War fever: ଯୁଦ୍ଧ ତାତି: ଉତ୍କଟ ହେଲା ଗ୍ୟାସ୍‌ ସଙ୍କଟ, ମିଳୁନି ବାଣିଜ୍ୟିକ ଏଲ୍‌ପିଜି

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଦେଖାଦେଇଥିବା ଜ‌ାଳେଣି ଗ୍ୟାସ୍‌ ଅଭାବର ପ୍ରଭାବ ସିଧାସଳଖ ଏଲ୍‌ପିଜି ଗ୍ରାହକଙ୍କ ଉପରେ ପଡ଼ିଛି। ଓଡ଼ିଶା ସମେତ ସାରା ଦେଶରେ ଗ୍ୟାସ୍‌ ସଂକଟ ଦେଖାଦେଇଛି।

ଭୁବନେଶ୍ବର: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଦେଖାଦେଇଥିବା ଜ‌ାଳେଣି ଗ୍ୟାସ୍‌ ଅଭାବର ପ୍ରଭାବ ସିଧାସଳଖ ଏଲ୍‌ପିଜି ଗ୍ରାହକଙ୍କ ଉପରେ ପଡ଼ିଛି। ଓଡ଼ିଶା ସମେତ ସାରା ଦେଶରେ ଗ୍ୟାସ୍‌ ସଂକଟ ଦେଖାଦେଇଛି। ରାଷ୍ଟ୍ରାୟତ୍ତ କମ୍ପାନିଗୁଡ଼ିକ ପ୍ରଥମେ ମହିଳା ଦିବସ ପୂର୍ବରୁ ଉଭୟ ଘରୋଇ ଓ ବାଣିଜ୍ୟିକ ଏଲ୍‌ପିଜି ଦର ବଢ଼ାଇଥିଲେ। ୧୪.୨ କିଗ୍ରା ବିଶିଷ୍ଟ ଘରୋଇ ଦର ୬୦ ଟଙ୍କା ବଢ଼ାଇଲେ। ସେହିଭଳି ୧୯ କେଜି ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ଦର ୧୧୫ ଟଙ୍କା ବଢ଼ାଇଛନ୍ତି। ଏଥିଯୋଗୁ ଭୁବନେଶ୍ବରରେ ଏହି ଦୁଇ  ଏଲ୍‌ପିଜି ଦର ସିଲିଣ୍ଡର ପିଛା ଯଥାକ୍ରମେ ୯୩୯ ଟଙ୍କା ଏବଂ ୨୦୫୨ ଟଙ୍କାରେ ପହଞ୍ଚି ଯାଇଛି। ସେହିଭଳି ୪୭ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଦର ୩୪୨ ଟଙ୍କା ବୃଦ୍ଧି ଘଟି ୫୧୨୮ ଟଙ୍କା ହୋଇଛି।

ଯୁଦ୍ଧ ପରେ କେବଳ ଦରବୃଦ୍ଧି ନୁହେଁ, ତୈଳ କମ୍ପାନିଗୁଡ଼ିକ ଗ୍ୟାସ୍‌ ଯୋଗାଣ ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ପ୍ରଥମେ ଶିଳ୍ପାନୁଷ୍ଠାନଗୁଡ଼ିକୁ ବାଣିଜ୍ୟିକ ଗ୍ୟାସ୍‌ ଯୋଗାଣ ବନ୍ଦ କରାଗଲା। ଏବେ ହୋଟେଲ, ରେସ୍ତୋରାଁକୁ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ବନ୍ଦ କରାଯାଇଛି। ଅବଶ୍ୟ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନକୁ ଏଥିରୁ ବାଦ୍‌ ଦିଆଯାଇଛି। ସମସ୍ୟା ଏତିକିରେ ସୀମିତ ନାହିଁ। ଘରୋଇ ଏଲ୍‌ପିଜି ସିଲିଣ୍ଡର ବୁକିଂର ଲକ୍‌-ଇନ୍‌ ଅବଧି ବଢ଼ାଇ ଦିଆଯାଇଛି। ଗୋଟିଏ ସିଲିଣ୍ଡର ରଖିଥିବା ଗ୍ରାହକମାନଙ୍କ ପାଇଁ ଏହି ଅବଧି ୧୫ ଦିନରୁ ବଢ଼ାଇ ୨୧ ଦିନ କରାଯାଇଛି। ଦୁଇଟି ସିଲିଣ୍ଡର ରଖିଥିବା ଗ୍ରାହକମାନଙ୍କ ପାଇଁ ସେହି ଅବଧି ୩୦ ଦିନକୁ ବଢ଼ାଇ ଦିଆଯାଇଛି। ଅର୍ଥାତ୍‌ ସେମାନେ ଗ୍ୟାସ୍‌ ଡେଲିଭରିର ୩୦ ଦିନ ଭିତରେ ନୂଆ ଗ୍ୟାସ୍‌ ପାଇଁ ବୁକ୍‌ କରିପାରିବେ ନାହିଁ ବୋଲି କୁହାଯାଇଛି। ତେଣୁ ବର୍ଷକୁ ୧୨ଟିରୁ ଅଧିକ ଏଲ୍‌ପିଜି ମିଳିବ ନାହିଁ। ଏଥିସହ ଗୋଟିଏ ଘରୋଇ ଏଲ୍‌ପିଜି ପାଇବା ପାଇଁ ଗ୍ରାହକଙ୍କୁ ମାସେରୁ ଅଧିକ ସମୟ ଲାଗିଯିବ।

