ଏହି ବଜେଟ୍ ଠାରୁ ସରକାର ଯେଉଁ ନୂତନ ନୀତି ଅନୁପାଳନ ଆରମ୍ଭ କରିଛନ୍ତି, ତାହା ଅନୁସାରେ ‘ରାଜକୋଷୀୟ ନିଅଣ୍ଟ’ (‘ଫିସ୍କାଲ୍ ଡେଫିସିଟ୍’) ସ୍ଥାନରେ ସରକାରୀ ଋଣର ‘ଜିଡିପି’ରେ ଅନୁପାତ ଉପରେ ସରକାର ଏଣିକି ନିଘା ରଖି କାର୍ଯ୍ୟ କରିବେ। ଚଳିତ ବିତ୍ତ ବର୍ଷରେ ଏଇ ଅନୁପାତ ୫୬.୧ ଶତାଂଶ ଥିବାବେଳେ ୨୦୨୬-୨୭ରେ ତାହା ସାମାନ୍ୟ ହ୍ରାସ ପାଇ ୫୫.୬ ଶତାଂଶ ହେବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ମୁଦ୍ରାସ୍ଫୀତିରେ ସାମାନ୍ୟ ବୃଦ୍ଧି ଘଟି ଆସନ୍ତା ବର୍ଷ ମୌଦ୍ରିକ ‘ଜିଡିପି’ (ନୋମିନାଲ୍ ‘ଜିଡିପି’)ରେ ବୃଦ୍ଧି ଘଟିଲେ ଏହା ଦେଖାଯିବ ବୋଲି ଆଶା କରାଯାଉଛି।
ରବିବାର ଦିନ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପିତ କରିଥିବା ତାଙ୍କର ଅବିଚ୍ଛିନ୍ନ ରେକର୍ଡ ନବମ ବଜେଟ୍ କେବଳ ଧାରାବାହିକତା ଦୃଷ୍ଟିରୁ ଅବିଚ୍ଛିନ୍ନ ନୁହେଁ, ଏହା ବହନ କରିଥିବା ଆଭିମୁଖ୍ୟ ଦୃଷ୍ଟିରୁ ମଧ୍ୟ ଏହାକୁ ଏକ ଅବିଚ୍ଛିନ୍ନ ବଜେଟ୍ ବୋଲି କୁହାଯାଇପାରେ। ଅର୍ଥମନ୍ତ୍ରୀ ତାଙ୍କର ଏହି ବଜେଟ୍ରେ ପୂର୍ବଭଳି ଯାହାକୁ ଗୁରୁତ୍ବ ପ୍ରଦାନ କରିଛନ୍ତି, ତାହା କୌଣସି ସ୍ବଳ୍ପକାଳୀନ ରାଜନୈତିକ ଲକ୍ଷ୍ୟ ହାସଲ ନୁହେଁ, ତାହା ହେଉଛି ଦୀର୍ଘକାଳୀନ ଅର୍ଥନୈତିକ ରୂପାନ୍ତରଣ ସମ୍ଭବ କରିବା ନିମିତ୍ତ ଆବଶ୍ୟକ ପରିବେଶ ସୃଷ୍ଟି। ସେ ତାଙ୍କ ସରକାରଙ୍କର ବିକଶିତ ଭାରତ ଲକ୍ଷ୍ୟ ଉପରେ ଦୃଷ୍ଟି ନିବଦ୍ଧ କରି ବିତ୍ତୀୟ ଶୃଙ୍ଖଳା, ଅଭିବୃଦ୍ଧି ସହାୟକ ସରକାରୀ ନିବେଶ, ସଂରଚନାତ୍ମକ ସଂସ୍କାର ଏବଂ ବିଭିନ୍ନ ଅର୍ଥନୈତିକ କ୍ଷେତ୍ର ଓ ଅଞ୍ଚଳମାନଙ୍କରେ କ୍ଷମତା ବିକାଶକୁ ବଜେଟ୍ରେ ପ୍ରଦାନ କରିଥିବା ପ୍ରାଧାନ୍ୟରୁ ଏହା ସ୍ପଷ୍ଟ ହୋଇଥାଏ।
