Editorial

Editorial: ବୀରତ୍ୱର ସ୍ମାରକୀ କୁଦୋପାଲି

ଭାରତବର୍ଷର ସ୍ବାଧୀନତା ସଂଗ୍ରାମର ଇତିହାସ କେବଳ କିଛି ଆନ୍ଦୋଳନର କାହାଣୀ ନୁହେଁ, ବରଂ ଏହା ହଜାର ହଜାର ବୀର ସନ୍ତାନଙ୍କ ରକ୍ତ, ଅସୀମ ତ୍ୟାଗ ଏବଂ ଆତ୍ମବଳିଦାନର ଏକ ଜାଜ୍ୱଲ୍ୟମାନ ଗାଥା।

ଭାରତବର୍ଷର ସ୍ବାଧୀନତା ସଂଗ୍ରାମର ଇତିହାସ କେବଳ କିଛି ଆନ୍ଦୋଳନର କାହାଣୀ ନୁହେଁ, ବରଂ ଏହା ହଜାର ହଜାର ବୀର ସନ୍ତାନଙ୍କ ରକ୍ତ, ଅସୀମ ତ୍ୟାଗ ଏବଂ ଆତ୍ମବଳିଦାନର ଏକ ଜାଜ୍ୱଲ୍ୟମାନ ଗାଥା। ଦେଶର କୋଣ ଅନୁକୋଣରେ ଏମିତି ଅନେକ ସ୍ଥାନ ରହିଛି, ଯେଉଁଠାରେ ସଂଗ୍ରାମୀମାନେ ମାତୃଭୂମିର ସମ୍ମାନ ପାଇଁ ହସିହସି ପ୍ରାଣବଳି ଦେଇଛନ୍ତି। ପଞ୍ଜାବର ଜାଲିଆନୱାଲାବାଗ, ଗୁଜୁରାଟର ପଲ୍-ଦାଢ଼ଭାବ୍, ଓଡ଼ିଶାର ରକ୍ତତୀର୍ଥ ଇରମ କିମ୍ବା ଆମକୋ-ସିମକୋ ଭଳି ଗଣ ସଂହାରର ଘଟଣାଗୁଡ଼ିକ ସ୍ମୃତିରେ ଉଜ୍ଜୀବିତ ହୋଇ ରହିଛି। ଏହି କ୍ରମରେ ସମ୍ବଲପୁରର କୁଦୋପାଲି ଏକ ଅନନ୍ୟ ଅଧ୍ୟାୟ, ଯାହା କିନ୍ତୁ ପ୍ରାୟ ବିସ୍ମୃତ। କିନ୍ତୁ କୁଦୋପାଲିର ଭୌଗୋଳିକ ଗୁରୁତ୍ବ ଏବଂ ସଂଗ୍ରାମୀଙ୍କ ଦୁର୍ଦମନୀୟ ଯୁଦ୍ଧ ସକାଶେ ଏହି ଘଟଣା ଭାରତୀୟ ସ୍ବାଧୀନତା ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଦାବି କରେ।
ସମ୍ବଲପୁରରେ ବ୍ରିଟିସ ବିରୋଧୀ ସଂଗ୍ରାମ କୌଣସି ଆକସ୍ମିକ ଘଟଣା ନ ଥିଲା। ୧୮୨୭ ମସିହାରୁ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଏହି ସଶସ୍ତ୍ର ଆନ୍ଦୋଳନର ମୂଳଦୁଆ ପଡ଼ିଥିଲା। ୧୮୪୦ ମସିହାରେ ସୁରେନ୍ଦ୍ର ସାଏ, ତାଙ୍କ କାକା ବଳରାମ ସିଂହ ଓ ଭ୍ରାତା ଉଦନ୍ତ ସାଏ ଗିରଫ ହୋଇ ହଜାରିବାଗ ଜେଲ୍‌କୁ ପଠାଯିବା ପରେ ଏହି ସଂଗ୍ରାମରେ ସାମୟିକ ବାଧା ଉପୁଜିଥିଲା। ମାତ୍ର ୧୮୫୭ର ସିପାହି ବିଦ୍ରୋହ ପରେ ଭାରତୀୟ ସଂଗ୍ରାମୀମାନେ ଏକ ନୂଆ ଦିଗ ପାଇଲେ। ଜୁଲାଇ ୩୦ ତାରିଖରେ ସଂଗ୍ରାମୀମାନେ ହଜାରିବାଗ ଜେଲର ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିଦେଲେ। ଦୀର୍ଘ ୧୭ ବର୍ଷର କଠୋର କାରାଦଣ୍ଡ ମଧ୍ୟ ବୀର ସୁରେନ୍ଦ୍ର ସାଏଙ୍କ ମନୋବଳକୁ ଦୁର୍ବଳ କରିପାରି ନଥିଲା। କାରାଗାରରୁ ମୁକ୍ତ ହେବା ପରେ ସେ ସିପାହିମାନଙ୍କ ସହ କିଛି ଦିନ ଅବସ୍ଥାନ କରି ଶେଷରେ ନିଜ ପ୍ରିୟ ମାତୃଭୂମି ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲେ। ଜେଲର ପ୍ରାଚୀର ଭାଙ୍ଗି ଜଣେ ବିପ୍ଳବୀ ରୂପରେ ସମ୍ବଲପୁରରେ ସୁରେନ୍ଦ୍ର ସାଏଙ୍କ ଆବିର୍ଭାବ ଭଳି ଘଟଣା ଥିଲା ଅତ୍ୟନ୍ତ ଲୋମହର୍ଷକ ଓ ଐତିହାସିକ। ଯେତେବେଳେ ଏହି ଭୂମିପୁତ୍ର ନିଜ ମାଟିରେ ପାଦ ଥାପିଲେ, ବୀରମାଟି ସମ୍ବଲପୁର ତାଙ୍କୁ ଦୁଇ ହାତ ବଢ଼ାଇ ଆପଣାଇ ନେଇଥିଲା। ଉତ୍କଣ୍ଠିତ ଜନତାଙ୍କ ମଧ୍ୟରେ ଏକ ଅଦ୍ଭୁତ ଶିହରଣ ଖେଳିଯାଇଥିଲା। ସେହି ଦିନ ପ୍ରମାଣିତ ହୋଇଥିଲା ଯେ ସୁରେନ୍ଦ୍ର ସାଏ କେବଳ ଜଣେ ନେତା ନୁହନ୍ତି, ବରଂ ସମ୍ବଲପୁରର ଆତ୍ମା ଓ ସ୍ୱାଧୀନତାର ଅନିର୍ବାଣ ଶିଖା।

ଅକ୍‌ଟୋବର ୭ ତାରିଖରେ ହଜାର ହଜାର ସଶସ୍ତ୍ର ସମର୍ଥକଙ୍କ ସହ ସୁରେନ୍ଦ୍ର ସାଏ ସମ୍ବଲପୁର ନଗରରେ ପ୍ରବେଶ କଲେ। ସେତେବେଳେ ସମ୍ବଲପୁରର ଡେପୁଟି କମିସନର କ୍ୟାପଟେନ ଲେ ଅତ୍ୟନ୍ତ ନିରୁପାୟ ଅବସ୍ଥାରେ ଥିଲେ। ତାଙ୍କ ପାଖରେ ଥିବା ଦେଢ଼ଶହ ସୈନ୍ୟ ରୋଗାକ୍ରାନ୍ତ ଥିଲେ। ସେମାନେ ମଧ୍ୟ ଦୋଦୁଲ୍ୟମାନ ସ୍ଥିତିରେ ଥିଲେ, କାରଣ ସେମାନଙ୍କର ମୂଳ ରାମଗଡ଼ ବାଟାଲିଅନ ପୂର୍ବରୁ ବିଦ୍ରୋହ କରିସାରିଥିଲା। ସୁରେନ୍ଦ୍ର ସାଏ ଚାହିଁଥିଲେ ସେହି ଦିନ ସମ୍ବଲପୁରକୁ ଅକ୍ତିଆର