Disability pension: ୬ ମାସ ହେଲା ମିଳୁନି ଭିନ୍ନକ୍ଷମ ଭତ୍ତା: ସରକାର! ମୁଁ ଆଉ ବଞ୍ଚିବି କାହିଁକି?
ସରକାରୀ ସହାୟତା ହିଁ ଥିଲା ବଞ୍ଚିବାର ଏକମାତ୍ର ଆଶା। ହେଲେ ୬ ମାସ ହେଲା ମିଳୁନି ଭିନ୍ନକ୍ଷମ ଭତ୍ତା। ଅଭାବ ଅନଟନ ଓ ଅସହାୟତା ମଧ୍ୟରେ ଜୀବନ ବିତାଉଥିବା ୨୬ ବର୍ଷୀୟ ଭିନ୍ନକ୍ଷମ ଯୁବକ ଶେଷରେ ନିରାଶ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।

କୋଇଡ଼ା: ସରକାରୀ ସହାୟତା ହିଁ ଥିଲା ବଞ୍ଚିବାର ଏକମାତ୍ର ଆଶା। ହେଲେ ୬ ମାସ ହେଲା ମିଳୁନି ଭିନ୍ନକ୍ଷମ ଭତ୍ତା। ଅଭାବ ଅନଟନ ଓ ଅସହାୟତା ମଧ୍ୟରେ ଜୀବନ ବିତାଉଥିବା ୨୬ ବର୍ଷୀୟ ଭିନ୍ନକ୍ଷମ ଯୁବକ ଶେଷରେ ନିରାଶ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ, ଠିକ୍ ସମୟରେ ମାଆ ଓ ଭଉଣୀ ତାଙ୍କୁ ଉଦ୍ଧାର କରିନେବାରୁ ଅଳ୍ପକେ ବର୍ତ୍ତିଯାଇଛି ଜୀବନ। ଏଭଳି ହୃଦୟବିଦାରକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍ ମାଲଦା ପଞ୍ଚାୟତ ଗଣୁଆ ଗ୍ରାମରେ। ସରକାର ଯଦି ମୋ’ ଭଳି ଭିନ୍ନକ୍ଷମକୁ ଭତ୍ତା ଦେଇପାରିବେ ନାହିଁ। ଗରିବ ଅସହାୟ ପରିବାରର ଗୁହାରି ଶୁଣିବେନି। ତେବେ, ମୁଁ କାହିଁକି ବଞ୍ଚି ରହିବି ବୋଲି କହିଛନ୍ତି ବିକାଶ ରଞ୍ଜନ ପାତ୍ର।
ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
ମା’ ଓ ଭଉଣୀଙ୍କ ଉଦ୍ୟମରେ ଅଳ୍ପକେ ବର୍ତ୍ତିଲା ଜୀବନ
୯୦% ଭିନ୍ନକ୍ଷମ ପୁଅକୁ କାନ୍ଧରେ ବୋହି ବ୍ଲକ୍ ଦୌଡ଼ୁଛି ମାଆ
ଗ୍ରାମର ବିକାଶ ରଞ୍ଜନ ପାତ୍ରଙ୍କ ଭିନ୍ନକ୍ଷମତାର ପରିମାଣ ୯୦ ପ୍ରତିଶତ। ବାପା ବଟକୃଷ୍ଣ ପାତ୍ର ପରିବାର ପୋଷଣ ପାଇଁ ଦାଦନ ଖଟିବାକୁ ବାହାରକୁ ଯାଉଥିବାବେଳେ ଘରେ ମା’ ସୁଶୀଳା ପାତ୍ର ଓ ସାନଭଉଣୀ ସନ୍ଧ୍ୟାରାଣୀ ବିକାଶଙ୍କ ଦେଖାଶୁଣା କରୁଛନ୍ତି। ଭତ୍ତା ଟଙ୍କା ହିଁ ପରିବାର ପାଇଁ ଥିଲା ଏକ ବଡ଼ ସାହାରା। ମାତ୍ର ୬ ମାସ ହେଲା ଭତ୍ତା ବନ୍ଦ ହୋଇଯିବାରୁ ପରିବାରର ଆର୍ଥିକ ସ୍ଥିତି ଆହୁରି