ଚେନ୍ନାଇ: ତାମିଲନାଡ଼ୁରେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୨୭ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଶୁକ୍ରବାର ପ୍ରକାଶିତ ଏହି ପ୍ରାର୍ଥୀ ତାଲିକାରେ ବିଜେପିର ପୂର୍ବତନ ତାମିଲନାଡ଼ୁ ମୁଖ୍ୟ କେ ଆନ୍ନାମଲାଇଙ୍କ ନାଁ ନଥିବା ସମସ୍ତଙ୍କୁ ଚକିତ କରିଛି। ଦଳର ସବୁଠାରୁ ପରିଚିତ ତଥା ହାଇ-ପ୍ରୋଫାଇଲ୍ ନେତାଙ୍କ ଅନୁପସ୍ଥିତି ବିଜେପି ରାଜ୍ୟ ଶାଖା ମଧ୍ୟରେ ସବୁ କିଛି ଠିକ୍ ନାହିଁ ବୋଲି ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ମାସ ମାସ ଧରି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ଯେ ଆନ୍ନାମଲାଇ ଦଳର ଦାୟିତ୍ୱ ନେବେ। କୋଏମ୍ବାଟୁର ଉତ୍ତର କିମ୍ବା ମୋଡାକୁରିଚିରୁ ବିଜେପି ତାଙ୍କୁ ଟିକେଟ ଦେବାର ସମ୍ଭାବନା ରହିଥିଲା। ସେହି ଆସନଗୁଡ଼ିକ ବର୍ତ୍ତମାନ ଅନ୍ୟ ପ୍ରାର୍ଥୀ ବନଥୀ ଶ୍ରୀନିବାସନ ଏବଂ କୀର୍ତ୍ତିକା ଶିବକୁମାରଙ୍କୁ ବଣ୍ଟନ କରାଯାଇଛି। ଏହାସହିତ ପୂର୍ବତନ ଆଇପିଏସ ଅଧିକାରୀ ଆନ୍ନାମଲାଇ ଆଗାମୀ ୨୦୨୬ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି କୁହାଯାଇଛି। ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରାରାଜନଙ୍କୁ ଦଳ ସମ୍ମାନଜନକ ମାଇଲାପୁର ଆସନ ଓ କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗନ୍ଙ୍କୁ ଅବଂଶୀ (ଏସ୍ସି) ଆସନରୁ ପ୍ରାର୍ଥୀ କରିଛି। ରାଜ୍ୟ ବିଜେପି ମୁଖ୍ୟ ନୈନାର ନଗେନ୍ଦ୍ରନ୍ଙ୍କୁ ସତୁର୍ରୁ ପ୍ରାର୍ଥୀ କରାଯାଇଛି।
ସୌଜନ୍ୟ ସମ୍ବାଦ