ସାମଗ୍ରିକ ଦୃଷ୍ଟିକୋଣରୁ ଏହି ବଜେଟ୍ ଭାରତରେ ପରିଦୃଷ୍ଟ ଅର୍ଥନୈତିକ ସ୍ଥିରତା, ନୀଚା ମୁଦ୍ରାସ୍ଫୀତି ଓ ବିତ୍ତୀୟ ସଂଯମ, ସଂରଚନାତ୍ମକ ସଂସ୍କାର ସହିତ ଉଚ୍ଚ ସରକାରୀ ପୁଞ୍ଜି ବ୍ୟୟ ମାଧ୍ୟମରେ ହାସଲ ହୋଇଥିବା ସତତ ପ୍ରାୟ ୭ ଶତାଂଶ ହାରରେ ଅଭିବୃଦ୍ଧି ପ୍ରତି ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ଆନ୍ତର୍ଜାତିକ ଅସ୍ଥିରତା, ବାଣିଜ୍ୟିକ ଅନିଶ୍ଚିତତା, ଦ୍ରୁତ ପ୍ରାବିଧିକ ପରିବର୍ତ୍ତନ ଅାଦି ଭାରତୀୟ ଅର୍ଥନୀତି ପାଇଁ ସୃଷ୍ଟି କରିଥିବା ଆହ୍ବାନକୁ ମଧ୍ୟ ସ୍ବୀକାର କରିଛି। ଏହି ଆହ୍ବାନର ମୁକାବିଲା କରି ଭାରତର ଅଭିବୃଦ୍ଧି ଜୟଯାତ୍ରାକୁ ଅବ୍ୟାହତ ରଖିବା ପାଇଁ ଏଥରର ବଜେଟ୍କୁ ତିନିଗୋଟି ‘କର୍ତ୍ତବ୍ୟ’ ସ୍ତମ୍ଭ ଉପରେ ଦଣ୍ଡାୟମାନ କରାଯାଇଛି। ପ୍ରଥମଟି ହେଲା ଉତ୍ପାଦନଶୀଳତାରେ ଉନ୍ନତି, ପ୍ରତିଯୋଗିତାକ୍ଷମତାରେ ଉନ୍ନତି ଓ ସ୍ଥିତିସ୍ଥାପକତାରେ ଉନ୍ନତି ମାଧ୍ୟମରେ ଅଭିବୃଦ୍ଧିକୁ ଦ୍ରୁତତର ତଥା ଧାରଣକ୍ଷମ କରିବା। ଦ୍ବିତୀୟଟି ହେଲା ଶିକ୍ଷା, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସଂପ୍ରସାରଣ ମାଧ୍ୟମରେ ମାନବ ସମ୍ବଳର କ୍ଷମତାରେ ଉନ୍ନତି ସାଧନ ସହିତ ସେମାନଙ୍କର ଆଶାଆକାଙ୍କ୍ଷା ପୂରଣ। ତୃତୀୟଟି ହେଲା ‘ସବ୍କା ସାଥ୍, ସବ୍କା ବିକାଶ’ ଆଦର୍ଶକୁ ଅନୁସରଣ କରି ସମସ୍ତ ଅଞ୍ଚଳ ଓ ସମସ୍ତ ଗୋଷ୍ଠୀମାନଙ୍କ ପାଇଁ ସମ୍ବଳ ଓ ସୁଯୋଗର ସମାନ ଉପଲବ୍ଧତା ନିଶ୍ଚିତ କରିବା।
ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ଅର୍ଥମନ୍ତ୍ରୀ ଯେ ସରକାରୀ ପୁଞ୍ଜି ବ୍ୟୟକୁ ମୁଖ୍ୟ ଚାଳକ ରୂପେ ବ୍ୟବହାର କରିଛନ୍ତି, ତାହା ସେ ଏଥିପାଇଁ ବଜେଟ୍ରେ କରିଥିବା ବ୍ୟବସ୍ଥାରୁ ଜଣାପଡ଼ିଥାଏ। ବିଗତ ବର୍ଷମାନଙ୍କରେ ଦେଖାଯାଇଥିବା ଭିତ୍ତିଭୂମି ନିର୍ମାଣ ସଂପ୍ରସାରଣ ଧାରାକୁ ଅବ୍ୟାହତ ରଖି ସେ ୨୦୨୬-୨୭ ପାଇଁ ସରକାରୀ ପୁଞ୍ଜି ବ୍ୟୟରେ ବୃଦ୍ଧି ଘଟାଇ ତାହାକୁ ୧୨.