Ceasefire: ୫ ଦିନ ପାଇଁ ଯୁଦ୍ଧବିରତି ଘୋଷଣା: ଇରାନ କହିଲା କିଛି ଆଲୋଚନା ହୋଇନି, ଡରି ପଛକୁ ହଟିଲା ଆମେରିକା

ଇରାନ ସଂଘର୍ଷରେ ନୂଆ ମୋଡ଼। ୪୮ ଘଣ୍ଟିଆ ଚରମବାଣୀ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପାଞ୍ଚଦିନିଆ ବିରତି ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୁଇଦିନ ଧରି ଇରାନ ସହ ଆଲୋଚନା ଫଳପ୍ରଦ ହୋଇଛି।

ନୂଆଦିଲ୍ଲୀ: ଇରାନ ସଂଘର୍ଷରେ ନୂଆ ମୋଡ଼। ୪୮ ଘଣ୍ଟିଆ ଚରମବାଣୀ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ପାଞ୍ଚଦିନିଆ ବିରତି ଘୋଷଣା କରିଛନ୍ତି। ସେ କହିଛନ୍ତି, ଦୁଇଦିନ ଧରି ଇରାନ ସହ ଆଲୋଚନା ଫଳପ୍ରଦ ହୋଇଛି। ସେ ‘ଟ୍ରୁଥ୍‌’ରେ ଲେଖିଛନ୍ତି, ଆମେ ମଧ୍ୟପ୍ରାଚ୍ୟରେ ସମ୍ପୂର୍ଣ୍ଣ ସମାଧାନ ପାଇଁ ଆଲୋଚନା କରୁଛୁ। ଆଲୋଚନା ଫଳପ୍ରଦ ହେବାରୁ ପାଞ୍ଚଦିନ ପର୍ଯ୍ୟନ୍ତ ଇରାନୀ ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛି। ତେବେ ଇରାନ କହିଛି, ଆମେରିକା ସହ କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ଆଲୋଚନା ହୋଇନାହିଁ। ଇରାନର ଦୃଢ଼ ଜବାବକୁ ଡରି ଆମେରିକା ବିରତି ଘୋଷଣା କରିଛି। ଅପରପକ୍ଷରେ ତେହେରାନର ଏପରି ଦାବିକୁ ଅସ୍ବୀକାର କରିଛନ୍ତି ଟ୍ରମ୍ପ।

ଯୁଦ୍ଧ ଶେଷ ପାଇଁ ଆମେରିକା-ଇରାନ କଥାବାର୍ତ୍ତା ଫଳପ୍ରଦ ହୋଇଛି: ଟ୍ରମ୍ପ

ଇରାନ କହିଲା କିଛି ଆଲୋଚନା ହୋଇନି, ଡରି ପଛକୁ ହଟିଲା ଆମେରିକା

ଏହି ଯୁଦ୍ଧବିରତି ଘୋଷଣା, ଟ୍ରମ୍ପଙ୍କ ୪୮ଘଣ୍ଟିଆ ଚରମବାଣୀ ପରେ ଆସିଛି, ଯେଉଁଥିରେ ସେ ଇରାନକୁ ସତର୍କ କରାଇଥିଲେ, ହର୍ମୁଜ୍ ପ୍ରଣାଳୀ ସଂପୂର୍ଣ୍ଣ ଖୋଲା ନ ହେଲେ ଆମେରିକା ତାଙ୍କର ସମସ୍ତ ପାୱାର ପ୍ଲାଣ୍ଟକୁ ଧ୍ୱଂସ କରିଦେବ। ଇରାନ ପ୍ରତିକ୍ରିୟାରେ କହିଥିଲା, ହର୍ମୁଜ ପ୍ରଣାଳୀ ସମସ୍ତଙ୍କ ପାଇଁ ଖୋଲା ଅଛି, କିନ୍ତୁ ‘ଶତ୍ରୁ’ (ଆମେରିକା ଓ ଇସ୍ରାଏଲ) ସହ ଜଡ଼ିତ ଜାହାଜକୁ ବାଦ୍ ଦିଆଯିବ। ଇରାନୀ ପ୍ରତିନିଧିମାନେ କହିଛନ୍ତି, କୂଟନୀତି ଆମର ପ୍ରାଥମିକତା। କିନ୍ତୁ ଆକ୍ରମଣ ବନ୍ଦ ଏବଂ ପାରସ୍ପରିକ ବିଶ୍ୱାସ ପୁନଃସ୍ଥାପିତ ହେବା ଆବଶ୍ୟକ। ସେମାନେ ସତର୍କ କରାଇଛନ୍ତି, ଯଦି ଇରାନୀ ଶକ୍ତିକେନ୍ଦ୍ରଗୁଡ଼ିକୁ ଟାର୍ଗେଟ୍ କରାଯାଏ, ତେବେ ସମଗ୍ର ଅଞ୍ଚଳରେ ଥିବା ଆମେରିକା ଘାଟିଗୁଡ଼ିକୁ ଆକ୍ରମଣ କରାଯିବ। ଇରାନ ଦାବି କରିଛି ଯେ ଏହାର କଡ଼ା ଧମକ ପରେ ଆମେରିକା ପଛଘୁଞ୍ଚା ଦେଇଛି।

ସମ୍ପ୍ରତି, ଇସ୍ରାଏଲ ସ୍ୱୀକାର କରିଛି ଯେ, ଇରାନ ପ୍ରଥମଥର ପାଇଁ ୪,୦୦୦ କି.ମି. ରେଞ୍ଜର ବାଲିଷ୍ଟିକ୍ ମିସାଇଲ୍ ପ୍ରୟୋଗ କରିଛି, ଯାହା ବର୍ଲିନ୍, ପ୍ୟାରିସ୍, ରୋମ୍ ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ସଂଘର୍ଷରେ ୨,୦୦୦ରୁ ଅଧିକ ଇରାନୀ ମୃତ୍ୟୁବରଣ କରିଛନ୍ତି, ଯେତେବେଳେ ଇରାନୀ ଆକ୍ରମଣରେ ଇସ୍ରାଏଲରେ ଅତିକମ୍‌ରେ ୧୫ ଜଣଙ୍କ ଜୀବନ ଯାଇଛି। ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି, ଆମେ ସବୁଆଡ଼ୁ ଶତ୍ରୁଙ୍କୁ ଆକ୍ରମଣ କରିବାକୁ ସଙ୍କଳ୍ପବଦ୍ଧ। ତେବେ ଏହି ପାଞ୍ଚଦିନର ବିରତି ଯଦି ସଫଳ ହୁଏ, ମଧ୍ୟପ୍ରାଚ୍ୟରେ ଶତ୍ରୁତା କମାଇବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version