ଇସଲାମାବାଦ: ପାକିସ୍ତାନର ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଆତଙ୍କବାଦୀମାନେ ପ୍ରତିଦିନ ହାରାହାରି ଦୁଇରୁ ଅଧିକ ସୈନିକଙ୍କୁ ହତ୍ୟା କରୁଛନ୍ତି। ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର୍ କନଫ୍ଲିକ୍ଟ ଆଣ୍ଡ୍ ସିକ୍ୟୁରିଟି ଷ୍ଟଡିଜ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ମେ’ ମାସରେ ୬୮ ଜଣ ସୈନିକଙ୍କୁ ହତ୍ୟା କରିଛନ୍ତି। ଏହା ସହିତ ୭୧ ଜଣ ସାଧାରଣ ନାଗରିକଙ୍କୁ ଜୀବନ ମଧ୍ୟ ଯାଇଛି। ମେ’ ମାସରେ ଆତଙ୍କବାଦୀ ଆକ୍ରମଣରେ ୩୭ ଜଣ ସୈନିକ ଆହତ ହୋଇଛନ୍ତି। ସେନା ସମ୍ପର୍କରେ ଏହି ରିପୋର୍ଟ ଏପରି ସମୟରେ ଆସିଛି ଯେତେବେଳେ ନିକଟରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ଦାବି କରିଥିଲେ।
ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ତୁଳନାତ୍ମକ ଭାବରେ ଶାନ୍ତ ଥିବା ଆତଙ୍କବାଦୀମାନେ ମେ’ ମାସରେ ପୁଣି ଥରେ ସେମାନଙ୍କର ହିଂସା ବୃଦ୍ଧି କରିଛନ୍ତି। ସାରା ପାକିସ୍ତାନରେ ମୋଟ ୧୨୮ ଆତଙ୍କବାଦୀ ଆକ୍ରମଣ ରେକର୍ଡ କରାଯାଇଛି। ସେଥିରେ ଚାରୋଟି ଆତ୍ମଘାତୀ ଆକ୍ରମଣ ଅନ୍ତର୍ଭୁକ୍ତ ରହିଛି।। ମେ’ ମାସରେ ବେଲୁଚିସ୍ତାନ ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ପ୍ରଦେଶ ଭାବରେ ଉଭା ହୋଇଛି। ଏପ୍ରିଲରେ ୩୪ ଆତଙ୍କବାଦୀ ଆକ୍ରମଣ ତୁଳନାରେ ପ୍ରଦେଶରେ ମେ’ ମାସରେ ୭୧ ଆତଙ୍କବାଦୀ ଆକ୍ରମଣ ରେକର୍ଡ କରାଯାଇଛି। ପ୍ରତିଶତ ଦୃଷ୍ଟିରୁ ଏହା ୧୦୯ ପ୍ରତିଶତ ବୃଦ୍ଧି ପାଇଛି। ଖାଇବର ପଖତୁନଖ୍ୱା ଏବଂ ରାଜଧାନୀ ଇସଲାମାବାଦ ଆତଙ୍କବାଦୀ ଆକ୍ରମଣ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ଆତଙ୍କବାଦୀଙ୍କ ଦ୍ୱାରା ସର୍ବାଧିକ ଅପହରଣ ଘଟଣା ବେଲୁଚିସ୍ତାନରେ ଦେଖିବାକୁ ମିଳିଛି। ମେ’ ମାସରେ, ସାରା ଦେଶରେ ମୋଟ ୫୪ଟି ଅପହରଣ ରିପୋର୍ଟ ହୋଇଛି। ସେଥି ମଧ୍ୟରୁ ୫୨ ମାମଲା ବେଲୁଚିସ୍ତାନରେ ଘଟିଛି।
ପାକିସ୍ତାନୀ ସେନା ମେ’ ମାସରେ ବିଦ୍ରୋହ ବିରୋଧୀ ଅଭିଯାନ ସମୟରେ ୨୭୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଛି। ସେହିପରି ୧୫ ଜଣଙ୍କୁ ଗିରଫ କରାଯାଇଛି। କିଛି ଆତଙ୍କବାଦୀ ଆତ୍ମସମର୍ପଣ ମଧ୍ୟ କରିଛନ୍ତି। ରିପୋର୍ଟ ଅନୁଯାୟୀ, ସର୍ବାଧିକ ୧୨୮ ଜଣ ଆତଙ୍କବାଦୀ ପୂର୍ବ ଫାଟା ଅଞ୍ଚଳରେ ନିହତ ହୋଇଥିଲେ। ଏହା ସହିତ, ଖାଇବର ପଖତୁନଖ୍ୱାର ଅନ୍ୟାନ୍ୟ ଅଞ୍ଚଳରେ ୬୨ ଜଣ ଏବଂ ବେଲୁଚିସ୍ତାନରେ ୭୧ ଜଣ ନିହତ ହୋଇଥିଲେ। ସୁରକ୍ଷା ବାହିନୀର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ପଞ୍ଜାବ ପ୍ରଦେଶରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।
ପାକିସ୍ତାନରେ ତେହରିକ-ଏ-ତାଲିବାନ ପାକିସ୍ତାନ, ବେଲୁଚିସ୍ତାନ ଲିବରେସନ ଆର୍ମି ଏବଂ ଅଲ-କାଏଦା ଭଳି ବିପଦପୂର୍ଣ୍ଣ ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି। ନିକଟରେ ସେନା ମୁଖ୍ୟ ଅସୀମ ମୁନିର ପାକିସ୍ତାନରୁ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଘୋଷଣା କରିଥିଲେ।
ସୌଜନ୍ୟ Prameya News7

