ରାଜ୍ୟ

Crime: ଜେଲ୍‌ରୁ ବିହାରୀ ଅପରାଧୀ ଫେରାର ଘଟଣା: ଚୌଦ୍ବାର ଜେଲ୍ ଅଧୀକ୍ଷକ ଗିରଫ, ପୁଲିସ ସ୍କାନର୍‌ରେ ଜେଲ୍ ଡିଜି ସୁଶାନ୍ତ ନାଥ

ଚୌଦ୍ବାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜେଲ୍‌ ମିନିଟ୍ ବୁକ୍ ଏବଂ ଗେଟ୍‌ର ପ୍ରବେଶ ଓ ପ୍ରସ୍ଥାନ ରେଜିଷ୍ଟରରେ ଜାଲିଆତି ଅଭିଯୋଗରେ ଗିରଫ ହୋଇଛନ୍ତି। ଚୌଦ୍ବାର ଥାନା ପୁଲିସର....

କଟକ: ଚୌଦ୍ବାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜେଲ୍‌ ମିନିଟ୍ ବୁକ୍ ଏବଂ ଗେଟ୍‌ର ପ୍ରବେଶ ଓ ପ୍ରସ୍ଥାନ ରେଜିଷ୍ଟରରେ ଜାଲିଆତି ଅଭିଯୋଗରେ ଗିରଫ ହୋଇଛନ୍ତି। ଚୌଦ୍ବାର ଥାନା ପୁଲିସର ଏକ ଦଶଜଣିଆ ଟିମ୍ ରବିବାର ଅପରାହ୍ଣ ପ୍ରାୟ ୫ଟା ୩୦ ବେଳେ ତାଙ୍କୁ ଭୁବନେଶ୍ବର ସହିଦନଗରସ୍ଥିତ ବାସଭବନରୁ ଗିରଫ କରିଛି। ଗିରଫ ସମୟରେ ପୁଲିସ ସହିତ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପରେ ତାଙ୍କୁ ପୁଲିସ ଗିରଫ କରି ଚୌଦ୍ବାର ଥାନାକୁ ଆଣିଛି।

୨୦୨୫ ଅକ୍ଟୋବର ୩ ତାରିଖରେ ଦଶହରା ଉତ୍ସବ ପାଳନ ଦିନ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଚୌଦ୍ବାର ସର୍କଲ୍ ଜେଲ୍‌ରୁ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ଓଡ଼ିଶା ପୁଲିସ ନାକେଦମ ହୋଇଥିବା ବେଳେ ଶେଷରେ ଏହି ଦୁଇ ଅପରାଧୀ ଗିରଫ ହୋଇଥିଲେ। ସେମାନଙ୍କ ଫେରାର ପଛରେ ଜେଲ୍‌ର ବରିଷ୍ଠ ଜେଲ୍ ଅଧୀକ୍ଷକ ସୁଜିତ କୁମାର ରାଉଳଙ୍କ ଷଡ଼ଯନ୍ତ୍ର ଥିବା ନେଇ ୨୦୨୬ ଜାନୁଆରି ୧୭ରେ ତତ୍କାଳୀନ ଜେଲର୍‌ ସନ୍ତୋଷିନୀ ଦାସ ସଙ୍ଗିନ ଅଭିଯୋଗ କରିଥିଲେ। ପୁଲିସ ଏହି ଅଭିଯୋଗ ଆଧାରରେ ଏକ ମାମଲା (କେସ୍ ନଂ ୩୫) ରୁଜୁ କରିଥିଲା। ୨୦୨୫ ଅକ୍ଟୋବର ୧, ୨ ଓ ୩ ତାରିଖର ଜେଲ୍‌ ଗେଟ୍‌ ପ୍ରବେଶ-ପ୍ରସ୍ଥାନ ରେଜିଷ୍ଟର୍‌ରେ ଜାଲିଆତି ଅଭିଯୋଗ ହୋଇଥିଲା। ଶ୍ରୀ ରାଉଳ ସେହି ତିନି ଦିନ ଜେଲ୍‌ରେ ଲଗାତାର ଡ୍ୟୁଟି କରିଥିଲେ ବୋଲି ଦର୍ଶାଇଥିଲେ ମଧ୍ୟ ପ୍ରକୃତରେ ନଥିଲେ। ଚୌଦ୍ବାର ଥାନା ପୁଲିସ ସିସିଟିଭି କ୍ୟାମେରା ଫୁଟେଜ୍‌ରୁ ଏ ସଂକ୍ରାନ୍ତରେ ପ୍ରମାଣ ସଂଗ୍ରହ କରିଥିଲା। ୧ ତାରିଖ ସନ୍ଧ୍ୟାରେ ଓ ୨ ତାରିଖ ସକାଳେ କିଛି ସମୟ ପାଇଁ ସେ ଜେଲ୍‌କୁ ଆସି ପଳାଇଥିବା ଅଭିଯୋଗ ହୋଇଥିଲା।

