ରାଜ୍ୟ

Cryptocurrency: କ୍ରିପ୍ଟୋ କରେନ୍ସି ମାୟାରେ ଫସିଲେ: ୫ କୋଟିରୁ ଊର୍ଦ୍ଧ୍ବ ଠକେଇ, ଥାନାର ଦ୍ବାରସ୍ଥ ହେଲେ ୭ ଜିଲ୍ଲାର ୩୦ ବିନିଯୋଗକାରୀ

ବାରମ୍ବାର ଆର୍ଥିକ ଠକେଇର ଶିକାର ହେବା ପରେ ବି ଲୋକେ ଚେତୁ ନାହାନ୍ତି। ଲୋଭର ବଶବର୍ତ୍ତୀ ହୋଇ ଫସିଯାଇଛନ୍ତି ୩୦ରୁ ଅଧିକ ଜମାକାରୀ। ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହରାଇବା ପରେ ଆଜି କାଳିଆପାଣି ଥାନାର ଦ୍ବାରସ୍ଥ ହୋଇଛନ୍ତି।

କାଳିଆପାଣି: ବାରମ୍ବାର ଆର୍ଥିକ ଠକେଇର ଶିକାର ହେବା ପରେ ବି ଲୋକେ ଚେତୁ ନାହାନ୍ତି। ଲୋଭର ବଶବର୍ତ୍ତୀ ହୋଇ ଫସିଯାଇଛନ୍ତି ୩୦ରୁ ଅଧିକ ଜମାକାରୀ। ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହରାଇବା ପରେ ଆଜି କାଳିଆପାଣି ଥାନାର ଦ୍ବାରସ୍ଥ ହୋଇଛନ୍ତି। ୨୦୨୧ରୁ ୨୦୨୫ ମଧ୍ୟରେ ଫୋର୍‌ ଏକ୍ସ ଟ୍ରେଡିଂ କମ୍ପାନିରେ ସେମାନେ ନିଜ ସଞ୍ଚିତ ଅର୍ଥ ଲଗାଇଥିଲେ। ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ଏମାନେ ଟଙ୍କା ବିନିଯୋଗ କରି ତଳିତଳାନ୍ତ ହୋଇଛନ୍ତି।

ଯାଜପୁରକେନ୍ଦୁଝର, ଭୁବନେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁରକଟକ ଓ ସମ୍ବଲପୁରର ଏହି ଜମାକାରୀମାନେ ଅର୍ଥ ଫେରସ୍ତ ପାଇଁ ସଂଗ୍ରାମ ମଞ୍ଚ ନାଁରେ ଏକ ସଂଗଠନ ଗଢ଼ିଛନ୍ତି। ୪୦ ଲକ୍ଷ ଟଙ୍କା ହରାଇଥିବା କେନ୍ଦ୍ରାପଡ଼ା ଆଳି ଅଞ୍ଚଳର ତ୍ରିଲୋଚନ ଜେନାଙ୍କ ନେତୃତ୍ବରେ କ୍ଷତିଗ୍ରସ୍ତମାନେ କାଳିଆପାଣି ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଥିଲେ। କାଳିଆପାଣିରେ ଜନସେବା କେନ୍ଦ୍ର ଚଳାଉଥିବା ସ୍ଥାନୀୟ ବ୍ୟକ୍ତି ଏଜେଣ୍ଟ ସାଜି ଏହି ଅର୍ଥ ନିବେଶ କରାଇଥିଲେ। ଅଭିଯୁକ୍ତ ମୋବାଇଲ୍‌ ଫୋନ୍‌ ସୁଇଚ୍‌ଅଫ୍‌ କରି ଫେରାର୍ ହୋଇଯାଇଛି। ତାଙ୍କୁ ଥାନାକୁ ଡକାଇ ସତ୍ୟାସତ୍ୟ ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।
ଯାଜପୁର ଟାଉନ ବିରଜା ମନ୍ଦିର ଅଞ୍ଚଳର ରମାକାନ୍ତ ପୃଷ୍ଟି ସର୍ବାଧିକ ୬୬ ଲକ୍ଷ ଟଙ୍କା ହରାଇଛନ୍ତି। ସେ ଜମି ବିକି ଅର୍ଥ ବିନିଯୋଗ କରିଥିଲେ। ସେହିପରି ବ୍ରାହ୍ମଣୀପାଳର ବାସନ୍ତୀ ମୁର୍ମୁ ୩୧ ଲକ୍ଷ, ଯାଜପୁର ଟାଉନ୍‌ର ପବିତ୍ର ସାହୁ ୨୪.୫ ଲକ୍ଷ, ବଶାଣପୁରର ଅଶୋକ ସେନାପତି ୨୨.୫ ଲକ୍ଷ, ବିରଜାମନ୍ଦିର ଅଞ୍ଚଳର ପୂଜାରାଣୀ ପୃଷ୍ଟି ୫ ଲକ୍ଷ, ଚିତ୍ର‌ରେଖା ମଲ୍ଲିକ ୪.୨ ଲକ୍ଷ, ଗୌତମ ପୃଷ୍ଟି ୩ ଲକ୍ଷ, କୁଆଖିଆର ବଟକୃଷ୍ଣ ଓଝା ୧୯ ଲକ୍ଷ, କେନ୍ଦୁଝର ଝୁମ୍ପୁରାର ନାୟର ଅହମ୍ମଦ ୧୭ ଲକ୍ଷ, କାଳିଆପାଣି ଥାନା କଅଁସ ପଞ୍ଚାୟତର ପୂର୍ବତନ ସମିତିସଭ୍ୟା ମାଇଦି ମୁର୍ମୁ ୧୬ ଲକ୍ଷ, ଘସିପୁରା ଥାନା ନାରଙ୍ଗପୁରର ନମ୍ରତା ଶତପଥୀ ୧୫ ଲକ୍ଷ, ଜଗତସିଂହପୁର ବିସନପୁରର ଅଜୟଲକ୍ଷ୍ମୀ ବେହେରା ୧୪ ଲକ୍ଷ, ଟମକା କିଆଝରର ତ୍ରିଲୋଚନ ମହାନ୍ତ ୧୦ ଲକ୍ଷ, ଦୁଲାଖାପାଟଣାର ବାବାଜୀ ବେହେରା ୪ ଲକ୍ଷ, ଭୁବନେଶ୍ବରର ସୁଦର୍ଶନ ପଟ୍ଟନାୟକ ଓ କୃଷ୍ଣଚନ୍ଦ୍ର ମହାପାତ୍ର ୩.୫ ଲକ୍ଷ ଟଙ୍କା ଲେଖାଏଁ, କେନ୍ଦୁଝର ଟାଉନ ଥାନା ଧାଙ୍ଗରପଡ଼ାର ନିରାକାର ବେହେରା ୧୦.୬ ଲକ୍ଷ, ଅଭୟ କୁମାର ବେହେରା ଓ ଯଶୋବନ୍ତ ପାତ୍ର ୬ ଲକ୍ଷ ଲେଖାଏଁ, ଆଟପୁରର ଦେବ କୁମାର ସାହୁ ୬ ଲକ୍ଷ, ବରୁଣ କୁମାର ବେହେରା ୧୬ ଲକ୍ଷ ଓ ଦୀପକ କୁମାର ସାହୁ ୪ ଲକ୍ଷ ଟଙ୍କା ହରାଇଥିବା ଅଭିଯୋଗ କରିଥିଲେ। ଅନ୍ୟମାନେ ୧ ଲକ୍ଷରୁ ଅଢ଼େଇ ଲକ୍ଷ ମଧ୍ୟରେ ହରାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଧିକାଂଶ ନିବେଶକ ୫-୬ ମାସ ପର୍ଯ୍ୟନ୍ତ କିଛି କିଛି ଟଙ୍କା ଫେରି ପାଇଥିଲେ। ଏହା ପରେ ଲୋଭରେ ପଡ଼ି ଜମିବାଡ଼ି ବିକି ସର୍ବସ୍ବ ହରାଇଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button