condolence ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ ରାମକୃଷ୍ଣ ରଥଙ୍କ ପରଲୋକ
ୟୁନିସେଫ୍ ଓଡ଼ିଶାର ପୂର୍ବତନ ମୁଖ୍ୟ ଓ ବିଶିଷ୍ଟ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ ରାମକୃଷ୍ଣ ରଥଙ୍କ ଭୁବନେଶ୍ୱରରେ ପରଲୋକ ଘଟିଛି।

ଭୁବନେଶ୍ୱର: ୟୁନିସେଫ୍ (UNICEF) ଓଡ଼ିଶାର ପୂର୍ବତନ ମୁଖ୍ୟ ତଥା ଆନ୍ତର୍ଜାତୀୟ ସ୍ତରର ବିଶିଷ୍ଟ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡ ରାମକୃଷ୍ଣ ରଥ (୮୪ ବର୍ଷ) ଦେହାନ୍ତ ଘଟିଛି।
ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ଅଞ୍ଜଳି ରଥ, ଦୁଇ ପୁତ୍ର ଅନୁପମ ଓ ଅମିତାଭ ଏବଂ ବୋହୂ ପାବନୀ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ୧୯୪୧ ମସିହା ସେପ୍ଟେମ୍ବର ୪ରେ ଗଞ୍ଜାମର ବ୍ରହ୍ମପୁରଠାରେ ଜନ୍ମିତ ଡ ରଥ, ସ୍ଥାନୀୟ ଖଲ୍ଲିକୋଟ କଲେଜ ଓ ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ରୁ ଶିକ୍ଷା ସମାପ୍ତ କରିବା ପରେ, ଅଷ୍ଟ୍ରିଆର ଭିଏନା ବିଶ୍ୱବିଦ୍ୟାଳୟରୁ ଜର୍ମାନ ଭାଷାରେ ସମ୍ମାନର ସହ ପିଏଚ୍.ଡି. (Ph.D.) ହାସଲ କରିଥିଲେ।
୧୯୮୧ରେ ସେ ୟୁନିସେଫ୍ରେ ଯୋଗ ଦେଇଥିଲେ। ଆନ୍ଧ୍ରପ୍ରଦେଶରେ କାର୍ଯ୍ୟରତ ଥିବା ସମୟରେ କନ୍ୟା ସନ୍ତାନର ଶିକ୍ଷା ଓ ସାର୍ବଜନୀନ ଟୀକାକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ମିଳିତ ଜାତିସଂଘର ସର୍ବୋଚ୍ଚ “ୟୁନାଇଟେଡ୍ ନେସନ୍ସ ଡିଷ୍ଟିଙ୍ଗୁଇସଡ୍ ସର୍ଭିସ ଆୱାର୍ଡ” ପ୍ରଦାନ କରାଯାଇଥିଲା। ଏହାପରେ ସେ ୟୁନିସେଫ୍ ଓଡ଼ିଶାର ମୁଖ୍ୟ ଭାବେ (୧୯୯୧-୯୩) ଏବଂ ନୂଆଦିଲ୍ଲୀ କାର୍ଯ୍ୟାଳୟରେ ଗୋଷ୍ଠୀ ବିକାଶ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ୧୯୯୮ରେ ଅବସର ନେଇଥିଲେ। ଅବସର ପରେ ମଧ୍ୟ ସେ ପପୁଲେସନ ଫାଉଣ୍ଡେସନ ଅଫ୍ ଇଣ୍ଡିଆ (PFI) ସହ ଜଡ଼ିତ ରହି ଜନସେବା ଜାରି ରଖିଥିଲେ। ୨୦୦୮ ମସିହାରେ ସେ ଗୁରଗାଓଁରୁ ଓଡ଼ିଶାକୁ ଫେରିଆସି ଭୁବନେଶ୍ୱରଠାରେ ସ୍ଥାୟୀ ଭାବେ ବସବାସ କରୁଥିଲେ।
ସୌଜନ୍ୟ ସମ୍ବାଦ