କରିପାରିଥାନ୍ତେ; ମାତ୍ର ଜଣେ ଦୂରଦର୍ଶୀ ଭାବେ ସେ ଜାଣିଥିଲେ ଯେ ଏହି ବିଜୟ ସ୍ଥାୟୀ ହେବ ନାହିଁ। ତେଣୁ ସେ ଏକ ଦୀର୍ଘମିଆଦି ଗରିଲା ଯୁଦ୍ଧ ବା ସ୍ଥାନୀୟ ଭାଷାରେ ‘ଉଲଗୁଲାନ’ର ପରିକଳ୍ପନା କରିଥିଲେ। ଆହୁରି ମଧ୍ୟ ସେ ସମ୍ବଲପୁରରେ ଅବସ୍ଥାପିତ ରାମଗଡ଼ ବାଟାଲିଅନକୁ ନିଜ ପକ୍ଷଭୁକ୍ତ କରିବାକୁ ଚାହୁଥିଲେ। ସମ୍ବଲପୁରର ଜେଲକୁ ସୁରେନ୍ଦ୍ରଙ୍କ ସମର୍ଥକମାନେ ଘେରିଗଲେ ଓ ପୁରୁଣା ଗଡ଼ ଉପରେ ତିନିଟି ପତାକା ଉଡ଼ାଇଲେ ତଥା ରାଜରାସ୍ତାରେ ସମରାଭ୍ୟାସ ଆରମ୍ଭ କରିଦେଲେ। କ୍ୟାପଟେନ ଲେ ପ୍ରତିରୋଧ କରିବା ବଦଳରେ ବାର୍ତ୍ତାଳାପ ପାଇଁ ଆମନ୍ତ୍ରଣ କଲେ ଉଭୟ ଭାଇଙ୍କୁ। ଲେଙ୍କ ପାଖରେ ସୁରେନ୍ଦ୍ର ନିଜ ରାଜ୍ୟ ଲାଗି ଦାବି କଲେ। କ୍ୟାପଟେନ ଲେ ଉପରିସ୍ଥ ଅଧିକାରୀଙ୍କ ମତାମତ ନେବା ପାଇଁ ସମୟ ମାଗିଲେ। ସୁରେନ୍ଦ୍ରଙ୍କୁ ନିଜର ହଜାର ହଜାର ଅନୁଗତଙ୍କୁ ଫେରାଇ ଦେଇ ଅଳ୍ପ କିଛି ସହଯୋଗୀଙ୍କ ସହ ସମ୍ବଲପୁରରେ ଅପେକ୍ଷା କରିବାକୁ ଅନୁରୋଧ କଲେ। ସୁରେନ୍ଦ୍ର ଏ ପ୍ରସ୍ତାବରେ ରାଜି ହୋଇ ପୁରୁଣା ଗଡ଼ରେ ରହିଲେ। କହିବା ବାହୁଲ୍ୟ, ସୁରେନ୍ଦ୍ର ନିଜ ସଂଗ୍ରାମ ଆରମ୍ଭ କରିବା ପାଇଁ ଠିକଣା ସମୟକୁ ଅପେକ୍ଷା କରିଥିଲେ। କାରଣ, ଇଂରେଜ ଅଧିକାରୀମାନେ ସୁରେନ୍ଦ୍ର ଓ ଉଦନ୍ତଙ୍କ ଅବଶିଷ୍ଟ ଜେଲଦଣ୍ଡକୁ ମାଫ କରି ପୂର୍ବତନ ରାଣୀଙ୍କ ଭଳି ଉଚ୍ଚ ହାରରେ ପେନସନ ଦେବାକୁ ନିଷ୍ପତ୍ତି କରିସାରିଥିଲେ ବି ସୁରେନ୍ଦ୍ର ଏ କଥାକୁ ସ୍ବୀକାର କରି ନ ଥିଲେ। ତେଣୁ ନିଜ ଯୋଜନା ମୁତାବକ କାର୍ତ୍ତିକ ପୂର୍ଣ୍ଣିମା ଦିନ ସେ ସହର ଛାଡ଼ି ଅରଣ୍ୟ ଭିତରକୁ ଅନ୍ତର୍ଦ୍ଧାନ ହୋଇଗଲେ। ଏହା ପରେ ଆରମ୍ଭ ହେଲା ପ୍ରତିରୋଧୀ ସଂଗ୍ରାମର ଲୋମହର୍ଷଣକାରୀ ଅଧ୍ୟାୟ।

