ନୂଆଦିଲ୍ଲୀ ୦୩।୦୪: ଜଣାଶୁଣା ଅଭିନେତା ପ୍ରକାଶ ରାଜଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ଗତ ୨୯ ତାରିଖରେ ତାଙ୍କ ମାଆ ସୁବର୍ଣ୍ଣଲତାଙ୍କ ୮୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଖ୍ରୀଷ୍ଟିଆନ୍ ରୀତି ନୀତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଯାହାକୁ ନେଇ ଏକ ପୁରୁଣା ଭିଡିଓକୁ ଯୋଡ଼ି ସୋସିଆଲ ମିଡିଆରେ ପ୍ରକାଶ ରାଜଙ୍କୁ ଟ୍ରୋଲ କରାଯାଉଛି । ସେ ନିଜ ନାସ୍ତିକ ବୋଲି କହୁଥିବା ଏବଂ ଭଗବାନଙ୍କ ଉପରେ ବିଶ୍ବାସ କରୁନଥିବା କଥା କହିଥିଲେ । ଯାହାକୁ ନେଇ ଟ୍ରୋଲ କରାଯାଉଥିବାବେଳେ ଏହାର ଜବାବ ରଖିଛନ୍ତି ଏହି ଭେଟେରାନ ଅଭିନେତା ।
ପ୍ରକାଶ ରାଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି, ହଁ ମୁଁ ଭଗବାନଙ୍କୁ ବିଶ୍ବାସ କରେ ନାହିଁ । କିନ୍ତୁ ମୋ ତାଙ୍କ ଭଗବାନଙ୍କୁ ମାନୁଥିଲେ। ତାଙ୍କ ବିଶ୍ବାସ ଅନୁସାରେ ଅନ୍ତିମ ସଂସ୍କାର କରାଯାଇଛି । ଆମେ ପରସ୍ପରକୁ ଦେଉଥିବା ସମ୍ମାନ ଅନୁସାରେ ମାଆଙ୍କ ସମାଧି ଦିଆଯାଇଛି । କିନ୍ତୁ ଯେଉଁମାନେ ଘୃଣାକୁ ପ୍ରଚାର କରୁଛନ୍ତି ସେମାନେ କଣ ଏହାକୁ ବୁଝି ପାରିବେ କି ? ଏଭଳି କହି ଟ୍ରୋଲରମାନଙ୍କୁ ଜବାବ ଦେଇଛନ୍ତି ପ୍ରକାଶ ରାଜ ।
ଗତ ୩୦ ତାରିଖରେ ନିଜ ମାଆଙ୍କ ଅନ୍ତିମ ସଂସ୍କାର ଖ୍ରୀଷ୍ଟିଆନ ରୀତି ନୀତି ଅନୁସାରେ କରିଛନ୍ତି ପ୍ରକାଶ ରାଜ୍ । କିନ୍ତୁ ନିଜକୁ ସେ ନାସ୍ତିକ କହୁଥିବାବେଳେ କିଭଳି ଏକ ଧର୍ମକୁ ବିଶ୍ବାସ କଲେ ଏହାକୁ ନେଇ ଏକ ପୁରୁଣା ଭିଡିଓ ସହ ଟ୍ରୋଲ କରାଯାଉଛି । ସେ ଏକ ପୁରୁଣା ଭିଡିଓରେ କହିଥିଲେ କି, ମୁଁ ଠାକୁରଙ୍କୁ ବିଶ୍ବାସ କରେ ନାହିଁ । ମୋ ପାଖରେ ସମୟ ନାହିଁ ଇଶ୍ବର ଅଛନ୍ତି ବୋଲି ବିଶ୍ବାସ କରିବା ପାଇଁ ଯଥେଷ୍ଟ ସମୟ ଲାଗିଥାଏ । ମୁଁ ଏହି ଦୁନିଆରେ କେବଳ ମଣିଷମାନଙ୍କ ସହ ବଞ୍ଚେ ।
ସେପଟେ ପ୍ରକାଶ ରାଜଙ୍କ ପୋଷ୍ଟ ପରେ ୟୁଜର୍ସମାନେ ପ୍ରଶ୍ନ ଉଠାଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, ଯଦି ତୁମେ ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ଅନ୍ତିମ ସଂସ୍କାର କଲ ତାହେଲେ ଗୋଟିଏ ଧର୍ମକୁ ବିଶ୍ବାସ କରୁଛ । କିନ୍ତୁ ଏତେ ବର୍ଷ ଧରି ହିନ୍ଦୁ ଦେବତାଙ୍କୁ କାହିଁକି ଉପହାସ କରୁଛ ଏବଂ ଅନ୍ଧବିଶ୍ବାସ ବୋଲି କହୁଛ । ଯଦି ତୁମେ ତୁମ ମାଆଙ୍କ ବିଶ୍ବାସ ଉପରେ ବିଶ୍ବାସ ରଖିଛ ସେମିତି ହିନ୍ଦୁ ଧର୍ମର ପ୍ରତ୍ୟେକ ଲୋକ ଭଗବାନଙ୍କ ଉପରେ ବିଶ୍ବାସ ରଖିଛନ୍ତି ।
ସୌଜନ୍ୟ Prameya News7
