ପୁନଶ୍ଚ ପୃଥିବୀ

Rare plant: ବିରଳ ଉଦ୍ଭିଦ: ବ୍ଲିଡିଂ ହାର୍ଟ ଫୁଲ

ପ୍ରକୃତିର ଅନନ୍ୟ ସୃଷ୍ଟିମାନଙ୍କ ମଧ୍ୟରୁ ବ୍ଲିଡିଂ ହାର୍ଟ ଏକ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଫୁଲ ଗଛ। ଅନନ୍ୟ ଏହାର ରୂପ ଓ ସୌନ୍ଦର୍ଯ୍ୟ। ଏହି ଉଦ୍ଭିଦ ବିଶ୍ୱର ବିଭିନ୍ନ ବଗିଚାରେ ଏକ ବିଶେଷ ସ୍ଥାନ ଅଧିକାର କରିଛି। ଏହି ଉଦ୍ଭିଦର ବିଶେଷ ଆକର୍ଷଣ ହେଉଛି ଏହାର ଫୁଲର ଆକୃତି ହୃଦୟ ପରି। ଫୁଲର ତଳ ଭାଗରେ ଝୁଲିଥିବା ବୁନ୍ଦା ଏକ ରକ୍ତବୁନ୍ଦା ଭଳି ଦେଖାଯାଏ। ଏହି ଅଦ୍ଭୁତ ଆକୃତି ଯୋଗୁଁ ଏହାକୁ ‘ବ୍ଲିଡିଂ ହାର୍ଟ’ ନାମ ଦିଆଯାଇଛି। ବୈଜ୍ଞାନିକ ଭାବରେ ଏହି ଗଛକୁ ‘ଲାମ୍ପ୍ରୋକାପନୋସ୍ ସ୍ପେକ୍ଟାବିଲିସ୍’ ବୋଲି କୁହାଯାଏ। ଏହି ଫୁଲ ମୂଳତଃ ସାଇବେରିଆ, ଜାପାନ ଓ ଚୀନ୍‌‌େର ଦେଖାଯାଏ। ସାଧାରଣତଃ ଏହି ଫୁଲ ବସନ୍ତର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭରେ ଫୁଟେ। ମାତ୍ର କେତେକ ଅଞ୍ଚଳରେ ସବୁ ଋତୁରେ ଏହି ଫୁଲ ଦେଖିବାକୁ ମିଳେ।

ବ୍ଲିଡିଂ ହାର୍ଟର ଗୋଲାପୀ ରଙ୍ଗର ହୃଦୟ ଆକୃତିର ଫୁଲଗୁଡ଼ିକ ତୋରଣ ଭଳି ଗଛ କାଣ୍ଡରୁ ଝୁଲିଥାଏ। ଏହାର ତଳ ଭାଗରେ ଥିବା ସ୍ଫଟିକ ସଦୃଶ ଛୋଟ ବୁନ୍ଦା ଫୁଲକୁ ଆହୁରି ଆକର୍ଷଣୀୟ କରିଥାଏ। ଏହି ଫୁଲ ଯେକୌଣସି ବଗିଚାକୁ ରୋମାଣ୍ଟିକ ଓ ସୁନ୍ଦର ପରିବେଶ ଦେଇଥାଏ। ଶତାବ୍ଦୀ ଶତାବ୍ଦୀ ଧରି ବ୍ଲିଡିଂ ହାର୍ଟ ପ୍ରେମ, କରୁଣା ଓ ଗଭୀର ସ୍ନେହର ପ୍ରତୀକ ଭାବେ ପରିଚିତ। ସୌନ୍ଦର୍ଯ୍ୟ ସହିତ ଏହି ଗଛର କିଛି ଔଷଧୀୟ ଗୁଣ ମଧ୍ୟ ରହିଛି ବୋଲି ବିଶ୍ୱାସ କରାଯାଏ। କେତେକ ପାରମ୍ପରିକ ଚିକିତ୍ସା ପ୍ରଣାଳୀରେ ଏହାକୁ ପ୍ରଦାହ କମାଇବା ଓ ଯନ୍ତ୍ରଣା ହ୍ରାସ ପାଇଁ ବ୍ୟବହାର କରାଯାଏ। ଏହି ଗଛର ସଂଖ୍ୟା ବଢ଼ାଇବା ପାଇଁ ଏହାକୁ ବିଭାଜନ ପ୍ରଣାଳୀରେ ପ୍ରଜନନ କରାଯାଏ। ଗଛକୁ ସତର୍କତାର ସହିତ ଖୋଳି ଛୋଟ ଛୋଟ ଅଂଶରେ ବିଭକ୍ତ କରି ପୁନର୍ବାର ଲଗାଯାଇପାରେ। ବ୍ଲିଡିଂ ହାର୍ଟ ଛାୟାଯୁକ୍ତ ସ୍ଥାନରେ ଭଲ ଭାବରେ ବଢ଼େ ଓ ବିଭିନ୍ନ ଜଳବାୟୁ ସହ ସହଜରେ ଖାପ ଖୁଆଇପାରେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button