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇଛନ୍ତି। ଏ କ୍ଷେତ୍ରରେ ଯେଉଁ ସମସ୍ତ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି, ସେଥିରେ ଅନ୍ତର୍ଭୁକ୍ତ ଅଛି ଘରୋଇ ନିବେଶ ସମ୍ମୁଖୀନ ହେଉଥିବା ବିପଦକୁ ସୀମିତ କରିବା ପାଇଁ ଏକ ‘ଇନ୍ଫ୍ରାଷ୍ଟ୍ରକ୍ଚର ରିସ୍କ ଗ୍ୟାରେଣ୍ଟି ଫଣ୍ଡ୍’ ସୃଷ୍ଟି, ମାଲ୍ ପରିବହନ ପଥ(ଫ୍ରେଟ୍ କରିଡର୍) ସଂପ୍ରସାରଣ, ଆଭ୍ୟନ୍ତରୀଣ ଜଳପଥ, ଉପକୂଳୀୟ ଜାହାଜ ଚଳାଚଳ ସଂପ୍ରସାରଣ ଏବଂ ‘ସିପ୍ଲେନ୍’(ସମୁଦ୍ର ବିମାନ) ନିର୍ମାଣ ଓ ଚଳାଚଳ ଇତ୍ୟାଦି। ବିଶେଷ ଭାବରେ ଦ୍ବିତୀୟ ଓ ତୃତୀୟସ୍ତରୀୟ ସହରମାନଙ୍କ ପାଇଁ ଅଭିବୃଦ୍ଧିର ଇଞ୍ଜିନ ରୂପେ କାର୍ଯ୍ୟ କରିବା ଲାଗି ‘ସିଟି ଇକୋନୋମିକ୍ ରିଜନ୍’ମାନ ପ୍ରତିଷ୍ଠା କରାଯିବା ନିମିତ୍ତ ବଜେଟ୍ରେ ପ୍ରସ୍ତାବ ରଖାଯାଇଛି।
ବଜେଟ୍ରେ ‘ମେକ୍ ଇନ୍ ଇଣ୍ଡିଆ’ ଆହ୍ବାନକୁ ଅନୁସରଣ କରି ମାନୁଫାକ୍ଚରିଙ୍ଗକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଏହା ଅନୁସାରେ ବାୟୋ ଫାର୍ମା, ସେମିକଣ୍ଡକ୍ଟର୍, ଇଲେକ୍ଟ୍ରୋନିକ୍ସ, ରେଆର୍ ଆର୍ଥସ୍ ଆଦି ଭଳି ରଣନୀତିକ ଓ ଅଗ୍ରଣୀ କ୍ଷେତ୍ରମାନଙ୍କରେ ମାନୁଫାକ୍ଚରିଙ୍ଗର ବିକାଶ ପ୍ରତି ବଜେଟ୍ରେ ବିଶେଷ ଧ୍ୟାନ ଦିଆଯାଇଛି। ଏଥର ବଜେଟ୍ରେ ସେବା କ୍ଷେତ୍ର ଉପରେ ମଧ୍ୟ ବିଶେଷ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶିକ୍ଷାରୁ ଆରମ୍ଭ କରି ନିଯୁକ୍ତି ଓ ଉଦ୍ୟୋଗ ପର୍ଯ୍ୟନ୍ତରେ ସେବା କ୍ଷେତ୍ରରେ ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟିକୁ ସହାୟକ ହେବା ଭଳି ନୀତି ନିର୍ଦ୍ଧାରଣ କରିବା ନିମିତ୍ତ ଏକ ଉଚ୍ଚକ୍ଷମତାସଂପନ୍ନ କମିଟି ଗଠନ ପାଇଁ ବଜେଟ୍ରେ ପ୍ରସ୍ତାବ ରଖାଯାଇଛି। ‘ଆଇଟି’ଭିତ୍ତିକ ସେବା, ପର୍ଯ୍ୟଟନ, ସ୍ବାସ୍ଥ୍ୟ ଓ ପଶୁ ଚିକିତ୍ସା, ସାମାଜିକ ଯତ୍ନ ଆଦି କ୍ଷେତ୍ରମାନଙ୍କ ପାଇଁ ବଜେଟ୍ରେ ଯେଉଁ ସହାୟକ ସ୍କିମ୍ମାନଙ୍କ ପାଇଁ ପ୍ରସ୍ତାବ ଦିଆଯାଇଛି, ସେଥିରେ ନୂତନ ‘ସେଣ୍ଟର୍ସ ଅଫ୍ ଏକ୍ସେଲେନ୍ସ’ ସ୍ଥାପନ ପାଇଁ ସମ୍ବଳ ଯୋଗାଣ ଠାରୁ ନୂତନ ଅନୁଷ୍ଠାନମାନଙ୍କ ପାଇଁ ସବ୍ସିଡି ପ୍ରଦାନ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ।
ସରକାର ମାନୁଫାକ୍ଚରିଙ୍ଗ କ୍ଷେତ୍ରର ସଂପ୍ରସାରଣକୁ ଗୁରୁତ୍ବ ପ୍ରଦାନ କରୁଥିଲେ ହେଁ, ଏଥିପାଇଁ ଆବଶ୍ୟକ ପୁଞ୍ଜି ନିବେଶ କରିବା ପାଇଁ ଘରୋଇ କ୍ଷେତ୍ର ପ୍ରଦର୍ଶନ କରୁଥିବା କୁଣ୍ଠା ପରିପ୍ରେକ୍ଷୀରେ ସରକାର ସେବା କ୍ଷେତ୍ର ପ୍ରତି ଏଭଳି ଅଧିକ ଧ୍ୟାନ ଦେବାକୁ ଉଚିତ ମନେ କରିଥିବା ଭଳି ଲାଗୁଛି। ବର୍ତ୍ତମାନ ଭାରତରେ ଉତ୍ପାଦିତ ଦ୍ରବ୍ୟ ଆନ୍ତର୍ଜାତିକ ବଜାରରେ ସମ୍ମୁଖୀନ ହେଉଥିବା ଉଭୟ ଟାରିଫ୍ ଓ ଅଣ-ଟାରିଫ୍ ପ୍ରତିବନ୍ଧକମାନ ମଧ୍ୟ ସରକାରଙ୍କୁ ସେବା କ୍ଷେତ୍ର ଉପରେ ପୂର୍ବାପେକ୍ଷା ଅଧିକ ନିର୍ଭର କରିବାକୁ ପ୍ରବୃତ୍ତ କରିବା ସ୍ବାଭାବିକ। ଏହାର କାରଣ, ସେବା କ୍ଷେତ୍ର ଏ ପର୍ଯ୍ୟନ୍ତ ଏଭଳି ପ୍ରତିବନ୍ଧକର ସମ୍ମୁଖୀନ ହୋଇନାହିଁ। କିନ୍ତୁ ସେବା କ୍ଷେତ୍ରକୁ ଅଧିକ ଫଳପ୍ରସୂ କରିବାକୁ ହେଲେ ଆମର ଶ୍ରମ ଶକ୍ତିର ଦକ୍ଷତାରେ ମଧ୍ୟ ଆଖିଦୃଶିଆ ଉନ୍ନତି ସାଧନ କରିବାକୁ ହେବ, ଏଥିରେ ସନ୍ଦେହ ନାହିଁ। ଉପରୋକ୍ତ ପ୍ରସ୍ତାବମାନଙ୍କରୁ ସରକାର ଏହା ହୃଦୟଙ୍ଗମ କରିଛନ୍ତି ବୋଲି ଜଣାପଡୁଛି। କିନ୍ତୁ ବର୍ତ୍ତମାନ ଏଇ ପରିପ୍ରେକ୍ଷୀରେ ଯେଉଁ ଏକ ନୂତନ ଆଶଙ୍କାର ଆବିର୍ଭାବ ଘଟିଲାଣି, ତାହା ସୃଷ୍ଟି ହୋଇଛି ଏ କ୍ଷେତ୍ରରେ ‘ଏଆଇ’ର ଅନୁପ୍ରବେଶର ସମ୍ଭାବନା ଯୋଗୁଁ। ଏଥିଯୋଗୁଁ ଯଦି ନିଯୁକ୍ତି ସୃଷ୍ଟି ସଂକୁଚିତ ହୁଏ ତେବେ ସରକାରଙ୍କର ଏଇ ସେବାମୁଖୀ ଉଦ୍ୟମ ଆଶାନୁରୂପ ଫଳ ପ୍ରସବ ନ କରିପାରେ।
