Drinking water supply: ଦୂର ହେଉନି ପାନୀୟଜଳ ଯୋଗାଣ ସମସ୍ୟା: ଡ୍ରେନ୍‌ ଓ ରାସ୍ତା ସ୍ଥିତି ବି ସୁଧୁରୁନି

ସହରାଞ୍ଚଳରେ ପାଇପ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣ ଏକ ସାଧାରଣ କଥା। କ୍ଷୁଦ୍ର ସହରଠାରୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ଏଥିପାଇଁ ପାଣିଟାଙ୍କି ଓ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପମାନ କାର୍ଯ୍ୟ କରିଥାଏ।

ଜଟଣୀ: ସହରାଞ୍ଚଳରେ ପାଇପ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣ ଏକ ସାଧାରଣ କଥା। କ୍ଷୁଦ୍ର ସହରଠାରୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ଏଥିପାଇଁ ପାଣିଟାଙ୍କି ଓ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପମାନ କାର୍ଯ୍ୟ କରିଥାଏ। କିନ୍ତୁ ଏବେ ବି ଜଟଣୀ ସହରର ଅନେକ ଜାଗାରେ ଲୋକେ ଏହି ସୁବିଧାରୁ ବଞ୍ଚିତ ଅଛନ୍ତି। ସହରାଞ୍ଚଳରେ ଥାଇ ବି ଏମାନେ କୂଅରୁ ପାଣି କାଢ଼ି ବ୍ୟବହାର କରୁଛନ୍ତି। ରେଳବାଇ ଅଧୀନରେ ଥିବା ସ୍ଥାନୀୟ ପୌରପାଳିକାର ୭ଟି ୱାର୍ଡ ମଧ୍ୟରେ ରହିଥିବା ୨୦ ନମ୍ବର ୱାର୍ଡରେ ଦୂର ହୋଇପାରୁନି ପାନୀୟ ଜଳ ସମସ୍ୟା। ବର୍ଷ ବର୍ଷ ଧରି ଏଠାରେ ପାନୀୟ ଜଳ ଯୋଗାଣ କେବଳ ସ୍ବପ୍ନ ହୋଇ ରହିଛି। ଏହି ୱାର୍ଡ ଅଧୀନରେ ଭଗବତୀନଗର, ବାବାନଗର, ମାଣିଆ ଛକ ଆଦି ଅଞ୍ଚଳ ରହିଛି। ପାନୀୟ ଜଳ ଯୋଗାଣର ଆଧୁନିକ ବ୍ୟବସ୍ଥା ଏଠି ହୋଇ ପାରି ନ ଥିବାରୁ ଏବେବି ଏହି ୱାର୍ଡରେ ଦୁଇ ଶହରୁ ଅଧିକ ପରିବାର ପାନୀୟ ଜଳ ପାଇଁ ସାଧାରଣ କୂଅ ଓ ନଳକୂଅ ଉପରେ ନିର୍ଭର କରୁଛନ୍ତି।

ଏବେ ବି କୂଅ ଉପରେ ନିର୍ଭର କରୁଛନ୍ତି ୱାର୍ଡ ବାସିନ୍ଦା
ଡ୍ରେନ୍‌ ଓ ରାସ୍ତା ସ୍ଥିତି ବି ସୁଧୁରୁନି 

ଜଟଣୀ ସହରକୁ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହି ୱାର୍ଡର ଅନେକ ଅଞ୍ଚଳ ଏହି ଯୋଜନାରୁ ବଞ୍ଚିତ। କେବଳ ସେତିକି ନୁହେଁ, ରାସ୍ତା ଓ ଡ୍ରେନ୍‌ ଅବସ୍ଥାରେ ମଧ୍ୟ ସୁଧାର ଆସୁ ନାହିଁ। ଏହି ୱାର୍ଡର କିଛି ପ୍ରମୁଖ ରାସ୍ତା ଏବେ ବି କଚ୍ଚା ଅବସ୍ଥାରେ ରହିଛି। ଏଠାରେ ଥିବା ଡ୍ରେନ୍‌ଗୁଡ଼ିକର ଅବସ୍ଥା ମଧ୍ୟ ଦୟନୀୟ। ନିୟମିତ ସଫେଇ ହେଉ ନ ଥିବାରୁ ବହୁ ଡ୍ରେନ୍‌ ଆବର୍ଜନାରେ ପୋତି ହୋଇ ରହିଛି ଓ ଦୁର୍ଗନ୍ଧମୟ ପରିବେଶରେ ସ୍ଥାନୀୟ ଲୋକେ କଲବଲ ହେଉଛନ୍ତି।  ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ ନିର୍ବାଚନ ହେଉଛି ଓ ସବୁ ନିର୍ବାଚନ ବେଳେ ପୁଳାପୁଳା ପ୍ରତିଶ୍ରୁତି ମିଳୁଛି। କିନ୍ତୁ ବିକାଶମୂଳକ କାର୍ଯ୍ୟ ନାହିଁ। ଏହି ୱାର୍ଡ ଉପରେ ପ୍ରଶାସନର ନଜର ପଡୁନି। ୱାର୍ଡର ବିକାଶ ପାଇଁ ସେଭଳି କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।

ସୌଜନ୍ୟ ସମ୍ବାଦ

Exit mobile version