Congress: କଂଗ୍ରେସକୁ ରାଜ୍ୟସଭା ଅଡୁଆ: ବିଧାୟକ ଦଳ ବୈଠକକୁ ଆସିଲେନି ରମେଶ, ସୋଫିଆ

ରାଜ୍ୟସଭା ଚତୁର୍ଥ ଆସନ ପାଇଁ ଲଢ଼େଇ ରୋଚକ ହେବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ‘କମନ୍‌ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିବା ପରେ ଏହାକୁ ତରବରିଆଭାବେ ସମର୍ଥନ....

ଭୁବନେଶ୍ବର: ରାଜ୍ୟସଭା ଚତୁର୍ଥ ଆସନ ପାଇଁ ଲଢ଼େଇ ରୋଚକ ହେବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ‘କମନ୍‌ ପ୍ରାର୍ଥୀ’ ଭାବେ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିବା ପରେ ଏହାକୁ ତରବରିଆଭାବେ ସମର୍ଥନ ଜଣାଇଥିଲେ ପିସିସି ସଭାପତି ଭକ୍ତଚରଣ ଦାସ। ହେଲେ କଂଗ୍ରେସର ବିଧାୟକ ଦଳ ବୈଠକରେ ସବୁ ବିଧାୟକ ଉପସ୍ଥିତ ନ ରହିବା କିଛି ଭିନ୍ନ ସଙ୍କେତ ଦେଲାଣି। ଅନ୍ୟପଟରେ ବିଜେପି ୩ ପ୍ରାର୍ଥୀ ଦେବା ଲାଗି ଘୋଷଣା କରିବା ପରେ ଏଥର ନିର୍ବାଚନରେ କ୍ରସ୍‌ଭୋଟିଂର ଭୟ ବଢ଼ିଛି।

ବିଧାୟକ ଦଳ ବୈଠକକୁ ଆସିଲେନି ରମେଶ, ସୋଫିଆ
୩ ପ୍ରାର୍ଥୀ ଦେବାକୁ ବିଜେପିର ଘୋଷଣା

ଡା.ହୋତାଙ୍କ ପ୍ରାର୍ଥୀତ୍ବକୁ ନେଇ ଆଜି କଂଗ୍ରେସ ବିଧାୟକମାନଙ୍କର ଏକ ବୈଠକ ଡକାଯାଇଥିଲା। ଏହି ବୈଠକରେ କିନ୍ତୁ ଦଳୀୟ ଫାଟ ପଦାକୁ ଆସିଛି। ଅପରାହ୍‌ଣରେ ଏହି ବୈଠକ ବସିବାକୁ ଥିଲେ ହେଁ କିଛି ବିଧାୟକ ଶ୍ରୀ କାଡ଼ାମଙ୍କ ବାସଭବନକୁ ଯିବାକୁ ଅମଙ୍ଗ ହୋଇଥିଲେ। ପରେ ରାଜଧାନୀର ଏକ ହୋଟେଲ୍‌କୁ ବୈଠକ ସ୍ଥାନାନ୍ତର କରାଯାଇଥିଲା। ଏଠାକୁ ଆସିବା ପାଇଁ ମଧ୍ୟ ଅନେକ କୁନ୍ଥକୁନ୍ଥ ହୋଇଥିଲେ। ପିସିସି ସଭାପତି ଶ୍ରୀ ଦାସଙ୍କ କସରତ ପରେ ୧୨ଜଣ ବିଧାୟକ ହୋଟେଲ୍‌ରେ ଆସି ପହଞ୍ଚିଥିଲେ। ବୈଠକରେ ପିସିସି ସଭାପତିଙ୍କ ବାଦ୍‌ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ସହପ୍ରଭାରୀ ମୟୂର ଜୟକୁମାର ଓ ଅନ୍ୟ ବିଧାୟକମାନେ ଉପସ୍ଥିତ ଥିଲେ। ବିଧାୟକ ରମେଶ ଜେନା ଓ ସୋଫିଆ ଫିରଦୋସ୍‌ ବୈଠକକୁ ଆସି ନ ଥିଲେ। ସେହିପରି ବୈଠକକୁ ଯିବା ପୂର୍ବରୁ ବିଧାୟକ ଦାଶରଥୀ ଗମାଙ୍ଗ ଗଣମାଧ୍ୟମ ଆଗରେ ବୈଠକ ସଂପର୍କରେ କିଛି କହିବାକୁ ଏଡ଼ାଇ ଯାଇଥିଲେ। ସଭାପତି ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି, ଦଳ ଯେହେତୁ ତାଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନେଇଛି ତେଣୁ ୧୪ ବିଧାୟକଙ୍କ ସମର୍ଥନ ମିଳିଯିବ। ଡା. ହୋତା କହିଛନ୍ତି ଯେ କଂଗ୍ରେସର ସବୁ ବିଧାୟକଙ୍କୁ ବ୍ୟକ୍ତିଗତ ଭାବେ ଭେଟିବି।

ଅପରପକ୍ଷରେ ରାଜ୍ୟସଭା ପାଇଁ ୩ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଆଜି ବିଜେପି ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବିଧାୟକମାନେ ଉପସ୍ଥିତ ଥିଲେ। ୫ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ସମୟରେ ବିଧାୟକମାନେ ଉପସ୍ଥିତ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ୩ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରରେ ବିଧାୟକଙ୍କ ଦସ୍ତଖତ ନିଆଯାଇଛି। ତେବେ ଦଳ ପକ୍ଷରୁ ବର୍ତ୍ତମାନସୁଦ୍ଧା କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ।

ସୌଜନ୍ୟ ସମ୍ବାଦ

Exit mobile version