ସମ୍ପାଦକୀୟ

Editorial: ପାଣିର ଗତି

ଡଲାର ଯୋଗରେ ବୃଦ୍ଧି ଘଟିଲେ ଡଲାରର ବିନିମୟ ମୂଲ୍ୟରେ ହ୍ରାସ ଓ ଟଙ୍କାର ବିନିମୟ ମୂଲ୍ୟରେ ବୃଦ୍ଧି ଘଟିବ। ଏହା ଯେ ଏକ ଅବାସ୍ତବ ପରିକଳ୍ପନା ନୁହେଁ, ତାହାର ପ୍ରମାଣ ସ୍ବରୂପ ରିଜର୍ଭ ବ୍ୟାଙ୍କ୍‌ର ଘୋଷଣା ପରେ ପରେ ଶୁକ୍ରବାର ଦିନ ଟଙ୍କାର ସ୍ଖଳନରେ ବିରତି....

ଡଲାର ଯୋଗରେ ବୃଦ୍ଧି ଘଟିଲେ ଡଲାରର ବିନିମୟ ମୂଲ୍ୟରେ ହ୍ରାସ ଓ ଟଙ୍କାର ବିନିମୟ ମୂଲ୍ୟରେ ବୃଦ୍ଧି ଘଟିବ। ଏହା ଯେ ଏକ ଅବାସ୍ତବ ପରିକଳ୍ପନା ନୁହେଁ, ତାହାର ପ୍ରମାଣ ସ୍ବରୂପ ରିଜର୍ଭ ବ୍ୟାଙ୍କ୍‌ର ଘୋଷଣା ପରେ ପରେ ଶୁକ୍ରବାର ଦିନ ଟଙ୍କାର ସ୍ଖଳନରେ ବିରତି ଦେଖାଦେଇ ତାହାର ବିନିମୟ ମୂଲ୍ୟରେ କିଞ୍ଚିତ୍ ବୃଦ୍ଧି ଘଟିବା ଦେଖାଯାଇଥିଲା।

ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (‘ଏମ୍‌ପିସି’) ତା’ର ସଦ୍ୟସମାପ୍ତ ଦ୍ବିମାସିକ ବୈଠକରେ ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’କୁ ୫.୨୫ ଶତାଂଶ ସ୍ତରରେ ଅପରିବର୍ତ୍ତିତ ରଖିବା ସହିତ ତା’ର ‘ଷ୍ଟାନ୍‌ସ’ ବା ଆଭିମୁଖ୍ୟକୁ ମଧ୍ୟ ସ୍ଥିତାବସ୍ଥା ବଜାୟ ରଖି ନିରପେକ୍ଷ ରଖିବାକୁ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ୍‌ର ଏଭଳି ପରିବର୍ତ୍ତନ-କୁଣ୍ଠା କାହାରିକୁ ଆଶ୍ଚର୍ଯ୍ୟ କରି ନାହିଁ। ଏହା ସତ ଯେ ଗତ ଏପ୍ରିଲରେ ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ର ଶେଷ ବୈଠକ ପରଠାରୁ ଇତିମଧ୍ୟରେ ବିଭିନ୍ନ କାରଣରୁ ଦେଶର ଅର୍ଥନୈତିକ ପରିସ୍ଥିତିରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନମାନ ଘଟିବାରେ ଲାଗିଛି, ଯାହା ସହିତ ଖାପ ଖାଇବା ପାଇଁ ‘ଏମ୍‌ପିସି’ ତା’ର ମୁଦ୍ରା ନୀତିରେ ପରିବର୍ତ୍ତନ ଘଟାଇବା