ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଜାରି ରହିଥିବା ଯୁଦ୍ଧକାଳୀନ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ରାଜ୍ୟସଭାରେ ଗଭୀର ଚିନ୍ତା ପ୍ରକଟ କରିବା ସହ ବିଶ୍ୱ ସମୁଦାୟକୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଘର୍ଷ ଯୋଗୁଁ ଭାରତର ବାଣିଜ୍ୟିକ ମାର୍ଗ ପ୍ରଭାବିତ ହେବା ସହ ପେଟ୍ରୋଲ, ଡିଜେଲ, ଗ୍ୟାସ ଓ ସାରର ନିୟମିତ ଯୋଗାଣ ବାଧାପ୍ରାପ୍ତ ହେଉଛି, ଯାହା ଏକ “ଉଦ୍ବେଗଜନକ” ବିଷୟ। ବିଶେଷ କରି ସେହି ଅଞ୍ଚଳରେ ଫସି ରହିଥିବା ଭାରତୀୟ ନାବିକ ଓ ଉପସାଗରୀୟ ଦେଶଗୁଡ଼ିକରେ ରହୁଥିବା ପ୍ରାୟ ଏକ କୋଟିରୁ ଅଧିକ ଭାରତୀୟଙ୍କ ସୁରକ୍ଷାକୁ ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ବାଣିଜ୍ୟିକ ଜାହାଜ ଉପରେ ହେଉଥିବା ଆକ୍ରମଣ ଏବଂ ବିଶ୍ୱ ବାଣିଜ୍ୟର ପ୍ରମୁଖ ମାର୍ଗ ”ହର୍ମୁଜ ପ୍ରଣାଳୀ”କୁ ଅବରୋଧ କରାଯିବା ନେଇ ଦୃଢ଼ ଆପତ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ସବୁବେଳେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଏବଂ କୂଟନୀତି ଉପରେ ବିଶ୍ୱାସ କରେ। ବର୍ତ୍ତମାନର ଏହି ଅଶାନ୍ତ ସମୟରେ କେନ୍ଦ୍ର ସରକାର ସମ୍ବେଦନଶୀଳତାର ସହ କାର୍ଯ୍ୟ କରୁଛନ୍ତି ଏବଂ ବିଭିନ୍ନ ଦେଶ ପକ୍ଷରୁ ଭାରତୀୟ ନାଗରିକଙ୍କ ସୁରକ୍ଷା ନେଇ ଆଶ୍ୱାସନା ମିଳିଛି। ତେବେ ଏହି ଆକ୍ରମଣରେ କିଛି ଲୋକ ପ୍ରାଣ ହରାଇବା ଓ ଆହତ ହେବା ଘଟଣା ଅତ୍ୟନ୍ତ ଦୁଃଖଦାୟକ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ତୁରନ୍ତ ସ୍ଥିତିରେ ସୁଧାର ଆଣିବା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ
