ରାଜ୍ୟ

Cyclone: ସମ୍ଭାବ୍ୟ ବାତ୍ୟା-ବର୍ଷା ଭୟ, ଧାନ କାଟିବାକୁ ଚାଷୀ ତରତର; ମିଳୁନାହାନ୍ତି କୃଷି ଶ୍ରମିକ

ମାତ୍ର ୧୭ ଦିନ ତଳେ ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣବ ପ୍ରଭାବରେ ପ୍ରଳୟଙ୍କରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ବିଶେଷକରି ଭଞ୍ଜନଗର ଉପଖଣ୍ଡ ଅଧୀନ ଭଞ୍ଜନଗର ଏବଂ ଆସିକା ସହର ସମେତ ସୋରଡ଼ା, ଧରାକୋଟ, ବେଲଗୁଣ୍ଠା...

ଭଞ୍ଜନଗର (ବିଶ୍ବମ୍ବର ଜେନା): ମାତ୍ର ୧୭ ଦିନ ତଳେ ଗଞ୍ଜାମ ଜିଲ୍ଲାରେ ଅର୍ଣ୍ଣବ ପ୍ରଭାବରେ ପ୍ରଳୟଙ୍କରୀ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ବିଶେଷକରି ଭଞ୍ଜନଗର ଉପଖଣ୍ଡ ଅଧୀନ ଭଞ୍ଜନଗର ଏବଂ ଆସିକା ସହର ସମେତ ସୋରଡ଼ା, ଧରାକୋଟ, ବେଲଗୁଣ୍ଠା ଓ ଶେରଗଡ଼ ବ୍ଲକରେ ବନ୍ୟା ତାଣ୍ଡବଲୀଳା ରଚାଇଥିଲା। ଏକର ଏକର ଜମିରେ ପଟୁ ମାଟି ଜମିଥିବା ବେଳେ କିଛି ଜମିରେ ବନ୍ୟାପାଣି ପଶି ଧାନଫସଲ ମଧ୍ୟ ନଷ୍ଟ ହୋଇଥିଲା। ତଥାପି ଚାଷୀ ଫସଲକୁ ସୁରକ୍ଷା ଦେବା ସହ ଅମଳ ପାଇଁ ଅଣ୍ଟା ଭିଡ଼ୁଥିବା ବେଳେ ଏବେ ସମ୍ଭାବ୍ୟ ‘ଅକ୍‌ଭାନ୍‌’ ବାତ୍ୟା ପାଇଁ ସତର୍କଘଣ୍ଟି ବାଜିଲାଣି।

ପ୍ରଶାସନ ପକ୍ଷରୁ ସ୍ଥିତି ମୁକାବିଲା ପାଇଁ ପୂର୍ବାପେକ୍ଷା ଅଧିକ ତତ୍ପରତା ଦେଖାଦେଇଥିଲେ ହେଁ, ପ୍ରବଳ ବର୍ଷା ହେଲେ ବଞ୍ଚିଥିବା ଫସଲକୁ କିଭଳି ସୁରକ୍ଷା ଦିଆଯିବ ଚାଷୀ ମନରେ ଏବେ ଏହି ଚିନ୍ତା ଘାରିଛି। ଅନେକ ଜାଗାରେ ତରବରିଆ ଭାବେ ଚାଷୀ ପାଚିଲା ଓ ଦରପାଚିଲା ଧାନକୁ କାଟିବାକୁ ପ୍ରସ୍ତୁତ ହେଉଛନ୍ତି। କିନ୍ତୁ ଏଥିରେ କୃଷି ଶ୍ରମିକ ଆଉ ଏକ ବାଧକ ସାଜିଛି।

ଭଞ୍ଜନଗର ବ୍ଲକ କଥାକୁ ବିଚାରରେ ନେଲେ, ଲୋହରାଖଣ୍ଡି ନଦୀ ଅବବାହିକାରେ ରହିଥିବା ସାନକୋଦଣ୍ଡା, ବଡ଼କୋଦଣ୍ଡା, ବାଉଁଶଲୁଣ୍ଡି ଓ ଜିଲୁଣ୍ଡି ଏବଂ ବେଲଗୁଣ୍ଠା ବ୍ଳକର ଇଙ୍ଗିନାଠି ପଞ୍ଚାୟତର ଅନେକ ଚାଷଜମି ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଅଲଗା ପଞ୍ଚାୟତର ଜମିରେ ମଧ୍ୟ ପ୍ରବଳ ପାଣି ବୋହିଥିଲେ ମଧ୍ୟ ପାଣି ଛିଣ୍ଡିବା ପରେ ଫସଲକୁ ସୁରକ୍ଷା ଦେବାକୁ ଚାଷୀ ଅଣ୍ଟା ଭିଡ଼ିଛି। ଧାନ କାଟି ସୁରକ୍ଷିତ ସ୍ଥାନକୁ ନେବାକୁ କସରତ ଆରମ୍ଭ‌ ହୋଇଛି। କାରଣ ପ୍ରବଳ ବର୍ଷା ଓ ପବନ ହେଲେ ପାଚିଲା ଧାନଗଛ ‌ଲୋଟିବା ସହ ଜମିରୁ ପାଣି ନିଷ୍କାସନ ହୋଇ ନପାରି ଫସଲ ନଷ୍ଟ ହେବ। ଅମଳ ହୋଇଥିବା ଧାନ ଓଦା ହେବା ଆଶଙ୍କା ରହିଛି। କିନ୍ତୁ ବର୍ଷାର ପ୍ରଭାବ କେତେ ର‌ହିବ ଏବଂ ପରେ ଫସଲର ସ୍ଥିତି କ’ଣ ହେବ ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।

ଚାଷୀ ଶଶୀ ଗୌଡ଼ ଓ ସନ୍ଧ୍ୟା ପରିଚ୍ଛା କହିଛନ୍ତି, ଆଉ କିଛି ଦିନ ପରେ ଧାନ ପୂରା ପାଚିଥା’ନ୍ତା। କିନ୍ତୁ ବର୍ଷା ହେଲେ ସବୁ ଉଜୁଡ଼ିଯିବ। ତେଣୁ ଧାନ କାଟି ମେସିନ୍‌ରେ ମଳାଇ, କିଭଳି ସୁରକ୍ଷିତ ଜାଗାକୁ ନେବୁ ସେଥିପାଇଁ ଚେଷ୍ଟା କରୁଛୁ। ଚାଷୀ ଅମୂଲ୍ୟ ସାହୁ କହିଛନ୍ତି ଏବେ ସମସ୍ତେ ଅମଳ କରୁଥିବାରୁ କୃଷି ଶ୍ରମିକ ମିଳିବା କଷ୍ଟକର ହୋଇ ପଡ଼ିଛି। ୭୦ ଭରଣରେ ଚାଷ କରିଥିବା ବେଳେ ଦିନକୁ ଦିନ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ହ୍ରାସ ହେଉଛି। କିଭଳି ବର୍ଷା ପୂର୍ବରୁ ଅମଳ ହେବ ସେହି ଚିନ୍ତାରେ ରହିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button