ବୋଗୋଟା: କଲମ୍ବିଆର ଏକ ସାମରିକ ବିମାନ ସି-୧୩୦ ହରକ୍ୟୁଲସ୍ ଦକ୍ଷିଣ ସୀମାବର୍ତ୍ତୀ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ସୁଦ୍ଧା ୬୬ରେ ପହଞ୍ଚିଛି। ଗତ ସୋମବାର ଦିନ ୧୨୫ ଜଣ ଯାତ୍ରୀଙ୍କୁ ନେଇ ପୁଏର୍ତ୍ତୋ ଲେଗୁଇଜାମୋରୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟି ଉଚ୍ଚତା ହାସଲ କରିବାରେ ବିଫଳ ହୋଇ ଜଙ୍ଗଲ ମଧ୍ୟରେ ଖସିପଡ଼ିଥିଲା। ପୁଟୁମାୟୋ ଗଭର୍ଣ୍ଣର ଜନ୍ ଗାବ୍ରିଏଲ୍ ମୋଲିନା ଏହି ମୃତ୍ୟୁ ସଂଖ୍ୟା ନିଶ୍ଚିତ କରିବା ସହ ଅତିକମରେ ୮୩ ଜଣ ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି। ଘଟଣାସ୍ଥଳରୁ ମିଳିଥିବା ଭୟଙ୍କର ଚିତ୍ରରେ ବିମାନର ଭଙ୍ଗା ଅଂଶ ଓ ଚତୁର୍ଦ୍ଦିଗରେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏହାକୁ ଏକ ”ଭୟଙ୍କର ଦୁର୍ଘଟଣା” ବୋଲି ଅଭିହିତ କରି ସାମରିକ ସରଞ୍ଜାମର ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି।
ଏହି ଦୁର୍ଘଟଣା ସମୟରେ ବିମାନରେ ୧୧୪ ଜଣ ସୈନ୍ୟ ଓ ୧୧ ଜଣ କ୍ରୁ ସଦସ୍ୟ ଥିଲେ। ବିମାନଟି ଆମାଜନର ଦୁଇଟି ସାମରିକ ଘାଟି ମଧ୍ୟରେ ଯାତ୍ରା କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ପ୍ରାରମ୍ଭିକ ଭାବେ ମୃତ୍ୟୁ ସଂଖ୍ୟା କମ୍ କୁହାଯାଉଥିଲେ ମଧ୍ୟ ପରେ ଏହା ବୃଦ୍ଧି ପାଇଛି। ଦୁର୍ଘଟଣାସ୍ଥଳ ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏବଂ ସେଠାକାର ବିମାନବନ୍ଦର ଛୋଟ ହୋଇଥିବାରୁ ଆହତଙ୍କୁ ସ୍ଥାନାନ୍ତର କରିବାରେ ଅନେକ ସମସ୍ୟା ଦେଖାଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ତଦନ୍ତକାରୀ ଦଳ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ଏକ ମାସ ମଧ୍ୟରେ ଦକ୍ଷିଣ ଆମେରିକା ଅଞ୍ଚଳରେ ଏହା ଦ୍ୱିତୀୟ ବଡ଼ ବିମାନ ଦୁର୍ଘଟଣା।
ସୌଜନ୍ୟ ସମ୍ବାଦ
