Lemon grass: ଦଲାଲଙ୍କ କବଜାରେ ଲେମନ୍‌ ଗ୍ରାସ୍‌ ତେଲ ବଜାର

ସୁଗନ୍ଧ ଓ ଔଷଧୀୟ ଗୁଣ ପାଇଁ ଲେମନ୍‌ ଗ୍ରାସ୍‌ ତେଲର ଚାହିଦା ରହିଛି। ବହୁ ରାଷ୍ଟ୍ରୀୟ କମ୍ପାନି ବାହାର ରାଜ୍ୟ ବ୍ୟବସାୟୀଙ୍କ ଦ୍ବାରା ଏହି ତେଲକୁ ପ୍ରାଥମିକତା ଭିତ୍ତିରେ କିଣି ନେଉଛନ୍ତି।

କୋରାପୁଟ: ସୁଗନ୍ଧ ଓ ଔଷଧୀୟ ଗୁଣ ପାଇଁ ଲେମନ୍‌ ଗ୍ରାସ୍‌ ତେଲର ଚାହିଦା ରହିଛି। ବହୁ ରାଷ୍ଟ୍ରୀୟ କମ୍ପାନି ବାହାର ରାଜ୍ୟ ବ୍ୟବସାୟୀଙ୍କ ଦ୍ବାରା ଏହି ତେଲକୁ ପ୍ରାଥମିକତା ଭିତ୍ତିରେ କିଣି ନେଉଛନ୍ତି। ଯାହାର ଫାଇଦା ଉଠାଉଛନ୍ତି ଦଲାଲ। ଚାଷୀ ବର୍ଷ ତମାମ ଖଟି ଲିଟର ୭୦୦ରୁ ୮୦୦ ଟଙ୍କାରେ ବିକ୍ରି କରୁଥିବା ବେଳେ ଦଲାଲ ଲିଟର ପିଛା ୧୦୦୦ରୁ ୧୨୦୦ ଟଙ୍କାରେ ବିକ୍ରି ୩୦୦ରୁ ଊର୍ଦ୍ଧ୍ବ ଟଙ୍କା ଲାଭ ପାଉଛନ୍ତି।

କୋରାପୁଟ ଜିଲ୍ଲାର ୩୩୨୦ ହେକ୍ଟର ଜମିରେ ହେଉଛି ଲେମନ୍‌ ଗ୍ରାସ୍‌ ଚାଷ। ବନ୍ଧୁଗାଁ ବ୍ଲକ୍‌ରେ ସର୍ବାଧିକ ୧୮୦୦ ହେକ୍ଟର, ନାରାୟଣପାଟଣା ବ୍ଲକ୍‌ରେ ୬୦୦ ହେକ୍ଟର ଏବଂ ଲକ୍ଷ୍ମୀପୁର, ଦଶମନ୍ତପୁର, ଜୟପୁର ଓ କୋଟପାଡ ବ୍ଲକରେ ୯୦୦ ହେକ୍ଟର ଜମିରେ ଲେମନ୍‌ ଗ୍ରାସ୍‌ ଚାଷ କରିଛନ୍ତି ୪୫୦୦ରୁ ଊର୍ଦ୍ଧ୍ବ ଚାଷୀ। ବ‌ର୍ଷକୁ ୩୬୦ ମେଟ୍ରିକ୍‌ ଟନ୍ ଲେମନ୍‌ ଗ୍ରାସ୍‌ ତୈଳ ଉତ୍ପାଦନ ହେଉଥିବାରୁ ଅଞ୍ଚଳରେ ୨୦୦ରୁ ଊର୍ଧ୍ବ ତୈଳ ପ୍ରକ୍ରିୟାକରଣ ୟୁନିଟ୍‌ ରହିଛି। ଜାତୀୟ ଦର ଅନୁଯାୟୀ ‌ଲେମନ୍‌ ଗ୍ରାସ୍‌ର ବଜାର ମୂଲ୍ୟ ଲିଟର ପିଛା ୧୨୦୦ରୁ ୧୩୦୦ ଟଙ୍କା ରହିଛି। ହେଲେ ଦଲାଲ ଚାଷୀଙ୍କଠୁ ଲିଟର ପିଛା ୪୦୦ରୁ ୫୦୦ ଟଙ୍କା କମ୍‌ରେ କିଣୁଛନ୍ତି। ବନ୍ଧୁଗାଁ ବ୍ଲକର ଚାଷୀ ଏସ୍‌. ନାଗରାଜୁ କହିଛନ୍ତି, ପୂର୍ବରୁ ୧୫ ଏକର ଜମିରେ ଲେମନ୍‌ ଗ୍ରାସ୍‌ ଚାଷ କରୁଥିଲେ। ବର୍ଷକୁ ୪ ଥର ଅମଳ କରିବା ସହ ଏକର ପିଛା ୧୦୦ରୁ ୧୫୦ ଲିଟର ପର୍ଯ୍ୟନ୍ତ ତେଲ ଉତ୍ପାଦନ କରୁଥିଲେ। ସେହି ସମୟରେ ଦର ଲିଟର ପିଛା ୧୬୦୦ରୁ ୧୭୦୦ ଟଙ୍କା ପର୍ଯ୍ୟନ୍ତ ଥିଲା। ଏବେ ଖର୍ଚ୍ଚ ବଢ଼ିବା ସାଙ୍ଗକୁ ଏକର ପିଛା ଉତ୍ପାଦନ କମ୍‌ ରହୁଥିବା ବେଳେ ଦର ୧୦୦୦ ରୁ ୧୧୦୦ ଟଙ୍କାକୁ ଖସି ଆସିଛି। ଚାଷ ଖର୍ଚ୍ଚ ଅନୁଯାୟୀ ଲାଭ ମିଳୁନଥିବାରୁ ଗତ ଦୁଇ ବର୍ଷ ହେବ ନାଗରାଜୁ ଚାଷ ବନ୍ଦ କରି ଦେଇଛନ୍ତି। ଓରମାସର ଯୁଗ୍ମ ସିଇଓ ଏ. ଉମା ମହେଶ କହିଛନ୍ତି, ଓରମାସ ପାଖରେ ୩ ଟନ ତେଲ ଗଚ୍ଛିତ ରହିଛି। ଚାଷୀଙ୍କୁ ଲାଭନ୍ବିତ କରିବା ପାଇଁ ଓରମାସ ଲିଟର ପିଛା ୧୨୫୦ରୁ ୧୩୦୦ ଟଙ୍କାରେ କିଣୁଛି।
ସୌଜନ୍ୟ ସମ୍ବାଦ
Exit mobile version