Chinnaswamy stampede: ଚିନ୍ନାସ୍ବାମୀରେ ଦିଆଯିବ ମୃତ ପ୍ରଶଂସକଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି: ଖାଲି ରହିବ ୧୧ଟି ସ୍ଥାନ

ଆର୍‌ସିବି ପ୍ରଥମ ଥର ଆଇପିଏଲ୍‌ ଟ୍ରଫି ଜିତିବା ପରେ ବେଙ୍ଗାଲୁରୁ ବିଜୟ ଉତ୍ସବ ପୂର୍ବରୁ ଦଳଚକଟାରେ ମୃତ ୧୧ ଜଣ ପ୍ରଶଂସକଙ୍କୁ ନିଆରା ଶୈଳୀରେ ଶ୍ରଦ୍ଧାଞ୍ଜଳି। ଖାଲି ରହିବ ୧୧ଟି ସ୍ଥାନ।

ବେଙ୍ଗାଲୁରୁ: ଗତବର୍ଷ ଆର୍‌ସିବି ପ୍ରଥମ ଥର ଆଇପିଏଲ୍‌ ଟ୍ରଫି ଜିତିବା ପରେ ବେଙ୍ଗାଲୁରୁ ବିଜୟ ଉତ୍ସବ ପୂର୍ବରୁ ଦଳଚକଟାରେ ୧୧ ଜଣ ପ୍ରଶଂସକଙ୍କ ଜୀବନ ଚାଲିଯାଇଥିଲା। ସେମାନଙ୍କୁ ଏଥର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶ୍ରଦ୍ଧାଞ୍ଜଳି ଜଣାଇବେ ଷ୍ଟାଡିୟମ୍‌ର ପ୍ରଶଂସକ ଓ ପ୍ରଶାସକ। ଶନିବାର ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଆଇପିଏଲ୍‌-୨୬ର ଉଦ୍‌ଘାଟନୀ ମ୍ୟାଚ୍‌ ଅବସର‌ରେ ନିଆରା ଢ଼ଙ୍ଗରେ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ।

ଏହି ମୃତ ୧୧ ଜଣ ପ୍ରଶଂସକଙ୍କ ସ୍ମାରକୀ ଫଳକ ଷ୍ଟାଡିୟମ୍‌ରେ ରହିବ ଏବଂ ୧୧ଟି ସିଟ୍‌ ମଧ୍ୟ ଖାଲି ରଖାଯିବ। କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ (କେଏସସିଏ) ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ମିଳିତ ଭାବେ ଏହି ଯୋଜନା କରିଛନ୍ତି। ମୃତ ପ୍ରଶଂସକଙ୍କ ମଧ୍ୟରେ ମଧ୍ୟ ଜଣେ ୧୪ ବ‌ର୍ଷୀୟ କିଶୋର ଥିଲେ। ଏମାନଙ୍କ ସ୍ମୃତିରେ ଏକ ପ୍ରମୁଖ ଷ୍ଟାଣ୍ଡ୍‌ର ୧୧ଟି ସିଟ୍‌କୁ ସ୍ଥାୟୀ ଭାବେ ସଂରକ୍ଷିତ ରଖାଯିବ ଏବଂ ଏହାର ଟିକେଟ୍‌ କେବେ ବି ବିକ୍ରୀ କରାଯିବ ନାହିଁ। ଏପରିକି କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ସମୟରେ ବି ଏହା ଅପରିବର୍ତିତ ରହିବ। ଶନିବାର ଉଦ୍‌ଘାଟନୀ ମ୍ୟାଚ୍‌ ପୂର୍ବରୁ ଖେଳାଳିମାନେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୋଟିଏ ମିନିଟ୍‌ ନିରବ ପ୍ରାର୍ଥନା କରିବେ।

ମ୍ୟାଚ୍‌ ପୂର୍ବରୁ ଶ୍ରଦ୍ଧାଞ୍ଜଳି

ଭ୍ରମଣକାରୀ ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳ ମଧ୍ୟ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଅଂଶ ରହିବେ ବୋଲି ଜଣାପଡ଼ିଛି। ଏହା କେଏସ୍‌ସିଏ ଓ ଆର୍‌ସିବିର ମିଳିତ ନିଷ୍ପତ୍ତି‌ ବୋଲି କେଏସ୍‌ସିଏ ସଭାପତି ପୂର୍ବତନ କ୍ରିକେଟର୍‌ ଭେଙ୍କଟେଶ ପ୍ରସାଦ ପ୍ରକାଶ କରିଛନ୍ତି।

ସୌଜନ୍ୟ ସମ୍ବାଦ

Exit mobile version