ନିୟମ ଅନୁଯାୟୀ ବର୍ଷକୁ ୧୨ଟି ଘରୋଇ ଏଲ୍‌ପିଜି ରିହାତି ଦରରେ ମିଳିବା ବ୍ୟବସ୍ଥା ଥିବାବେଳେ ଅଧିକ ଏଲ୍‌ପିଜି ବଜାର ମୂଲ୍ୟରେ କିଣିବା ସୁବିଧା ଥିଲା। କିନ୍ତୁ ବର୍ତ୍ତମାନ ଏହି ସୁବିଧା ମିଳିବ ନାହିଁ। ଏଥିସହ ବିତରକମାନଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ଘରୋଇ ଏଲ୍‌ପିଜିର ଯେଭଳି କଳାବଜାର ନ ହେବ, ସେଥିପାଇଁ ସ୍କ୍ବାଡ୍‌ ଗଠନ କରାଯାଇଛି। ଓଟିପି ଜରିଆରେ ଗ୍ରାହକଙ୍କୁ ଡେଲିଭରି ଦିଆଯିବ। ଯଦି ଏଥିରେ ବ୍ୟତିକ୍ରମ ନଜରକୁ ଆସେ ତା’ହେଲେ ଡିଲରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ହୋଟେଲ, ରେସ୍ତୋରାଁ ଆଦିକୁ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ବନ୍ଦ କରି ଦିଆଯିବା ଫଳରେ ହୋଟେଲ ଓ ପର୍ଯ୍ୟଟନ ଶିଳ୍ପର ଚିନ୍ତା ବଢ଼ିଯାଇଛି। ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ଏପରିକି ଅଙ୍ଗନବାଡ଼ିକୁ ମଧ୍ୟ ଏଲ୍‌ପିଜି ଯୋଗାଣ ବନ୍ଦ କରିବାକୁ କୁହାଯାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ବର୍ତ୍ତମାନ ସମୟରେ କେବଳ ଗୋଟିଏ ନୂଆ ଗ୍ୟାସ୍‌ ସଂଯୋଗ ସୁଯୋଗ ଖୋଲା ରହିଛି। ଦୁଇ ସିଲିଣ୍ଡର ବିଶିଷ୍ଟ ନୂଆ ସଂଯୋଗ ଉପରେ ରୋକ୍‌ ଲଗାଯାଇଛି।

ଚିନ୍ତାରେ ହୋଟେଲ୍‌, ରେସ୍ତୋରାଁ ଶିଳ୍ପ
ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନକୁ ଦେବା ପାଇଁ ନିର୍ଦ୍ଦେଶ
ଘରୋଇ ଏଲ୍‌ପିଜି ଯୋଗାଣକୁ ପ୍ରାଥମିକତା

