Cyber ​​fraud: ୫ କୋଟିର ସାଇବର୍ ଠକେଇ

କଟକ: ୫ କୋଟି ଟଙ୍କାର ସାଇବର୍ ଠକେଇ ମାମଲାରେ ଦୁଇ କୁଖ୍ୟାତ ସାଇବର୍ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲା ସିଲିଗୁଡ଼ିର କିରଣ ଗୁରୁଙ୍ଗ(୫୫) ଓ ପ୍ରଧାନନଗର ଅଞ୍ଚଳର ରଣଧିର କୁମାର ଦେ(୪୬)।

ସୂଚନା ଅନୁଯାୟୀ, ଭୁବନେଶ୍ବରର ଜଣେ ବଡ଼ ନିବେଶକ ଅନ୍‌ଲାଇନ୍‌ରେ ସାଇବର୍ ଅପରାଧୀଙ୍କ ସମ୍ପର୍କରେ ଆସିଥିଲେ। ସାଇବର ଅପରାଧୀମାନେ ଅଧିକ ସୁଧର ଲୋଭ ଦେଖାଇ ନିବେଶକଙ୍କୁ ଟଙ୍କା ନିବେଶ କରିବାକୁ କହିଥିଲେ। ୨୦୨୫ ମାର୍ଚ୍ଚ ୧୭ରୁ ୨୦ ଦିନ ଭିତରେ ଏକାଧିକ ପର୍ଯ୍ୟାୟରେ ୫ କୋଟି ୧୪ ଲକ୍ଷ ଟଙ୍କା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଥିଲେ। କିନ୍ତୁ ଯେତେବେଳେ ନିବେଶକ ଟଙ୍କା ଉଠାଣ ପାଇଁ ଉଦ୍ୟମ କରିଥିଲେ ସେତେବେଳେ ତାଙ୍କୁ ଅନୁମତି ଦିଆଯାଇନଥିଲା। ଅତିରିକ୍ତ ଟଙ୍କା ଜମା କରିବାକୁ  କୁହାଯାଇଥିଲା। ଏ ନେଇ ୨୦୨୫ ଏପ୍ରିଲ ୯ରେ ଭୁବନେଶ୍ବରର ନିବେଶକ ଅଭିଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଇନ୍‌ସ୍ପେକ୍ଟର ରାଜକିଶୋର ବେହେରାଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଥିଲା। ବ୍ୟାଙ୍କକୁ ଯାଇଥିବା ଟଙ୍କା ସମ୍ପର୍କରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ ଆରମ୍ଭ କରିଥିଲା। ଦାର୍ଜିଲିଂ ଲିଙ୍କ୍ ପାଇବା ପରେ ସେଠାରେ ଚଢ଼ଉ କରି ଉପରୋକ୍ତ ଦୁଇ ସାଇବର୍ ଅପରାଧୀଙ୍କୁ କାବୁ କରିଥିଲା। କ୍ରାଇମବ୍ରାଞ୍ଚ ଦାର୍ଜିଲିଂରେ ଚଢ଼ଉ ସମୟରେ ଅପରାଧରେ ବ୍ୟବହାର ହୋଇଥିବା ମୋବାଇଲ୍ ଫୋନ୍, ସିମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ ସମେତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଉଭୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଦାର୍ଜିଲିଂ ସିଲିଗୁଡ଼ିର ଆଡିସନାଲ୍ ଚିଫ୍ ଜୁଡିଆଲ୍ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। ପରେ ଟ୍ରାନଜିଟ୍ ରିମାଣ୍ଡରେ ସେମାନଙ୍କୁ ଆଣି ଭୁବନେଶ୍ବର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବା ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।

 

 

 

ସୌଜନ୍ୟ ସମ୍ବାଦ