ସମ୍ବଲପୁର ସହରରୁ ପ୍ରାୟ ଚାରି ମାଇଲ ଦୂରରେ ଅବସ୍ଥିତ କୁଦୋପାଲି ଏହି ସଂଗ୍ରାମର ପ୍ରମୁଖ କେନ୍ଦ୍ର ପାଲଟିଲା। ଏହି ସ୍ଥାନର ଭୌଗୋଳିକ ଅବସ୍ଥିତି ଅତି ମହତ୍ତ୍ବପୂର୍ଣ୍ଣ ଥିଲା। ଏହି ସ୍ଥାନରେ ହିଁ ବମ୍ବେ-କଲିକତା ଏବଂ ରାଞ୍ଚି-ସମ୍ବଲପୁର ମାର୍ଗର ସମାନ୍ତରାଳ ସଂଯୋଗ ରହିଥିଲା। ପାହାଡ଼ ଶୀର୍ଷରୁ ଶତ୍ରୁ ପକ୍ଷର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା ସମ୍ଭବ ଥିଲା। ସୁରେନ୍ଦ୍ର ସାଏଙ୍କ ଆହ୍ୱାନରେ ସମ୍ବଲପୁର ଓ ବାମଣ୍ଡାର ପ୍ରାୟ ସମସ୍ତ ଜମିଦାର ଏହି ସଂଗ୍ରାମରେ ସାମିଲ ହେଲେ।
ସଂଗ୍ରାମୀମାନେ ବ୍ରିଟିସ ପ୍ରଶାସନକୁ ଅଚଳ କରିବା ପାଇଁ ଏକ ଅଭିନବ ରଣନୀତି ଗ୍ରହଣ କଲେ। ସେମାନେ ସମ୍ବଲପୁରକୁ ଯୋଡୁଥିବା ପ୍ରତ୍ୟେକ ପ୍ରମୁଖ ରାସ୍ତାରେ ଦୁର୍ଗ ନିର୍ମାଣ କରି ରାସ୍ତା ଅବରୋଧ କଲେ। ଫଳରେ ସୈନ୍ୟବାହିନୀ ଓ ସରକାରୀ କର୍ମଚାରୀଙ୍କ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। କଲିକତା-ବମ୍ବେ ଏବଂ କଟକ-ସମ୍ବଲପୁର ମଧ୍ୟରେ ଡାକ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା। ସରକାର ଏକ ପ୍ରକାର ଅଚଳ ହୋଇପଡ଼ିଲେ। ଏହି ସମୟରେ ଯୁଯୋମୁରାରେ ବ୍ରିଟିସ ଡାକ୍ତର ମୂରଙ୍କୁ ସଂଗ୍ରାମୀମାନେ ହତ୍ୟା କରିବା ପରେ ବ୍ରିଟିସ ଅଧିକାରୀମାନଙ୍କ ମଧ୍ୟରେ ଭୟ ଖେଳିଗଲା। କ୍ୟାପଟେନ ଆର୍. ଲେ ଏତେ ହତାଶ ହୋଇପଡ଼ିଥିଲେ ଯେ ସେ ନିଜର ବଦଳି ପାଇଁ ଆବେଦନ କରିବାକୁ ବାଧ୍ୟ ହେଲେ।

କୁଦୋପାଲିକୁ ଦଖଲ କରିବା ପାଇଁ ବ୍ରିଟିସ ସେନା ୧୮୫୭ ଡିସେମ୍ବର ୧୭ ତାରିଖରେ ପ୍ରଥମ ଉଦ୍ୟମ କରିଥିଲା। ସୈନ୍ୟମାନେ ପାହାଡ଼ ଉପରକୁ ଚଢ଼ିବାକୁ ଚେଷ୍ଟା କଲାବେଳେ ସଂଗ୍ରାମୀମାନେ ନିଜର ପ୍ରାକୃତିକ ପ୍ରତିରୋଧ ରଣନୀତି ପ୍ରୟୋଗ କରିଥିଲେ। ସେମାନେ ପାହାଡ଼ ଶୀର୍ଷରେ ଶିଆଳି ଲତାରେ ବିଶାଳ ଗୋଲାକାର ପଥର ବାନ୍ଧି ରଖିଥିଲେ। ବ୍ରିଟିଶ ସେନା ଉପରକୁ ଚଢ଼ିବା ମାତ୍ରେ ସଂଗ୍ରାମୀମାନେ ସେହି ଲତାଗୁଡ଼ିକୁ କାଟିଦେଲେ। ଫଳରେ ତଳକୁ ଗଡ଼ି ଆସୁଥିବା ପଥର ସୈନ୍ୟମାନଙ୍କୁ ଆଗକୁ ବଢ଼ିବାକୁ ଦେଲାନାହିଁ। ବ୍ରିଟିସ ସେନାକୁ ଫେରିଯିବାକୁ ପଡ଼ିଲା। ମାତ୍ର ଏହି ବିଜୟ ପରେ ସଂଗ୍ରାମୀମାନେ ଉତ୍ସାହିତ ହୋଇ ପାହାଡ଼ ପାଦଦେଶକୁ ଓହ୍ଲାଇ ଆସି ଶତ୍ରୁ ପକ୍ଷକୁ ଗୋଡ଼ାଇବାରେ ଭୁଲ୍‌ କରିଥିଲେ, ଯାହା ପରବର୍ତ୍ତୀ ଯୁଦ୍ଧ ପାଇଁ ବ୍ରିଟିସଙ୍କୁ ଏକ ସୁଯୋଗ ଦେଇଥିଲା। ବ୍ରିଟିଶ ସରକାର ସ୍ଥିତିର ଗୁରୁତ୍ବ ଉପଲବ୍‌ଧି କରି ନାଗପୁରରୁ କ୍ୟାପଟେନ ଇ. ଜି. ଉଡଙ୍କ ନେତୃତ୍ୱରେ ୭୫ ଜଣିଆ ଅଶ୍ୱାରୋହୀ ଦଳ ସହିତ ମାଡ୍ରାସ ତୋପ ବାହିନୀ ଏବଂ ୪୦ତମ ମାଡ୍ରାସ ପଦାତିକ ବାହିନୀକୁ ସମ୍ବଲପୁର ପଠାଇଲେ। ଡିସେମ୍ବର ୩୦ ତାରିଖ ଭୋର ତିନିଟା ସମୟରେ ଏହି ବିଶାଳ ସୈନ୍ୟବାହିନୀ କୁଦୋପାଲି ଅଭିମୁଖେ ଯାତ୍ରା କଲେ।
ସେଦିନ ଭୋରରେ ଯେତେବେଳେ ସୈନ୍ୟମାନେ ପହଞ୍ଚିଲେ, ସଂଗ୍ରାମୀମାନଙ୍କର ସେଣ୍ଟ୍ରି ନାଗରା ବଜାଇ ସତର୍କ କରାଇ ଦେଇଥିଲା। ପୁଣି ଥରେ ସେହି ପଥର ଗଡ଼ା ରଣନୀତି ପ୍ରୟୋଗ କରାଗଲା। ବ୍ରିଟିସ ସେନା ଜାଣିଶୁଣି ପଛକୁ ଫେରିଯିବାର ଛଳନା କଲେ। ବିନା ଯୁଦ୍ଧରେ ବିଜୟ ମିଳିଗଲା ଭାବି ସଂଗ୍ରାମୀମାନେ ଉତ୍‌ଫୁଲ୍ଲିତ ହୋଇ ପାହାଡ଼ ଉପରୁ ତଳକୁ ଓହ୍ଲାଇ ଆସିଲେ। ମାତ୍ର ଏହା ଥିଲା ବ୍ରିଟିସମାନଙ୍କର ଏକ ସୁଚିନ୍ତିତ ଷଡ଼୍‌ଯନ୍ତ୍ର। ଏକ ମୋଡ଼ ସ୍ଥାନରେ ଲୁଚି ରହିଥିବା ଅଶ୍ୱାରୋହୀ ବାହିନୀ ଅତର୍କିତ ଭାବେ ସଂଗ୍ରାମୀଙ୍କ ଉପରେ ମାଡ଼ିଗଲେ।