ସରକାରଙ୍କ ଏଭଳି ନିର୍ଦ୍ଦେଶନାମା ଡିଲରମାନଙ୍କ ଅଡ଼ୁଆ ମଧ୍ୟ ବଢ଼ାଇ ଦେଇଛି। ଗ୍ୟାସ୍‌ ନପାଇବା କାରଣରୁ ଗ୍ରାହକମାନେ ଡିଲରମାନଙ୍କୁ ଦୋଷ ଦେଉଛନ୍ତି। କାଉଣ୍ଟରରେ ଆସି ଗଣ୍ଡଗୋଳ କରୁଛନ୍ତି। ଫଳରେ ଡିଲରମାନେ ଅସୁବିଧାରେ ପଡ଼ୁଛନ୍ତି। ସରକାର ସାଧାରଣରେ ଖବରକାଗଜ ଜରିଆରେ ନିୟମ ପରିବର୍ତ୍ତନ ସଂପର୍କରେ ସୂଚନା ଦେଲେ ଲୋକେ ଗ୍ୟାସ୍‌ ଯୋଗାଣ ସଂପର୍କରେ ଅବଗତ ହୋଇପାରିବେ ବୋଲି ଜଣେ ଡିଲର କହିଛନ୍ତି। ଗ୍ୟାସ୍‌ ଯୋଗାଣକୁ ସ୍ବାଭାବିକ କରିବା ପାଇଁ ବିହାର ସରକାର କେନ୍ଦ୍ର ସରକାରଙ୍କୁ ଯେଭଳି ଚିଠି ଲେଖିଛନ୍ତି ଓଡ଼ିଶା ସରକାର ମଧ୍ୟ ସେଭଳି ଦାବି କରିବାକୁ ତଥ୍ୟାଭିଜ୍ଞ ମହଲରେ ଦାବି ହେଉଛି। ତେବେ ଏ ସଂପର୍କରେ ଓଡ଼ିଶା ଏଲ୍‌ପିଜି ବିତରକ ସଂଘର ସଭାପତି ଲୋପାମୁଦ୍ରା ବକ୍ସିପାତ୍ର କହିଛନ୍ତି, ଯୁଦ୍ଧ ପାଇଁ ଗ୍ୟାସ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ସେମାନଙ୍କ ନିକଟରେ ଉପଲବ୍ଧ ଥିବା ଗ୍ୟାସ୍‌ର ସୁପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏକ ସୂଚନା ଅନୁଯାୟୀ, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ବାର୍ଷିକ ମୋଟ ୭୪ ହଜାର ମେଟ୍ରିକ ଟନ୍‌ ବାଣିଜ୍ୟିକ ଗ୍ୟାସ୍‌ ଆବଶ୍ୟକ ଥିବାବେଳେ ୯୩ ହଜାର ମେଟ୍ରିକ ଟନ୍ ଗ୍ୟାସ୍‌ର ଆବଶ୍ୟକତା ରହିଛି। ୩ଟି ରାଷ୍ଟ୍ରାୟତ୍ତ କମ୍ପାନି ଆଇଓସିଏଲ୍‌, ବିପିସିଏଲ୍‌ ଏବଂ ଏଚ୍‌ପିସିଏଲ୍‌ ଏହି ଗ୍ୟାସ୍‌ ଯୋଗାଇ ଦେଇଥାନ୍ତି। ତେଣୁ ଯୁଦ୍ଧ ପାଇଁ ସୃଷ୍ଟି ହୋଇଥିବା ସମସ୍ୟା କେବେ ସୁଧୁରିବ ଏବଂ ଗ୍ୟାସ୍‌ ଯୋଗାଣ ସ୍ବାଭାବିକ ହେବ ତାହାକୁ ନେଇ ସମସ୍ତେ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ଏ ସମ୍ପର୍କରେ ଭାରତୀୟ ତୈଳ ନିଗମର ମୁଖ୍ୟ ମହାପ୍ରବନ୍ଧକ ତଥା ଓଡ଼ିଶା ତୈଳ ବିପଣନ ମୁଖ୍ୟ କମଲ ଶୀଲ କହିଛନ୍ତି ଯେ ସାଧାରଣ ପରିବାରଗୁଡ଼ିକ ପାଖରେ ଏଲ୍‌ପିଜି ପହଞ୍ଚାଇବା ପ୍ରତି ପ୍ରାଥମିକତା ଦେବାକୁ ନି‌ର୍ଦ୍ଦେଶ ରହିଛି। ଯେହେତୁ ସେମାନଙ୍କ ପାଖରେ ବିକଳ୍ପ ଇନ୍ଧନର କୌଣସି ବ୍ୟବସ୍ଥା ନାହିଁ, ତେଣୁ ସେମାନଙ୍କ ପାଖରେ ପ୍ରଥମେ ଏଲ୍‌ପିଜି ପହଞ୍ଚିବ। ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ କଟକଣା ଲଗାଯାଇଛି। ତାହାର ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇନାହିଁ। ଗୁରୁତ୍ବପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଏଲ୍‌ପିଜି ଯୋଗାଇ ଦିଆଯିବ।

