ୱାସିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସହ ସାରା ବିଶ୍ବ ସଂଘର୍ଷ କରୁଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କ ଶୁଳ୍କ ଖେଳ ଆରମ୍ଭ କରିଛନ୍ତି। ଇସ୍ପାତ, ଆଲୁମିନିୟମ ଓ ତମ୍ବା ଉପରେ ସେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ତେବେ ସେ ସ୍ପଷ୍ଟ କରିଛନ୍ତି ଯେ ଆମେରିକାରେ ଉତ୍ପାଦ ବିକ୍ରି ହେବା ବେଳେ ଉକ୍ତ ଶୁଳ୍କ ଲାଗୁ ହେବ। କେଉଁ ପଦ୍ଧତିରେ ତାହା ଲାଗୁ କରାଯିବ ତାହା ଜଣାପଡ଼ିନାହିଁ।
ଇସ୍ପାତ, ଆଲୁମିନିୟମ ଓ ତମ୍ବାରେ ତିଆରି ହୋଇଥିବା ଉତ୍ପାଦରେ ଯଦି ଓଜନ ଅନୁସାରେ ଧାତବ ପରିମାଣ ୧୫ ପ୍ରତିଶତରୁ କମ୍ ରହିଥିବ ତେବେ ତାହା ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରାଯିବ ନାହିଁ। ଏହା ଦ୍ବାରା ପରଫ୍ୟୁମ ବୋତଲ ଓ ଡେଣ୍ଟାଲ୍ ଫ୍ଲସ୍ ଭଳି ଉତ୍ପାଦ ନିର୍ମାତାମାନେ ଲାଭବାନ ହେବେ। କାରଣ ଏକ ଫରଫ୍ୟୁମ୍ ବୋତଲରେ କେବଳ ତାହାର ଠିପି ଆଲୁମିିନିୟମରେ ତିଆରି ହୋଇଥାଏ। ସେହିପରି ଡେଣ୍ଟାଲ୍ ଫ୍ଲସ୍ରେ ମଧ୍ୟ ଧାତବ ପରିମାଣ ନାଁକୁ ମାତ୍ର ରହିଛି। ସେଭଳି ଉତ୍ପାଦ ଉପରେ ଆମେରିକାର ୫୦% ଶୁଳ୍କ ଲାଗିବ ନାହିଁ।
କେତେକ ଶିଳ୍ପ ଓ ବିଦ୍ୟୁତ୍ ଗ୍ରିଡ୍ ଉପକରଣ ଉପରେ ଶୁଳ୍କକୁ ୫୦ ପ୍ରତିଶତରୁ ହ୍ରାସ କରି ୧୫ ପ୍ରତିଶତ କରାଯାଇଛି। ସେହିପରି ଓଜନ ଅନୁସାରେ ୧୫ ପ୍ରତିଶତରୁ ଅଧିକ ଇସ୍ପାତ, ଆଲୁମିନିୟମ ଓ ତମ୍ବା ଥିବା ଉତ୍ପାଦ ଉପରେ ଶୁଳ୍କକୁ ୨୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହାଦ୍ବାରା ୱାସିଂ ମେସିନ୍ ଭଳି ଉତ୍ପାଦ ଉପରେ ଶୁଳ୍କ କମ୍ ହେବ। ଆମେରିକାରେ ଉତ୍ପାଦନ ହୋଇଥିବା ଇସ୍ପାତ, ଆଲୁମିନିୟମ ଓ ତମ୍ବାକୁ ବ୍ୟବହାର କରି ବିଦେଶରେ ଉତ୍ପାଦନ କରାଯାଇଥିବା ଉତ୍ପାଦ ଉପରେ ଶୁଳ୍କ ୧୦ ପ୍ରତିଶତକୁ ହ୍ରାସ ପାଇଛି।
ଶୁଳ୍କ ୧୦ ପ୍ରତିଶତକୁ ହ୍ରାସ
ପୂର୍ବରୁ ଆମେରିକା ଏଭଳି ସ୍ପଷ୍ଟ ନୀତି ଆଣି ନଥିବାରୁ ଅଳ୍ପ ପରିମାଣର ଧାତବ ଉପାଦାନ ବ୍ୟବହୃତ ହୋଇଥିବା ସାମଗ୍ରର ପଠାଇବାରେ ରପ୍ତାନିକାରୀମାନେ ଅନେକ ଦ୍ବନ୍ଦ୍ବ ସାମ୍ନା କରୁଥିଲେ। ଆମେରିକା ସରକାର କହିଛନ୍ତି ଯେ ଟିକସ ନୀତିରେ ହୋଇଥିବା ପରିବର୍ତ୍ତନ ରାଜସ୍ବକୁ ପ୍ରଭାବିତ କରିବ ନାହିଁ। କିନ୍ତୁ ସମ୍ପୂର୍ଣ୍ଣ ଇସ୍ପାତ, ଆଲୁମିନିୟମ ଓ ତମ୍ବା ଉପରେ ଲଗାଯାଇଥିବା ୫୦ ପ୍ରତିଶତ ଟିକସକୁ ଅଧିକ ରାଜସ୍ବ ମିଳିବା ସମ୍ଭାବନା ରହିଛି।
ସୌଜନ୍ୟ ସମ୍ବାଦ
