Donald Trump : ଫାଇନାଲ୍ ପରେ ଟ୍ରମ୍ପଙ୍କୁ ନେଇ ବିବାଦ, ସ୍ପେନର ବିଜୟ ଉତ୍ସବରେ ଅପମାନିତ ହେଲେ ଆମେରିକା ରାଷ୍ଟ୍ରପତି
ବିଜୟ ଉତ୍ସବ ଆରମ୍ଭ ହେବା ପୂର୍ବରୁ ଇନଫାଣ୍ଟିନୋ ଘୋଷଣା କରିଥିଲେ ଯେ ଆମେରିକା ରାଷ୍ଟ୍ରପତି ଫିଫା ବିଶ୍ୱକପ୍ ଟ୍ରଫି ସ୍ପେନର ଅଧିନାୟକ ରୋଡ୍ରିଙ୍କୁ ପ୍ରଦାନ କରିବେ। କିନ୍ତୁ ଦର୍ଶକମାନେ ହୁଟିଂ କରି ଟ୍ରମ୍ପଙ୍କୁ ବିରୋଧ କରୁଥିବା ଦେଖାଯାଇଥିଲା।

ନ୍ୟୁଜର୍ସି : ସଦ୍ୟ ସମାପ୍ତ ଫିଫା ବିଶ୍ବକପ୍ ପଡ଼ିଆ ଭିତରର ରୋମାଞ୍ଚ ପାଇଁ ଯେତିକି ସ୍ମରଣୀୟ ରହିବ ସେତିକି ଚର୍ଚ୍ଚାରେ ରହିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ସୃଷ୍ଟି ହୋଇଥିବା ଏକାଧିକ ବିବାଦକୁ ନେଇ। ଫାଇନାଲ୍ରେ ସ୍ପେନର ରୋମାଞ୍ଚକର ବିଜୟ ପରେ, ନ୍ୟୁଜର୍ସି ଷ୍ଟାଡିୟମରେ ଆୟୋଜିତ ପଦକ ଓ ଟ୍ରଫି ପ୍ରଦାନ ଉତ୍ସବରେ ଭାଗ ନେବା ପାଇଁ ଟ୍ରମ୍ପ ଫିଫା ସଭାପତି ଜିଆନି ଇନଫାଣ୍ଟିନୋଙ୍କ ସହ ପଡ଼ିଆକୁ ଆସିଥିଲେ। ବିଜୟ ଉତ୍ସବ ଆରମ୍ଭ ହେବା ପୂର୍ବରୁ ଇନଫାଣ୍ଟିନୋ ଘୋଷଣା କରିଥିଲେ ଯେ ଆମେରିକା ରାଷ୍ଟ୍ରପତି ଫିଫା ବିଶ୍ୱକପ୍ ଟ୍ରଫି ସ୍ପେନର ଅଧିନାୟକ ରୋଡ୍ରିଙ୍କୁ ପ୍ରଦାନ କରିବେ। କିନ୍ତୁ ଦର୍ଶକମାନେ ହୁଟିଂ କରି ଟ୍ରମ୍ପଙ୍କୁ ବିରୋଧ କରୁଥିବା ଦେଖାଯାଇଥିଲା।
ଉଭୟ ଦଳର ଖେଳାଳି ଏବଂ କୋଚିଂ ଷ୍ଟାଫ୍ଙ୍କୁ ପଦକ ପ୍ରଦାନ କରିବା ପରେ, ଟ୍ରମ୍ପ ପ୍ରସିଦ୍ଧ ବିଶ୍ବକପ୍ ଟ୍ରଫିକୁ ରୋଡ୍ରିଙ୍କ ହାତକୁ ବଢ଼ାଇ ଦେଇଥିଲେ। ପାରମ୍ପରିକ ରୀତିରେ ଟ୍ରଫି ଟେକିବା ଖୁସି ମନାଇବା ପାଇଁ ସ୍ପେନର ଅଧିନାୟକ ଯେତେବେଳେ ନିଜ ସାଥୀ ଖେଳାଳିମାନଙ୍କୁ ଏକାଠି ଡାକିଲେ, ଟ୍ରମ୍ପ ମଞ୍ଚରୁ ଦୂରେଇ ଯିବା ବଦଳରେ ପ୍ରଥମେ ସେହି ଉତ୍ସବ ମନାଉଥିବା ଖେଳାଳିମାନଙ୍କ ଗହଣରେ ରହିଯାଇଥିଲେ ଓ ସେଠୁ ଯିବାର ନାଁ ଧରୁ ନଥିଲେ ।
ଏହା ଫଳରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଐତିହାସିକ ମୁହୂର୍ତ୍ତକୁ ଦଳ ଯେପରି ଏକାଠି ଉପଭୋଗ କରିପାରିବ, ସେଥିପାଇଁ ଟ୍ରମ୍ପ ମଞ୍ଚର ଗୋଟିଏ ପାର୍ଶ୍ୱକୁ ଘୁଞ୍ଚିଯିବା ନେଇ ରୋଡ୍ରି ବାଧ୍ୟ ହୋଇ ଇସାରା କରିଥିଲେ। ଏହାର କିଛି ସମୟ ପରେ, ଇନଫାଣ୍ଟିନୋ ମଧ୍ୟ ମଝିକୁ ଆସି ଆମେରିକା ରାଷ୍ଟ୍ରପତିଙ୍କୁ ସେଠାରୁ ଆଦରର ସହ ନେଇଯାଇଥିଲେ, ଯାହାଫଳରେ ସ୍ପେନର ଖେଳାଳିମାନେ ସେମାନଙ୍କର ଦ୍ୱିତୀୟ ବିଶ୍ୱକପ୍ ଟ୍ରଫି ଟେକିବା ସହ ସେହି ଗୌରବମୟ ମୁହୂର୍ତ୍ତର ସମ୍ପୂର୍ଣ୍ଣ ଆନନ୍ଦ ନେଇପାରିଥିଲେ। ଏହା ପୂର୍ବରୁ ବିଶ୍ବକପ୍ ଚାଲିଥିବାବେଳେ ଆମେରିକୀୟ ଖେଳାଳି ଫୋଲାରିନ୍ ବୋଲୋଗନ୍ଙ୍କୁ ଲାଲ୍ କାର୍ଡ ପ୍ରଦର୍ଶନ ପରେ ଟ୍ରମ୍ପ ଫିଫା ସଭାପତି ଇନଫାଣ୍ଟିନୋଙ୍କୁ ଫୋନ କରିଥିଲେ। ଏହା ପରେ ବୋଲୋଗନ୍ଙ୍କ ଲାଲ୍ କାର୍ଡକୁ ନିଲମ୍ବିତ କରିଦିଆଯାଇଥିଲା, ଯାହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ବିଶ୍ବକପ୍ ଶେଷ ହୋଇଯାଇଥିଲେ ବି ଫିଫାର ବିଶ୍ବସନୀୟତା ପ୍ରତି ପ୍ରଶ୍ନବାଚୀ ଜାରି ରହିଛି।
ସୌଜନ୍ୟ ସମ୍ବାଦ