ଦୁର୍ବଳ ହୋଇପଡ଼ିଛି। ଏହାକୁ ନେଇ ବିକାଶ ମାନସିକ ଚାପରେ ରହୁଥିବାବେଳେ ଶନିବାର ବେକରେ ଦଉଡ଼ି ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଭତ୍ତା ପାଇଁ ମା’ ସୁଶୀଳା ୯୦ ପ୍ରତିଶତ ଭିନ୍ନକ୍ଷମ ପୁଅକୁ କାନ୍ଧରେ ବୋହି ବାରମ୍ବାର ବ୍ଲକ୍ ଅଫିସ୍କୁ ଦୌଡ଼ିଛନ୍ତି। ଅନେକ ଥର ଗୁହାରି କରିଛନ୍ତି। ହେଲେ ପ୍ରତିଥର ମିଳିଛି କେବଳ ପ୍ରତିଶ୍ରୁତି। ଜଣେ ଅସହାୟ ମା’ର ଆକୁଳ ନିବେଦନ ଏବଂ ଜଣେ ଭିନ୍ନକ୍ଷମ ଯୁବକଙ୍କ ଦୁର୍ଦ୍ଦଶା ପ୍ରତି ପ୍ରଶାସନର ଏଭଳି ଉଦାସୀନତାକୁ ନେଇ ଏବେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ବିକାଶଙ୍କ ମା’ କହିଛନ୍ତି, ସ୍ୱାମୀ ତ ବାହାରକୁ ଗଲେ କାମ କରିବାକୁ। ପୁଅ ଭିନ୍ନକ୍ଷମ ବୋଲି ତାର ସବୁ ଦାୟିତ୍ୱ ବୁଝିବାକୁ ପଡ଼େ। ଭତ୍ତା ଟଙ୍କା ୩୫୦୦ ମିଳୁଥିଲା। କିନ୍ତୁ ଗତ ୬ ମାସ ହେଲା ଭତ୍ତା ଟଙ୍କା ନ ମିଳିବାରୁ ଦୁଇଦିନ ତଳେ ବିକାଶ ଝରକାରେ ରଶି ଲଗାଇ ଝୁଲିବାକୁ ଚେଷ୍ଟା କରୁଥିଲା, ଠିକ୍ ସମୟରେ ଆମେ ବଞ୍ଚାଇଲୁ। ପଚାରିବାରୁ ଭତ୍ତା ତ ମିଳୁନି, ଆଉ ବୋଝ କାହିଁକି ହେବି ବୋଲି କହିଲା।ଭଉଣୀ ସନ୍ଧ୍ୟାରାଣୀ ବି ସମାନ କଥା କହିଥିଲେ। ଭତ୍ତା ଟଙ୍କା ପାଇଁ ବାରମ୍ବାର ପଞ୍ଚାୟତ, ବ୍ଲକ୍, ବ୍ୟାଙ୍କ ଦଉଡୁଛୁ। ମାନସିକ ଚାପରେ ଭାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବାରୁ ଆଜି ତାକୁ କାନ୍ଧେଇ ବ୍ଲକ୍ ଅଫିସକୁ ଆସିଛୁ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିତାଲି ରଣା କହିଛନ୍ତି, ଆମେ ତାଙ୍କ ଆକାଉଣ୍ଟକୁ ଟଙ୍କା ପଠଉଛୁ କିନ୍ତୁ ବ୍ୟାଙ୍କ ପକ୍ଷରୁ କିଛି ବୈଷୟିକ ସମସ୍ୟା ପାଇଁ ବାରମ୍ବାର ରିଜେକ୍ଟ ହେଉଛି। ଆଜି ପୁଣି ଆମେ ବ୍ୟାଙ୍କକୁ ଅବଗତ କରିଛୁ, ଯାହା ଦୁଇଦିନ ମଧ୍ୟରେ ଜଣାପଡ଼ିବ। ଏଥର ଅସଫଳ ହେଲେ ତାଙ୍କ ପାଖକୁ ଯାଇ ଅଲଗା ବ୍ୟାଙ୍କ ଆକାଉଣ୍ଟ ଖୋଲିବୁ କିମ୍ବା ନଗଦ ଟଙ୍କା ଦେବୁ ବୋଲି କହିଛନ୍ତି।
ସୌଜନ୍ୟ ସମ୍ବାଦ




