ଜଗତସିଂହପୁର: ଜଗତସିଂହପୁର ସହର ଖେରସଠାରେ ଥିବା ‘ସୁଧାର’ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଇଞ୍ଜେକସନ ଦେଇ ହତ୍ଯା ଘଟଣାକୁ କେଇଦିନ ନ ପୂରୁଣୁ ପୁଣି ଏକ ଅଘଟଣ ଘଟିଛି। ସେଠାରେ ରହୁଥିବା ଅନ୍ତେବାସୀଙ୍କ ମଧ୍ଯରୁ ୩୪ ଜଣ ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ଫେରାର ହୋଇ ଯାଇଛନ୍ତି। ଏହି ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି | କିନ୍ତୁ ଏଯାଏଁ ଥାନାରେ କୌଣସି ରିପୋର୍ଟ ହୋଇ ନ ଥିବା ଜଣାପଡ଼ିଛି | ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ପୌରାଞ୍ଚଳର ଜଳସେଚନ ଅଫିସ ପଛପାଖ କେନାଲ ବନ୍ଧ-ଖେରସ ରାସ୍ତାରେ ଥିବା ସୁଧାର ନିଶା ନିବାରଣ କେନ୍ଦ୍ରରେ ତିର୍ତ୍ତୋଲ ନାଗପୁର ଅଞ୍ଚଳର ଅନିରୁଦ୍ଧ ଲେଙ୍କାଙ୍କୁ ୨୩ ତାରିଖରେ ସେଠାରେ ମାଡ଼ ମରାଯିବା ସହ ଇଞ୍ଜେକସନ୍ ଦେଇ ହତ୍ୟା କରା ଯାଇଥିଲା | ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା | ସେମାନେ ହେଲେ କଣ୍ଟାବଲ୍ଲଭପୁର ଅଞ୍ଚଳର ସବୁଜ କୁମାର ସାହୁ(୩୦) ଓ ବାଲିକୁଦା ନାଦ ଅଞ୍ଚଳର ବିଭବ କୁମାର ମହାନ୍ତି(୨୮)।
ସୁରକ୍ଷାକର୍ମୀଙ୍କୁ ମାଡ଼ ମାରି ଫେରାର ୩୪ ଅନ୍ତେବାସୀ
ହତ୍ୟାକାଣ୍ଡ ପରେ ସେଠାରେ ପରିଚାଳନାରେ ଅବ୍ୟବସ୍ଥା ଦେଖା ଦେଇଥିଲା | ଖାଇବା ଓ ଅନ୍ୟ ଦୈନନ୍ଦିନ ଚଳଣିରେ ଅସୁବିଧା ହୋଇଥିଲା | ହତ୍ୟାକାଣ୍ଡ ପରେ ସେଠାରେ ୪୨ ଜଣ ଅନ୍ତେବାସୀ ରହୁଥିଲେ | ସେମାନେ ଖାଦ୍ୟପେୟ ଓ ପରିଚାଳନା ବ୍ୟବସ୍ଥାକୁ ବିରୋଧ କରି ଆସୁଥିଲେ | ସବୁଦିନ ସୁରକ୍ଷାକର୍ମୀ ନିଶା ନିବାରଣ କେନ୍ଦ୍ର କବାଟ ବାହାର ପଟୁ ତାଲା ପକାନ୍ତି। କିନ୍ତୁ ଆଜି ତାଲା ପକାଇବାକୁ ଭୁଲି ଯାଇଥିଲେ। ଅନ୍ତେବାସୀମାନେ ପୂର୍ବ ଯୋଜନା ମୁତାବକ ସେଠାରୁ ପଳାଇ ଯିବାକୁ କବାଟ ଖୋଲି ବାହାରିଥିଲେ। ସୁରକ୍ଷାକର୍ମୀ ବିରୋଧ କରିବାରୁ ସେମାନେ ତାଙ୍କୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରିଥିଲେ। ଏହା ପରେ ୩୪ ଜଣ ଅନ୍ତେବାସୀ ଫେରାର ହେବାକୁ ସକ୍ଷମ ହୋଇଥିଲେ ସେମାନଙ୍କ ମଧ୍ଯରୁ କେତେକ ନିଜ ଘରକୁ ପଳାଇ ଥିବା ବେଳେ ଆଉ କେତେକ ବାହାରେ ବୁଲୁଥିବା ଜଣାପଡିଛି। ଏତେ ବଡ ଘଟଣା ଘଟିଥିଲେ ମଧ୍ଯ ଏଯାଏଁ ଥାନାରେ ରିପୋର୍ଟ ନ ହେବା ଆଲୋଚନାର ବିଷୟ ପାଲଟିଛି।
ସୌଜନ୍ୟ Prameya News7