ବଲିଉଡର ବହୁପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’ର ଟିଜର ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନେତା ରଣବୀର କପୁରଙ୍କ ପ୍ରଥମ ଝଲକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ, ଏବେ ଏହାକୁ ନେଇ ନିଜର ମତ ରଖିଛନ୍ତି ଟେଲିଭିଜନ ଜଗତର ପ୍ରସିଦ୍ଧ ‘ସୀତା’ ଅର୍ଥାତ ଦୀପିକା ଚିଖଲିଆ। ରମାନନ୍ଦ ସାଗରଙ୍କ କାଳଜୟୀ ଧାରାବାହିକ ‘ରାମାୟଣ’ରେ ମାତା ସୀତାଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଦୀପିକା ଚିଖଲିଆ, ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ମେଗା ବଜେଟ୍ ଫିଲ୍ମର ଟିଜରକୁ ପ୍ରଶଂସା କରିଛନ୍ତି।
ଏକ ସାକ୍ଷାତକାରରେ ସେ କହିଛନ୍ତି, “ମୁଁ ଟିଜରଟି ଦେଖିଲି, ଏହା ଅତ୍ୟନ୍ତ ଭବ୍ୟ ହୋଇଛି। ଫିଲ୍ମଟି ବହୁତ ରିଚ୍ ଏବଂ ସୁନ୍ଦର ଦେଖାଯାଉଛି। ନିର୍ମାତାମାନେ ଏହାକୁ ଖୁବ୍ ଯତ୍ନର ସହ ପ୍ରସ୍ତୁତ କରିଛନ୍ତି। ମୁଁ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛି।” ପ୍ରାୟ ୪,୦୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଫିଲ୍ମ ଭାରତୀୟ ସିନେମା ଇତିହାସର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ହେବାକୁ ଯାଉଛି।୨ ମିନିଟ୍ ୩୮ ସେକେଣ୍ଡର ଏହି ଟିଜରରେ ରଣବୀର କପୁରଙ୍କୁ ଶ୍ରୀରାମଙ୍କ ବିଭିନ୍ନ ଅବତାରରେ ଦେଖିବାକୁ ମିଳିଛି ଅସୁର ସଂହାର ଠାରୁ ଆରମ୍ଭ କରି ବନବାସ ପର୍ଯ୍ୟନ୍ତ।
ଏଥିରେ ରଣବୀରଙ୍କ ସହ ସୀତା ଭୂମିକାରେ ସାଇ ପଲ୍ଲବୀ, ହନୁମାନ ଭୂମିକାରେ ସନ୍ନି ଦେଓଲ ଏବଂ ରାବଣ ଭୂମିକାରେ ଦକ୍ଷିଣୀ ସୁପରଷ୍ଟାର ୟଶ୍ ନଜର ଆସିବେ। ନିର୍ମାତା ନମିତ ମାଲହୋତ୍ରାଙ୍କ ସୂଚନା ଅନୁସାରେ, ଏହି ମେଗା ପ୍ରୋଜେକ୍ଟ ଦୁଇଟି ଭାଗରେ ମୁକ୍ତିଲାଭ କରିବ। ପ୍ରଥମ ଭାଗଟି ୨୦୨୬ ଅକ୍ଟୋବର (ଦୀପାବଳି ପୂର୍ବରୁ) ଏବଂ ଦ୍ୱିତୀୟ ଭାଗଟି ୨୦୨୭ ଦୀପାବଳି ସମୟରେ ପରଦାକୁ ଆସିବ। ବର୍ତ୍ତମାନ ସାରା ଦେଶରେ ରଣବୀରଙ୍କ ଏହି ‘ରାମାୟଣ’ ଅବତାରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୌଜନ୍ୟ Prameya News7