ଆଦୌ ଅସ୍ବାଭାବିକ ବିବେଚିତ ହୁଅନ୍ତା ନାହିଁ। କିନ୍ତୁ ‘ଏମ୍‌ପିସି’ ତାହା ନ କରି ତରବର ନ ହୋଇ ଏହି ଦ୍ରୁତ ପରିବର୍ତ୍ତନଶୀଳ ଚିତ୍ର ଉପରେ ଦୃଷ୍ଟି ନିବଦ୍ଧ କରି କେଉଁ ପାଣି କେଉଁଆଡ଼େ ଯାଉଛି, ସେ ସମ୍ବନ୍ଧରେ ଏକ ନିଶ୍ଚିତ ସୂଚନା ଉପଲବ୍‌ଧ ହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି ବିଚାର କରିଛି। ଏହା ତେଣୁ ମଧ୍ୟ ଆଦୌ ଅସ୍ବାଭାବିକ ନୁହେଁ।
ରିଜର୍ଭ ବ୍ୟାଙ୍କ୍ ପାଇଁ ଯାହା ବିଶେଷ ଭାବରେ ଚିନ୍ତାର କାରଣ ହୋଇଛି, ତାହା ହେଲା ଏଇ ସମୟ ମଧ୍ୟରେ ଘଟିଥିବା ଘଟଣାମାନଙ୍କ ପ୍ରଭାବରେ ଦେଶରେ ଦରଦାମ ବୃଦ୍ଧି ଅର୍ଥାତ୍ ମୁଦ୍ରାସ୍ଫୀତି ପୁଣି ଅଣାୟତ୍ତ ହେବାର ସମ୍ଭାବନା। ଏହାର ପ୍ରମାଣ ସ୍ବରୂପ ରିଜର୍ଭ ବ୍ୟାଙ୍କ୍ ୨୦୨୬-୨୭ ବିତ୍ତ ବର୍ଷ ପାଇଁ ଦେଶରେ ଖାଉଟି ମୁଦ୍ରାସ୍ଫୀତି ସମ୍ବନ୍ଧରେ ତା’ର ପୂର୍ବର ଅନୁମାନରେ ଏକ ତୀକ୍ଷ୍‌ଣ ବୃଦ୍ଧି ଘଟାଇ ତାହା ୫.୧ ଶତାଂଶ ହେବ ବୋଲି ଏବେ ସତର୍କ ସୂଚନା ପ୍ରଦାନ କରିଛି। ପ୍ରକୃତ ମୁଦ୍ରାସ୍ଫୀତି ଯେ ଏଇ ସ୍ତରକୁ ମଧ୍ୟ ଅତିକ୍ରମ କରିଯାଇପାରେ, ତାହାର ମଧ୍ୟ ଯେ ଦୃଢ଼ ସମ୍ଭାବନା ରହିଛି, ରିଜର୍ଭ ବ୍ୟାଙ୍କ୍ ସେ ବିଷୟରେ ମଧ୍ୟ ସଚେତନ ଅଛି। ଯଦି ତାହା ଘଟେ, ତେବେ ରିଜର୍ଭ ବ୍ୟାଙ୍କ୍ ତା’ର ବର୍ତ୍ତମାନର କୁଣ୍ଠା ପରିହାର କରି ଆଗାମୀ ‘ଏମ୍‌ପିସି’ ବୈଠକରେ ସୁଧ ହାରରେ ବୃଦ୍ଧି ଘଟାଇବାକୁ ଆଗେଇ ଆସିପାରେ।
୨୦୨୬-୨୭ ବିତ୍ତ ବର୍ଷର ଡିସେମ୍ବର ଚଉଠରେ ମୁଦ୍ରାସ୍ଫୀତି ହାର ଯଦି ରିଜର୍ଭ ବ୍ୟାଙ୍କ୍ ଅନୁମାନ କରୁଥିବା ଭଳି ୫.