାଇଁ ୫ଟି କିଓସ୍କ କ୍ୟାପିଟାଲ୍‌ ହସ୍‌ପିଟାଲ ଲଗାଯାଇଥିଲା। ଓଡ଼ିଶା ରାଜ୍ୟ ଔଷଧ ନିଗମ ଏହି କିଓସ୍କ ସ୍ଥାପନ କରିଥିଲା। ରୋଗୀ କିଂବା ତାଙ୍କ ସମ୍ପର୍କୀୟ ମୋବାଇଲରେ ପଞ୍ଜୀକୃତ କରି ଏକ କ୍ୟୁଆର୍‌କୁ କିଓସ୍କରେ ସ୍କାନ୍‌ କରାଇ‌ଦେଲେ ଓପିଡି ଟିକଟ ମିଳିଯାଉଥିଲା। ସେହିଭଳି ରିପୋର୍ଟ ପାଇଁ ସିଏନ୍‌ଆର ନମ୍ବରକୁ ସର୍ଚ୍ଚ କରିଦେଲେ ସମସ୍ତ ଲ୍ୟାବ୍‌ ରିପୋର୍ଟର ପ୍ରିଣ୍ଟଆଉଟ୍‌ ମିଳି ଯାଉଥିଲା। ଫଳରେ ଆଉ ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁ ନଥିଲା। କିନ୍ତୁ ଏହି ସମସ୍ତ କିଓସ୍କ ଏବେ ଅଚଳ ହୋଇଯାଇଥିବାରୁ ରୋଗୀ କିମ୍ବା ସମ୍ପର୍କୀୟମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରିପୋର୍ଟ ସଂଗ୍ରହ କରୁଛନ୍ତି।
ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ରୁପଭାନୁ ମିଶ୍ର କହିଛନ୍ତି ଯେ ଯେଉଁ ସବୁ କିଓସ୍କ କାମ କରୁ ନାହିଁ, ତାହାର ମରାମତି କରାଯିବ। ଲୋକମାନେ ପୁଣି କିଓସ୍କକୁ ବ୍ୟବହାର କରିପାରିବେ।

ସୌଜନ୍ୟ ସମ୍ବାଦ

Exit mobile version