ବଜେଟ୍ ବହନ କରୁଥିବା ସରକାରଙ୍କର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନୀତି ହେଉଛି ଏ ପର୍ଯ୍ୟନ୍ତ ସରକାରଙ୍କ ଦ୍ବାରା ଅନୁସୃତ ହୋଇ ଚାଲିଥିବା ପ୍ରଶଂସନୀୟ ରାଜକୋଷୀୟ ସଂଯମ। ଏହି ବଜେଟ୍ ଠାରୁ ସରକାର ଯେଉଁ ନୂତନ ନୀତି ଅନୁପାଳନ ଆରମ୍ଭ କରିଛନ୍ତି, ତାହା ଅନୁସାରେ ‘ରାଜକୋଷୀୟ ନିଅଣ୍ଟ’ (‘ଫିସ୍କାଲ୍ ଡେଫିସିଟ୍’) ସ୍ଥାନରେ ସରକାରୀ ଋଣର ‘ଜିଡିପି’ରେ ଅନୁପାତ ଉପରେ ସରକାର ଏଣିକି ନିଘା ରଖି କାର୍ଯ୍ୟ କରିବେ। ଚଳିତ ବିତ୍ତ ବର୍ଷରେ ଏଇ ଅନୁପାତ ୫୬.୧ ଶତାଂଶ ଥିବାବେଳେ ୨୦୨୬-୨୭ରେ ତାହା ସାମାନ୍ୟ ହ୍ରାସ ପାଇ ୫୫.୬ ଶତାଂଶ ହେବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ମୁଦ୍ରାସ୍ଫୀତିରେ ସାମାନ୍ୟ ବୃଦ୍ଧି ଘଟି ଆସନ୍ତା ବର୍ଷ ମୌଦ୍ରିକ ‘ଜିଡିପି’ (ନୋମିନାଲ୍ ‘ଜିଡିପି’)ରେ ବୃଦ୍ଧି ଘଟିଲେ ଏହା ଦେଖାଯିବ ବୋଲି ଆଶା କରାଯାଉଛି। ତେବେ ‘ଫିସ୍କାଲ୍ ଡେଫିସିଟ୍’ ମଧ୍ୟ ଚଳିତ ବର୍ଷର ନିରାପଦ ସ୍ତର ୪.୪ ଶତାଂଶରୁ ହ୍ରାସ ପାଇ ୪.୩ ହେବାକୁ ଯାଉଛି ବୋଲି ଯେଉଁ ଅନୁମାନ ପ୍ରକାଶ ପାଉଛି, ତାହା ଭାରତୀୟ ଅର୍ଥନୀତିର ମୁଖ୍ୟ ପରିଚାଳିକା ସୀତାରମଣ ତାଙ୍କର ସୁଦୀର୍ଘ କାର୍ଯ୍ୟକାଳ ସାରା ପ୍ରଦର୍ଶନ କରି ଆସିଥିବା ବିତ୍ତୀୟ ସଂଯମ ଓ ଶୃଙ୍ଖଳାର ପରିଚାୟକ ହୋଇଥାଏ। ଏହା ହିଁ ଏକ ଅସ୍ଥିର ପୃଥିବୀରେ ଭାରତୀୟ ଅର୍ଥନୀତିକୁ ଏକ ନିରାପଦ ଦ୍ବୀପରେ ପରିଣତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛି।
ସୌଜନ୍ୟ ସମ୍ବାଦ