ସହିଦନଗର ଘରୁ ଉଠାଇବା ବେଳେ ପୁଲିସ ସହ ମୁହାଁମୁହିଁ
ପୁଲିସ ସ୍କାନର୍‌ରେ ଜେଲ୍ ଡିଜି ସୁଶାନ୍ତ ନାଥ

ଦୁଇ ବିହାରୀ ଆସାମୀ ଫେରାର ହେବା ପରେ ୩ ତାରିଖ ଦିନ ୧୦ଟା ବେଳେ ଆସି ଜେଲ୍‌ର ମିନିଟ୍ ବୁକ୍‌ରେ ୨ ଅକ୍ଟୋବରରେ ବ୍ୟକ୍ତିଗତ କାର୍ଯ୍ୟରେ ଖୋର୍ଦ୍ଧା ଯାଉଥିବା ସମ୍ପର୍କରେ ଉଲ୍ଲେଖ କରିଥିଲେ। ତାଙ୍କ ଅନୁପସ୍ଥିତିରେ ତତ୍କାଳୀନ ଜେଲର୍‌ ଶ୍ରୀମତୀ ଦାସଙ୍କୁ ଦାୟିତ୍ବ ହସ୍ତାନ୍ତର କରିଥିବା ନେଇ ମିନିଟ୍‌ ବୁକ୍‌ରେ ଶ୍ରୀ ରାଉଳ ଦର୍ଶାଇଥିଲେ। ଶ୍ରୀମତୀ ଦାସ ଏହି ଦାୟିତ୍ବ ଗ୍ରହଣ କରିଥିବା ନେଇ ମଧ୍ୟ ଦସ୍ତଖତ ଜାଲିଆତି କରାଯାଇଥିଲା। ୯ ଥର ପୁଲିସ ତାଙ୍କୁ ମିନିଟ୍ ବୁକ୍ ଦାଖଲ କରିବାକୁ କହିଥିବା ବେଳେ ସେ ଦାଖଲ କରି ନଥିଲେ। ଶେଷରେ ଅଗଷ୍ଟ ୧୭ରେ ନିଜକୁ ବଞ୍ଚାଇବା ପାଇଁ ମିନିଟ୍ ବୁକ୍ ଗାଏବ ସମ୍ପର୍କରେ ଥାନାରେ ଏତଲା ଦେଇଥିଲେ। ମାର୍ଚ୍ଚ ୨୩ରେ ହାଇକୋର୍ଟ ଶ୍ରୀ ରାଉଳଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ରାଉଳଙ୍କୁ ଆଗୁୁଆ ଜାମିନ ଦେବାକୁ ହାଇକୋର୍ଟ ମନା କରି ଦେଇଥିଲେ। ଅନ୍ତରୀଣ ସୁରକ୍ଷା ଉଠାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବାରୁ ଅଗଷ୍ଟ ୨୯ରୁ ସେ କେଉଁଆଡ଼େ ଗାଏବ ହୋଇଯାଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button