ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ସହରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଝିଅ ଦୃଷ୍ଟିହୀନ ଦିବ୍ୟାଙ୍ଗ ହୋଇଥିଲେ ହେଁ ବଡ଼ ମା’ ତାଙ୍କ ଆଖି ସାଜି ବାଟ କଢ଼େଇ ନେଉଛନ୍ତି। ଭିକ୍ଷାବୃତ୍ତି କରି ବଂଚୁଥିଲେ ହେଁ ଉଭୟଙ୍କ ମଧ୍ୟରେ ରହିଛି ପ୍ରେମ ଓ ସ୍ନେହର ନିବୀଡ଼ତା। ଆଜିର ଦୁନିଆରେ ଭଉଣୀର ଦିବ୍ୟାଙ୍ଗ ଦୃଷ୍ଟିହୀନ ଝିଅକୁ ନିଜ ଝିଅ ଭଳି ପାଳନ କରି ପୋଷଣ କରିବା ଭଳି ସଂପର୍କ କ୍ବିଚିତ୍।
ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ପଂଚାୟତର ନୂଆଗଡ ଗାଁର ଡମୁଣୀ ଗୌଡ ନାମକ ଜଣେ ଦୃଷ୍ଟିହୀନ ଦିବ୍ୟାଙ୍ଗ ବୟସ୍କ ଝିଅଙ୍କ ଆଖି ସାଜିଛନ୍ତି ବଡ଼ ମା’ ଧନମତୀ ଗୌଡ। ୭୦ବର୍ଷ ବୃଦ୍ଧାବସ୍ଥାରେ ସେ ତାଙ୍କ ଝିଆରୀ ଡମୁଣୀଙ୍କ ହାତ ଧରି ବାଟ କଡ଼ାଇ ନେଉଛନ୍ତି। ଜନ୍ମରୁ ଡମୁଣୀ ଦିବ୍ୟାଙ୍ଗ। ବାପା, ମା’ ଥିବା ଯାଏଁ ଭଲ ଭାବେ ଚଳି ଆସୁଥଲେ। ଗତ ୫ବର୍ଷ ତଳେ ବାପା ଓ ମା’ଙ୍କ ମୃତ୍ୟୁ ପରେ ଏକା ହୋଇଯାଇଥିଲେ ଡମୁଣୀ। କେହି ସାହା ନଥିଲେ କି ଆହା ପଦେ କେହି କହୁନଥିଲେ। ଅସହାୟ ଅବସ୍ଥାରେ ଥିବା ସମୟରେ ଏହି ବ୍ଲକର ସରୁଗୁଡା ଗାଁରେ ଥିବା ବଡ଼ ମା’ ଧନମତୀ ଗାଁ, ଘର ଛାଡି ଝିଆରୀକୁ ଝିଅ ଭଳି ସମ୍ଭାଳିବାକୁ ପଳାଇ ଆସିଥିଲେ।
ଅସହାୟ ଧନମତୀ
ଧନମତୀ ମଧ୍ୟ ଗାଁରେ ଅସହାୟ ଅବସ୍ଥାରେ ରହୁଥିଲେ। ଏବେ ଉଭୟ ଏକାଠି ନୂଆଗଡ ଗାଁରେ ରହୁଛନ୍ତି। ଡମୁଣୀ ଦିବ୍ୟାଙ୍ଗ ଦୃଷ୍ଟିହୀନ ହୋଇଥିଲେ ସୁଦ୍ଧା ତାଙ୍କୁ ସାଧାରଣ ଲୋକଙ୍କ ଭଳି ୫କିଲୋ ଚାଉଳ ମିଳୁଛି। ଅନ୍ତୋଦ୍ୟାୟ ଯୋଜନାରେ ସାମିଲ କରାଯାଇ ନାହିଁ। ଭତ୍ତା ୩ହଜାର ଟଙ୍କା ମିଳୁଛି। ସେହିପରି ଧନମତୀଙ୍କୁ ବାର୍ଦ୍ଧକ୍ୟଭତ୍ତା ଏକ ହଜାର ଟଙ୍କା ମିଳୁଛି। ଚାଉଳ ମିଳୁନି। ଉଭୟଙ୍କ ଭତ୍ତା ସଠିକ ସମୟରେ ଭତ୍ତା ମିଳୁ ନାହିଁ। ମହରଗ ଯୁଗରେ ଚଳିବା ମୁସ୍କିଲ। ବୟସର ସାୟାହ୍ନରେ ଧନମତୀ ବି ଆଉ ଦିନ ମଜୁରିଆ ଭାବେ କାମ କରି ପାରୁନାହାନ୍ତି। ଦୃଷ୍ଟିହୀନ ଦିବ୍ୟାଙ୍ଗ ଝିଅ ଡମୁଣୀଙ୍କୁ ଘରେ ଏକା ଛାଡ଼ିଲେ ହଇରାଣ ହରକତ ହେବେ। ତେଣୁ ଝିଅ ଡମୁଣୀଙ୍କୁ ସବୁ ଦିନ ସାଙ୍ଗରେ ଧରି ସହରକୁ ଭିକ୍ଷାବୃତ୍ତି କରିବାକୁ ଧନମତୀ ଆସୁଥିବା କହିଛନ୍ତି। ପ୍ରବଳ ଶୀତକୁ ଖାତିର ନକରି ମୁଣ୍ଡରେ ଉଭୟ କନା ଖଣ୍ଡିକ କାନକୁ ଗୁଡାଇ ୫କିଲୋମିଟର ଚାଲିଚାଲି ସହରକୁ ଆସିଥିବା ବେଳେ ପୁଣି ୫କିଲୋମିଟର ଚାଳିଚାଳି ନୂଆଗଡ଼ରେ ଥିବା ଘରକୁ ପେରୁଥିବା ଦେଖିବାକୁ ମିଳିଛି। ଜିଲ୍ଲାପ୍ରଶାସନ, ବଦାନ୍ୟବ୍ୟକ୍ତି ଏଭଳି ଅସହାୟଙ୍କ ଉପରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।
ସୌଜନ୍ୟ ସମ୍ବାଦ
