ମୁମ୍ବାଇ: ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଅଧିନିୟମ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ବମ୍ବେ ହାଇକୋର୍ଟ ଗତ ସପ୍ତାହରେ ତାଙ୍କ ଆଜୀବନ କାରାଦଣ୍ଡକୁ ହ୍ରାସ କରି ୧୨ ବର୍ଷର ଜେଲଦଣ୍ଡ କରିଛନ୍ତି। ସେ କାରାଗାରରେ ଥିବା ସମୟରେ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଉପରେ ବହି ପଢ଼ିବା, ପ୍ରବନ୍ଧ ଲେଖି ପ୍ରମାଣପତ୍ର ପାଇବା ଆଦି ବିଷୟ ଉପରେ ଦୃଷ୍ଟି ରଖି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
୨୦୧୬ ଡିସେମ୍ବରରେ ଜଣେ ପାଞ୍ଚ ବର୍ଷୀୟା ବାଳିକାକୁ ଯୌନ ନିର୍ଯାତନା ଦେବା ସମୟରେ ଅଭିଯୁକ୍ତକୁ ୨୦ ବର୍ଷ ହୋଇଥିଲା। ୨୦୨୦ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ତାଙ୍କ ଦଣ୍ଡ ଅବଧିକୁ ଆଜୀବନରୁ ୧୨ ବର୍ଷକୁ ହ୍ରାସ କରିବାର ବିଭିନ୍ନ କାରଣ ଦର୍ଶାଇ କୋର୍ଟ କହିଛନ୍ତି, ସେ ନଅ ବର୍ଷରୁ ଅଧିକ ସମୟ ଜେଲରେ କାଟିସାରିଛି। ତାଙ୍କର କୌଣସି ଆପରାଧିକ ପୃଷ୍ଠଭୂମି ନାହିଁ। କୋଭିଡ୍-୧୯ ସମୟରେ ମଧ୍ୟ ଅଭିଯୁକ୍ତ ଜାମିନରେ ମୁକ୍ତ ହୋଇ ନ ଥିଲେ।
ଜେଲ୍ରେ ଥିବା ସମୟରେ ସେ ଅର୍ଜନ କରିଥିବା ତିନୋଟି ସାର୍ଟିଫିକେଟ୍ ଉପରେ ମଧ୍ୟ କୋର୍ଟ ଧ୍ୟାନ ଦେଇଛନ୍ତି, ଯାହା ତାଙ୍କ ଓକିଲ ଓପି ଲଲୱାନି ଓ ଜିପସନ୍ ଜନ୍ଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା। ଏଥିରେ ପୁଣେର ତିଲକ ମହାରାଷ୍ଟ୍ର ବିଦ୍ୟାପୀଠ ଦ୍ୱାରା ‘ପୁସ୍ତକର ବିଶ୍ଳେଷଣ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ଏକ ପ୍ରମାଣପତ୍ର, ‘ପ୍ରବନ୍ଧ ପ୍ରତିଯୋଗିତା’ରେ ଅଂଶଗ୍ରହଣ କରିବା ପାଇଁ ମୁମ୍ବାଇର ରାମଚନ୍ଦ୍ର ପ୍ରତିଷ୍ଠାନ ଦ୍ୱାରା ଦ୍ୱିତୀୟ ପ୍ରମାଣପତ୍ର ଏବଂ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଉପରେ ଅଧ୍ୟୟନ ପାଇଁ ମୁମ୍ବାଇ ସର୍ବୋଦୟ ମଣ୍ଡଳ ଦ୍ୱାରା ତୃତୀୟ ପ୍ରମାଣପତ୍ର ଅନ୍ତର୍ଭୁକ୍ତ ବୋଲି ବିଚାରପତିମାନେ ସେମାନଙ୍କ ଆଦେଶରେ କହିଛନ୍ତି।
ସୌଜନ୍ୟ ସମ୍ବାଦ