ତେଲ, ମୁଦ୍ରା, ସେୟାର ବଜାର ଅସ୍ଥିର
ମୁମ୍ବାଇ: ପଶ୍ଚିମ ଏସିଆ ଯୁଦ୍ଧ ତାତି ସୋମବାର ଭାରତର ପ୍ରମୁଖ ବଜାରରେ ପ୍ରତିଫଳିତ ହୋଇଛି। ସେୟାର ବଜାରଠାରୁ ଆରମ୍ଭ କରି ମୁଦ୍ରା ବିନିମୟ ବଜାର ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବଜାରଗୁଡ଼ିକ ଅସ୍ଥିର ହୋଇପଡ଼ିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୨୫ ପ୍ରତିଶତ ବୃଦ୍ଧି ପାଇ ୧୧୭ ଡଲାର ହୋଇଛି। ଏହା ଦେଶରେ ଏଲ୍‌ପିଜି, ପେଟ୍ରୋଲ ଓ ଡିଜେଲର ଅଭାବ, ଦରବୃଦ୍ଧି ଆଶଙ୍କା ବଢ଼ାଇଦେଇଛି। ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଥିବାରୁ ଦରବୃଦ୍ଧି ଏହାର ବାଣିଜ୍ୟ ନିଅଣ୍ଟ ଓ ବିତ୍ତୀୟ ନିଅଣ୍ଟ ଗଣିତ ପ୍ରତି ବିପଦ ସୃଷ୍ଟି କରିଛି। ଅନ୍ୟପକ୍ଷ‌ରେ, ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଆହୁରି ଦୁର୍ବଳ ହେବା ନୀତି ନିର୍ମାତାମାନଙ୍କ ଚିନ୍ତା ଆହୁରି ବଢ଼ାଇଦେଇଛି। ଏକ ଡଲାର ମୂଲ୍ୟ ୯୨ ଟଙ୍କା ୩୦ ପଇସାରୁ ଅଧିକ ହୋଇଛି। ପୂର୍ବରୁ ଟଙ୍କାକୁ ଏଭଳି ଦୁର୍ବଳ ସ୍ତରରେ କେବେ ଦେଖିବାକୁ ମିଳିନଥିଲା। ଡଲାର ଦୁର୍ବଳ ହେବାର ଅର୍ଥ ହେଉଛି ଭାରତର ଆମଦାନି ବିଲ୍‌ ଆହୁରି ବଢ଼ିବ। ଦେଶରେ ଦରଦାମ୍‌ ସ୍ଥିତିକୁ ତାହା ପ୍ରଭାବିତ କରିବା ଆଶଙ୍କା କରାଯାଉଛି। ସେହିପରି, ‌ସେୟାର ବଜାରରେ ମଧ୍ୟ ଯୁଦ୍ଧର ପ୍ରଭାବ ଦେଖିବାକୁ ମିଳିଛି। ନିବେଶକମାନେ ଭୟଭୀତ ହୋଇ ବିଭିନ୍ନ ସଂସ୍ଥାର ସେୟାର ବିକ୍ରି କରିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୩୫୩ ପଏଣ୍ଟ ହ୍ରାସ ପାଇ ୭୭,୫୬୬ ପଏଣ୍ଟକୁ ଖସିଆସିଛି। ଫଳରେ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୭୫୨ ପଏଣ୍ଟ୍‌ ହ୍ରାସ ପାଇ ୨୪,୦୨୮ ପଏଣ୍ଟରେ ବନ୍ଦ ହୋଇଛି।

ଓଡ଼ିଶା ହୋଟେଲ୍‌ ଓ ରେସ୍ତୋରାଁ ସଂଘ (ଏଚ୍‌ଆର୍‌ଏଓ)ର ଅଧ୍ୟକ୍ଷ ଜେକେ ମହାନ୍ତି ଚିନ୍ତାପ୍ରକଟ କରିବା ସହ ଗ୍ୟାସ୍‌ ଯୋଗାଣ ବନ୍ଦ ହେଲେ ରାଜ୍ୟରେ ଥିବା ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକ ବନ୍ଦ ହୋଇଯିବ ବୋଲି କହିଛନ୍ତି। ଏହି ଅନୁଷ୍ଠାନଗୁଡ଼ିକ ବନ୍ଦ ହେଲେ ତାହା ୨୫ ହଜାରରୁ ଅଧିକ ଲୋକଙ୍କ ଜୀବିକାକୁ ସିଧାସଳଖ ପ୍ରଭାବିତ କରିବ। ରାଜ୍ୟରେ ୨୦୦୦ରୁ ଅଧିକ ରେସ୍ତୋରାଁ ଓ ୩୮୮ରୁ ଅଧିକ ହୋଟେଲ୍‌ ରହିଛି। ସେମାନେ ସିଧାସଳଖ ପ୍ରଭାବିତ ହେବେ। ଗ୍ୟାସ୍‌ ଯୋଗାଣ ଜାରି ରଖିବା ପାଇଁ ସେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସମସ୍ୟା ବିଷୟରେ ସଂଘ ଅବଗତ କରିବାକୁ ନିଷ୍ପତ୍ତି ନେଇଛି। ଶ୍ରୀ ମହାନ୍ତି କହିଛନ୍ତି ଯେ ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକ ବନ୍ଦ ହେଲେ ରାଜ୍ୟ ସରକାରଙ୍କ ଜିଏସ୍‌ଟି ସଂଗ୍ରହ ମଧ୍ୟ କମିଯିବ।

ସୌଜନ୍ୟ ଧରିତ୍ରୀ

Exit mobile version