CBSE structure: ସିବିଏସ୍ଇ ଢାଞ୍ଚା ଆପଣାଇବେ ସରକାର: ମିଶିଯିବ ସିଏଚ୍ଏସ୍ଇ ଓ ବିଏସ୍ଇ
ଓଡ଼ିଶାରେ ଦଶମ(ମାଧ୍ୟମିକ) ଓ ଦ୍ୱାଦଶ(ଉଚ୍ଚ ମାଧ୍ୟମିକ) ଶ୍ରେଣୀ ପାଇଁ ଏକକ ବୋର୍ଡ କାର୍ଯ୍ୟ କରିବ। କଟକରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ଓ ଭୁବନେଶ୍ବରରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା...

ଭୁବନେଶ୍ବର: ଓଡ଼ିଶାରେ ଦଶମ(ମାଧ୍ୟମିକ) ଓ ଦ୍ୱାଦଶ(ଉଚ୍ଚ ମାଧ୍ୟମିକ) ଶ୍ରେଣୀ ପାଇଁ ଏକକ ବୋର୍ଡ କାର୍ଯ୍ୟ କରିବ। କଟକରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ଓ ଭୁବନେଶ୍ବରରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ)କୁ ମିଶ୍ରଣ କରାଯାଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଢାଞ୍ଚାରେ ନୂତନ ବୋର୍ଡ ଗଠନ କରାଯିବ। ଏଥିପାଇଁ ରାଜ୍ୟ ସରକାର ଏକ ଚିଠା ଆଇନ ପ୍ରସ୍ତୁତ କରୁଥିବା ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ତିରୁମାଲା ନାୟକ ସୂଚନା ଦେଇଛନ୍ତି।
ବୋର୍ଡ ଦ୍ବୟର ମିଶ୍ରଣ ଦ୍ବାରା ଉଭୟ ଶ୍ରେଣୀ ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ ହେବ ନାହିଁ। କେବଳ ଦୁଇଟି ବୋର୍ଡ ଗୋଟିଏ ପ୍ରଶାସନିକ ଛାତ ତଳକୁ ଆସିବେ। ଏହାଦ୍ବାରା ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଓ ସମାନତା ଆସିପାରିବ। ଗୋଟିଏ ସମୟରେ ହିଁ ସାରା ରାଜ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହେବା ସହ ଫଳ ପ୍ରକାଶ ପାଇବ। ନୂଆ ବୋର୍ଡର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ବରରେ କରିବାକୁ ପ୍ରାରମ୍ଭିକ ଯୋଜନା ପ୍ରସ୍ତୁତ ହେଉଛି। ବର୍ତ୍ତମାନର ସିଏଚ୍ଏସ୍ଇ କାର୍ଯ୍ୟାଳୟ ସମ୍ପ୍ରସାରଣ କରି ଏହାକୁ ଡିଜିଟାଇଜେସନ୍ କରିବା ଦିଗରେ ପଦକ୍ଷେପ ନିଆଯାଉଛି। ତେବେ ମିଶ୍ରଣ ପାଇଁ ଆଇନଗତ ପ୍ରକ୍ରିୟା ଚାଲୁ ରହିଥିବାରୁ ଏହି ନୂତନ ବ୍ୟବସ୍ଥା କେଉଁ ଶିକ୍ଷାବର୍ଷରୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଇ ନାହିଁ।
ଦଶମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବହି ବଦଳିବ
ଏସ୍ଆଇଓଏସ୍ରେ ସାମିଲ ହେବ ଯୁକ୍ତ୨ ଶିକ୍ଷା
ଓଡ଼ିଆରେ ପାଠ୍ୟପୁସ୍ତକ ପ୍ରସ୍ତୁତି ଉପରେ ଗୁରୁତ୍ବ
ସଚିବ ଶ୍ରୀ ନାୟକ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ଦଶମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ପରିବର୍ତ୍ତନ କରାଯିବ। ୨୦୨୬ ଜାନୁଆରିରୁ ବିଜ୍ଞାନ ବିଭାଗର କେତେକ ପାଠ୍ୟପୁସ୍ତକ ଓଡ଼ିଆରେ ହୋଇଛି। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ପରିଷଦ ପକ୍ଷରୁ ଅନ୍ୟ ପାଠ୍ୟପୁସ୍ତକଗୁଡ଼ିକ ମଧ୍ୟ ଏନ୍ସିଇଆର୍ଟି ଆଧାରରେ ଓଡ଼ିଆରେ ପ୍ରସ୍ତୁତ କରିବାକୁ ସଚିବ ଶ୍ରୀ ନାୟକ ପରିଷଦକୁ ପ୍ରସ୍ତାବ ଦେଇଛନ୍ତି। ଏଥିସହ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ ବିଜ୍ଞାନ ବିଭାଗ ପାଇଁ ଓଡ଼ିଆରେ ସନ୍ଦର୍ଭ ପୁସ୍ତକ(ରେଫରେନ୍ସ ବୁକ୍ସ) ପ୍ରସ୍ତୁତ କରିବାକୁ ପଦକ୍ଷେପ ନିଆଯାଉଛି। ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ଡିଜିଟାଲ୍ ବିଷୟବସ୍ତୁ ବିକଶିତ କରିବାକୁ ପରିଷଦକୁ ୧୦ କୋଟି ଟଙ୍କା ଦିଆଯାଇଛି। ଛାତ୍ରଛାତ୍ରୀ ଯୁକ୍ତ୨ ପାସ୍ କରିବା ପରେ ଅନ୍ତତଃ ଗୋଟିଏ ଟ୍ରେଡ୍ରେ ଦକ୍ଷ ହୋଇପାରିବେ, ସେଥିପାଇଁ ଧନ୍ଦାମୂଳକ ଶିକ୍ଷା ଉପରେ ମଧ୍ୟ ଧ୍ୟାନ ଦିଆଯାଉଥିବା ସେ କହିଛନ୍ତି। ଏହାବ୍ୟତୀତ ଆଗାମୀ ଦିନରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ(ଏସ୍ଆଇଓଏସ୍) ଅର୍ଥାତ୍ ଓପନ୍ ସ୍କୁଲିଂ ଜରିଆରେ ଯୁକ୍ତ୨ ପାଠ୍ୟକ୍ରମ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି। ଚଳିତବର୍ଷଠାରୁ ୧୪ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀ ଏସ୍ଆଇଓଏସ୍ରେ ସମ୍ପୂର୍ଣ୍ଣ ମାଗଣାରେ ଯୁକ୍ତ୨ ଶିକ୍ଷାଗ୍ରହଣ କରିପାରିବେ। ୧୮ ବର୍ଷରୁ ଅଧିକ ବୟସ ପିଲାଙ୍କୁ ସର୍ବନିମ୍ନ ଫି’ ଦେବାକୁ ପଡ଼ିବ ବୋଲି ସିଏଚ୍ଏସ୍ଇ ପ୍ରତିଷ୍ଠା ଦିବସରେ ଯୋଗଦେଇ ସଚିବ ଶ୍ରୀ ନାୟକ ଏହା କହିଛନ୍ତି।
ସୌଜନ୍ୟ ସମ୍ବାଦ




