Accident, 4 Persons Death: ଟ୍ରକରେ ପିଟିହେଲା ନାଇଟ୍ ବସ୍, ଦୁର୍ଘଟଣାରେ ଗଲା ୪ ଜୀବନ

ଦଶରଥପୁର(ଚନ୍ଦ୍ରଶେଖର ସାହୁ): ରାଉରକେଲାରୁ ଯାଜପୁର ମଙ୍ଗଳପୁର ଆସୁଥିବା ଘରୋଇ ବସ ପ୍ରମିଳା ଗତକାଲି ରାତ୍ରୀ ପ୍ରାୟ ୯. ୧୦ ରେ  ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ୧୪୩ ନମ୍ବର ଜାତୀୟ ରାଜପଥ ଚାନ୍ଦିପୋଷ ଥାନା ଅନ୍ତର୍ଗତ ମୂଷାବୀରା ଠାରେ ବସ ଚାଳକ ଭାରସାମ୍ୟ ହରାଇ ଡିଭାଇଡର ଅତିକ୍ରମ କରି ଡାହାଣ ପଟୁ ଆସୁଥିବା ଏକ ଲୁହା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା କରିଥିଲେ। ଏଥିରେ ମୋଟ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବସର ୨ ଡ୍ରାଇଭର, ହେଲ୍ପର ସମେତ ଟ୍ରକ ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଆହତ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ପରିବାର ଲୋକ ଘଟଣା ସ୍ଥଳରେ ଅଛନ୍ତି

ମୃତକ ଡ୍ରାଇଭର ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଗ୍ରାମ ନନ୍ଦିପୁର ପଞ୍ଚାୟତ ମନ୍ଦାରଖଣ୍ଡ ଗ୍ରାମର ବସ ଡ୍ରାଇଭର ମାନସ ରଂଜନ ପଣ୍ଡା ଓରଫ ବୁବା (୩୫)। ତାଙ୍କର  ବାପା, ମା, ବଡ଼ ଭଉଣୀ ଅଛନ୍ତି। ତାଙ୍କ ପରିବାର ଲୋକ ଘଟଣା ସ୍ଥଳରେ ଅଛନ୍ତି। ସେହିପରି ଅନ୍ୟ ଜଣେ ଡ୍ରାଇଭର ହେଉଛନ୍ତି ଗାଡିର ଦ୍ୱିତୀୟ ଚାଳକ ଭାବେ କ୍ୟାବିନରେ ଥିବା ଦଶରଥପୁର ବ୍ଲକ ମଲିକାପୁର ପଞ୍ଚାୟତ ପୁରୁଣାସାହି  ଗ୍ରାମର  ନିରଞ୍ଜନ ରାଉତ ଓରଫ ବାଇନ (୫୩)। ତାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଏହାଛଡା ହେଲ୍ପର ଜଣକ ଦଶରଥପୁର ବ୍ଲକ ମଙ୍ଗଳପୁର ପଞ୍ଚାୟତ ବଜରା ପାଟ ଗ୍ରାମର ଶିବ ପ୍ରସାଦ ନାୟକ (୫୨)ଙ୍କ ମୃତ୍ୟୁ ଘଟିଛି।  ତାଙ୍କର ୨ ଝିଅ ଗୋଟେ ପୁଅ ଅଛନ୍ତି। ଘଟଣା ସ୍ଥଳରେ ବଡ଼ ପୁଅ ଏବଂ ଆତ୍ମୀୟ ସ୍ବଜନ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ କଣ୍ଡକ୍ଟର ଜଣକ ଗୁରୁତର ଆହତ ଅଛନ୍ତି। ଦୁର୍ଘଟଣାରେ ତାଙ୍କର ମୁଣ୍ଡ ଫାଟି ଥିବାବେଳେ ବାମ ହାତ ଭାଙ୍ଗିଯାଇଛି। ସେ ଦଶରଥପୁର ବ୍ଲକ ଖଣ୍ଡରା ପଞ୍ଚାୟତ କଣ୍ଡକ୍ଟର ଅକ୍ଷୟ ଗେଡି  (୪୭)। ଅନ୍ୟ ଆହତମାନେ ନିକଟସ୍ଥ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ସୂଚନା ମିଳିଛି।.

 

 

 

ସୌଜନ୍ୟ ସମ୍ବାଦ