New Posts for Medical college & Hospitals ମଞ୍ଜୁର ହେଲା ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ୭୫୫ଟି ନୂଆ ପଦବି
ରାଜ୍ୟର ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୭୫୫ଟି ନୂଆ ପଦବି ମଞ୍ଜୁର କରାଯାଇ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରାଯାଇଛି: ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ଲୋକଙ୍କ ନିକଟରେ ଉନ୍ନତମାନର ଚିକିତ୍ସାସେବା ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ଚିକିତ୍ସା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାଦାନ ଓ ରୋଗୀସେବାକୁ ସୁଦୃଢ଼ କରିବା ପାଇଁ ମୋଟ ୭୫୫ଟି ନୂତନ ପଦବି ମଞ୍ଜୁର କରାଯାଇଛି।
ମଞ୍ଜୁର ହୋଇଥିବା ପଦବୀଗୁଡ଼ିକ ମଧ୍ୟରେ ୭ଟି ପ୍ରଫେସର, ୩୫ଟି ଆସୋସିଏଟ ପ୍ରଫେସର, ୫୦ଟି ଆସିଷ୍ଟାଣ୍ଟ ପ୍ରଫେସର, ୨୯ଟି ଟ୍ୟୁଟର, ୨୪୮ଟି ସିନିୟର ରେସିଡେଣ୍ଟ, ୧୯୦ଟି ଜୁନିୟର ରେସିଡେଣ୍ଟ (ଏମ୍ବିବିଏସ୍), ୧୧୨ଟି କାଜୁଆଲଟି ମେଡିକାଲ ଅଫିସର (ସିଏମ୍ଓ) ଏବଂ ୮୪ଟି ବ୍ଲଡ୍ ବ୍ୟାଙ୍କ ଅଫିସର (ବିବିଓ) ପଦବି ରହିଛି।
ଏହି ଅବସରରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସୁଛନ୍ତି। ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ଚିକିତ୍ସା ଶିକ୍ଷାର ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏହି ପଦବି ମଞ୍ଜୁର ହେବା ଫଳରେ ମେଡିକାଲ କଲେଜଗୁଡ଼ିକରେ ଆବଶ୍ୟକ ମାନବ ସମ୍ବଳ ବୃଦ୍ଧି ପାଇବ ଏବଂ ରୋଗୀମାନେ ଅଧିକ ଉନ୍ନତ ଚିକିତ୍ସାସେବାର ସୁବିଧା ପାଇପାରିବେ।
ବିଗତ ଦିନରେ ତିନଟି ନୂତନ ମେଡିକାଲ କଲେଜରେ ଦୁଇ ଶହ ପଚାଶ ଏମ୍ବିବିଏସ୍ ସିଟ୍ରେ ପାଠ ପଢା ବଢ଼ିଛି। ସେହିପରି ସମ୍ପ୍ରତି ପିଜି ସିଟ ବଢି ୬୮ କୁ ପହଞ୍ଚିଛି। ଫଳରେ ପ୍ରଫେସର ଏବଂ ଅନ୍ୟାନ୍ୟ ପଦବି ମଞ୍ଜୁର ଆବଶ୍ୟକ ଥିଲା। ଏହି ପଦବି ମଞ୍ଜୁର ଫଳରେ ଗୁଣାତ୍ମକ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତ ।
ସୌଜନ୍ୟ ସମ୍ବାଦ