୯ ଶତାଂଶ ଛୁଏଁ, ତେବେ ତାହା ନିର୍ଦ୍ଧାରିତ ସହନ ବଳୟର ଉପର ୬ ଶତାଂଶ ସୀମା ସହିତ ଧକ୍‌କା ଖାଇବାକୁ ଉଦ୍ୟତ ହେବ। ତା’ଛଡ଼ା ରିଜର୍ଭ ବ୍ୟାଙ୍କ୍ ଗଭର୍ନର ସଞ୍ଜୟ ମଲହୋତ୍ରା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ ଦେଶରେ ମୁଦ୍ରା ସ୍ତରକୁ ୪ ଶତାଂଶ ସ୍ତରରେ ରଖିବା ପାଇଁ ବ୍ୟାଙ୍କ୍ ତା’ର ଲକ୍ଷ୍ୟରେ ଅଟଳ ରହିଛି। ଏହା ଜଣାଶୁଣା ଯେ ମୁଦ୍ରାସ୍ଫୀତି ଚାପରେ ପାରିଶ୍ରମିକ ହାରରେ ବୃଦ୍ଧି ଘଟିବା ଦ୍ବାରା ପରବର୍ତ୍ତୀ ଅର୍ଥାତ୍ ଦ୍ବିତୀୟ ପର୍ଯ୍ୟାୟରେ ଦରଦାମରେ ଆହୁରି ଅଧିକ ବୃଦ୍ଧି ଘଟିବା ଦେଖାଯାଇଥାଏ। ପେଟ୍ରୋଲ, ଡିଜେଲ ଆଦିର ଦର ବୃଦ୍ଧି ଘଟୁଥିବାରୁ ଉତ୍ପାଦନକାରୀ ଓ ସେବା ପ୍ରଦାନକାରୀମାନେ ଦର ବୃଦ୍ଧି ମାଧ୍ୟମରେ ଏଇ ଅତିରିକ୍ତ ବୋଝକୁ ଖାଉଟିମାନଙ୍କ ଉପରକୁ ଠେଲି ଦେବା ପାଇଁ ନିଶ୍ଚିତ ରୂପେ ଉଦ୍ୟମ କରିବେ। ଏଇ ସମସ୍ତ ବାସ୍ତବ ସମ୍ଭାବନା ସବୁକୁ ବିଚାରକୁ ନେଇ ୨୦୨୬-୨୭ ବିତ୍ତ ବର୍ଷ ପାଇଁ ମଞ୍ଜ ମୁଦ୍ରାସ୍ଫୀତି (ଖାଦ୍ୟଦ୍ରବ୍ୟ ଓ ଇନ୍ଧନ ଆଦିକୁ ବାଦ୍ ‌ଦିଆଯାଇ ଘଟୁଥିବା ମୁଦ୍ରାସ୍ଫୀତି) ସଂପର୍କରେ ଏଥିପୂର୍ବରୁ କରାଯାଇଥିବା ପୂର୍ବାନୁମାନରେ ମଧ୍ୟ ପରିବର୍ତ୍ତନ କରାଯାଇ ତାହା ୪.୪ ଶତାଂଶ ସ୍ଥାନରେ ୪.୭ ଶତାଂଶ ହେବ ବୋଲି ପ୍ରାକ୍-ସୂଚନା ପ୍ରକାଶ ପାଇଛି।
ଏଥିରୁ ଯେଉଁ ଏକ ସନ୍ଦେଶ ମିଳିଥାଏ, ତାହା ହେଲା ନିକଟ ଭବି‌ଷ୍ୟତରେ ଭାରତର ଦ୍ରୁତ ଅଭିବୃଦ୍ଧି ପଥରେ ଯାତ୍ରା ସହଜ ହେବାକୁ ଯାଉନାହିଁ। ବର୍ତ୍ତମାନ ଆଶଙ୍କା କରାଯାଉଥିବା ଏକ ଦୁର୍ବଳ-ମୌସୁମୀ ମଧ୍ୟ ଏଇ ଯାତ୍ରା ପଥରେ ଏକ ଅତିରିକ୍ତ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରିପାରେ। ଏଥିଯୋଗୁଁ କୃଷି ଅମଳ ବାଧାପ୍ରାପ୍ତ ହେଲେ ତାହା ଗ୍ରାମ୍ୟ ଚାହିଦାରେ ସଂକୋଚନ ଘଟାଇବ। ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଲେ ତାହା ସହର ବାସିନ୍ଦାମାନଙ୍କର କ୍ରୟ ଶକ୍ତିରେ ହ୍ରାସ ଘଟାଇବ। ସାଧାରଣତଃ ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହେଲେ ରିଜର୍ଭ ବ୍ୟାଙ୍କ୍ ଅଭିବୃଦ୍ଧିରେ ସହାୟକ ହେବା ଲାଗି ପଦକ୍ଷେପମାନ ନେଇଥାଏ, ଯେମିତି ସୁଧ ହାରରେ ହ୍ରାସ। କିନ୍ତୁ ବର୍ତ୍ତମାନ ମୁଦ୍ରାସ୍ଫୀତି ମୁଣ୍ଡ ଟେକିବାର ସମ୍ଭାବନା ଦେଖା ଯାଉଥିବାରୁ ଏବଂ ରିଜର୍ଭ ବ୍ୟାଙ୍କ୍ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ସର୍ବାଧିକ ପ୍ରାଧାନ୍ୟ ପ୍ରଦାନ କରୁଥିବାରୁ, ‘ଏମ୍‌ପିସି’ ତା’ର ପରବର୍ତ୍ତୀ କୌଣସି ଏକ ବୈଠକରେ ସୁଧ ହାରରେ ବୃଦ୍ଧି ଘଟାଇବାର ଯଥେଷ୍ଟ ସମ୍ଭାବନା ଦେଖାଯାଉଛି। ତେବେ ତାହା ଅଗଷ୍ଟ ବୈଠକରେ ଘଟିବ କିମ୍ବା ଅକ୍‌ଟୋବର ବୈଠକରେ ଘଟିବ, ତାହା ମଧ୍ୟପ୍ରାଚ୍ୟ ଅସ୍ଥିରତାର ଗତିବିଧି ଓ ତୈଳ ଦରର ଅାଚରଣ ଉପରେ ନିର୍ଭର କରିଥାଏ। ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ଯେ ଯଦି ଆନ୍ତର୍ଜାତିକ ତୈଳ ଦର ଉଚ୍ଚା ରହେ ଏବଂ ଦେଶରେ ଇନ୍ଧନ ଦରରେ ବୃଦ୍ଧି ଘଟିଚାଲେ, ତେବେ ରିଜର୍ଭ ବ୍ୟାଙ୍କ୍ ଯେଉଁ ସଂକୋଚନମୂଳକ ପଦକ୍ଷେପମାନ ନେବ, ତାହାର ଅଂଶସ୍ବରୂପ ଏକାଧିକ ପର୍ଯ୍ୟାୟରେ ‘ରେପୋ ରେଟ୍’ରେ ୫୦ରୁ ୧୦୦ ବେସିସ୍ ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। ଭାରତୀୟ ଅର୍ଥନୀତିରେ ସକ୍ରିୟ ଥିବା ଶକ୍ତିମାନେ ଏଭଳି ସମ୍ଭାବନା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।

ସେମାନେ ମଧ୍ୟ ନିକଟ ଅତୀତରେ ଭାରତୀୟ ମୁଦ୍ରା ଟଙ୍କାର ଆଚରଣ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି, ଯାହାର ବିନିମୟ ମୂଲ୍ୟରେ ଜାନୁଆରିରୁ ଜୁନ୍ ଆରମ୍ଭ ମଧ୍ୟରେ ପ୍ରାୟ ୬ ଶତାଂଶ ହ୍ରାସ ଘଟି ସାରିଲାଣି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ରିଜର୍ଭ ବ୍ୟାଙ୍କ୍ ଏ ପର୍ଯ୍ୟନ୍ତ ସୁଧ ହାର ବୃଦ୍ଧି ମାଧ୍ୟମରେ ସେଇ ସ୍ଖଳନକୁ ପ୍ରତିହତ କରିବାକୁ ଚେଷ୍ଟା କରିନାହିଁ। ଅପର ପକ୍ଷେ ଏଇ କେନ୍ଦ୍ରୀୟ ବ୍ୟାଙ୍କ୍ ସରକାରଙ୍କ ସହିତ ମିଳିତ ହୋଇ ଦେଶକୁ ବୈଦେଶିକ ପୁଞ୍ଜି ନିବେଶ ଆକର୍ଷିତ କରିବା ମାଧ୍ୟମରେ ଟଙ୍କାର ସ୍ଖଳନକୁ ଅଟକାଇ ତାହାର ବିନିମୟ ମୂଲ୍ୟରେ ସୁଧାର ଆଣିବା ପାଇଁ ଚେଷ୍ଟା କରିବାକୁ ପସନ୍ଦ କରିଛି। ଏଥିରେ ବାହ୍ୟ ବାଣିଜ୍ୟିକ ଋଣ ପାଇଁ ‘ସ୍ବାପ୍’ ରିହାତିରୁ ଟିକସ ଛାଡ଼ ପର୍ଯ୍ୟନ୍ତ ପଦକ୍ଷେପମାନ ଅନ୍ତର୍ଭୁକ୍ତ। ଏହାର ଫଳସ୍ବରୂପ ଆସନ୍ତା କେତେ ମାସ ମଧ୍ୟରେ ଦେଶରେ ପ୍ରାୟ ୫୦ ବିଲିଅନ ଡଲାର ପର୍ଯ୍ୟନ୍ତ ପ୍ରବେଶ କରିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଡଲାର ଯୋଗରେ ବୃଦ୍ଧି ଘଟିଲେ ଡଲାରର ବିନିମୟ ମୂଲ୍ୟରେ ହ୍ରାସ ଓ ଟଙ୍କାର ବିନିମୟ ମୂଲ୍ୟରେ ବୃଦ୍ଧି ଘଟିବ। ଏହା ଯେ ଏକ ଅବାସ୍ତବ ପରିକଳ୍ପନା ନୁହେଁ, ତାହାର ପ୍ରମାଣ ସ୍ବରୂପ ରିଜର୍ଭ ବ୍ୟାଙ୍କ୍‌ର ଘୋଷଣା ପରେ ପରେ ଶୁକ୍ରବାର ଦିନ ଟଙ୍କାର ସ୍ଖଳନରେ ବିରତି ଦେଖାଦେଇ ତାହାର ବିନିମୟ ମୂଲ୍ୟରେ କିଞ୍ଚିତ୍ ବୃଦ୍ଧି ଘଟିବା ଦେଖାଯାଇଥିଲା।
ଏଇ ସ୍ତମ୍ଭରେ ଗତକାଲି ଉଲ୍ଲେଖ କରାଯାଇଥିବା ଭଳି ରିଜର୍ଭ ବ୍ୟାଙ୍କ୍‌ର ଘୋଷଣା ପ୍ରକାଶ ପାଇବା ସମୟରେ ସଂଯୋଗବଶତଃ ଭାରତୀୟ ଅର୍ଥନୀତି ୨୦୨୫-୨୬ ବିତ୍ତ ବର୍ଷରେ ଏକ ଅପେକ୍ଷାକୃତ ଉଚ୍ଚ ଅଭିବୃଦ୍ଧି ହାର ହାସଲ କରିଥିବା ପ୍ରକାଶ ପାଇଛି। ତାହା କେତେ‌କାଂଶରେ ଆଗାମୀ ଆହ୍ବାନ ସବୁର ମୁକାବିଲା କରିବାରେ ସହାୟକ ହୋଇପାରେ, କିନ୍ତୁ ଦୁଇ ବର୍ଷର ଅର୍ଥନୈତିକ ସ୍ଥିରତା ପରେ ଆମକୁ ଯେ ଏବେ ଏକ ବିକ୍ଷୁବ୍‌ଧ ଭବିଷ୍ୟତର ସାମନା କରିବାକୁ ହେବ, ତାହା ସ୍ବୀକାର କରି ଆମକୁ ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button