ସୁରେନ୍ଦ୍ର ସାଏଙ୍କ ଚତୁର୍ଥ ଭ୍ରାତା ଛବିଳ ସାଏ ଅତ୍ୟନ୍ତ ସାହସର ସହ ଲଢ଼େଇ କରୁଥିଲେ। କୁଦୋପାଲି ଗାଁର ଏକ ସରୁ ଗଳି ଦେଇ ପଳାୟନ କରିବା ସମୟରେ ତାଙ୍କୁ ଗୁଳି ବାଜିଥିଲା। ସେ ଆହତ ଅବସ୍ଥାରେ ଘୋଡ଼ା ପିଠିରୁ ଖସି ପଡ଼ି ମଧ୍ୟ ପୁଣି ଥରେ ଉଠିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପିଠିରେ ଆଉ ଏକ ଗୁଳି ବାଜିବାରୁ ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଯୁଦ୍ଧରେ ମୋଟ ୫୩ ଜଣ ସଂଗ୍ରାମୀ ସହିଦ ହୋଇଥିଲେ। ଗିରଫ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ପରେ ଫାଶୀ ଦିଆଯାଇଥିଲା। ସମୁଦାୟ ୫୭ ଜଣ ବୀର ସନ୍ତାନ କୁଦୋପାଲିର ମାଟିକୁ ନିଜ ରକ୍ତରେ ଭିଜାଇ ରକ୍ତତୀର୍ଥରେ ପରିଣତ କରିଥିଲେ। ଏହି ସହିଦଙ୍କ ମଧ୍ୟରେ କୁଲାବିରା ଜମିଦାରଙ୍କ ପୁତ୍ର କୃଷ୍ଣଚନ୍ଦ୍ର ସିଂହ ନାଏକ, ସେନାପତି ଶ୍ରୀକୃଷ୍ଣ ବେହେରା ଏବଂ ପତ୍ରାପାଲିର ଗଉଁତିଆ ବଳଭଦ୍ର ଦାସ ବିର୍ତ୍ତିଆ ପ୍ରମୁଖ ସାମିଲ ଥିଲେ। କୁଲାବିରା ଜମିଦାର ପୂର୍ବରୁ ଜଣେ ଆତ୍ମୀୟଙ୍କୁ ହରାଇଥିଲେ, ଏବେ ପୁତ୍ରକୁ ହରାଇଲେ। ସୁରେନ୍ଦ୍ର ଭ୍ରାତାଙ୍କୁ ହରାଇଲେ। କିନ୍ତୁ ଶୋକାଭିଭୂତ ନ ହୋଇ, ହାର ନ ମାନି ସଂଗ୍ରାମ ଜାରି ରଖିଥିଲେ। ସେଇ ଦମରେ ସଂଗ୍ରାମ ଜାରି ରହିଲା। ବ୍ରିଟିସ କର୍ତ୍ତୃପକ୍ଷ ଭାବୁଥିଲେ ଏତେ ଲୋକଙ୍କ ପ୍ରାଣହାନି ପରେ ସଂଗ୍ରାମୀ ଆଉ ବଳ ପାଇବେନି, ସାହସ ହେବନାହିଁ, ଯିଏ ଯେଉଁ ଆଡ଼େ ପାରିବେ ପଳାୟନ କରିବେ ତଥା ଲୁଚିବେ। ମାତ୍ର ସେପରି ହେଲା ନାହିଁ। ସଂଗ୍ରାମ ଶୀର୍ଷ ଚରଣରେ ଓ ତୀବ୍ର ଗତିରେ ଜାରି ରହିଲା। କେଇ ବର୍ଷ ଧରି ବ୍ରିଟିସ ସରକାରକୁ ସମ୍ବଲପୁରରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନେକ କିଛି ହରାଇବାକୁ ପଡ଼ିଲା। ଅନେକ ବ୍ରିଟିସ ସୈନ୍ୟ ମୃତାହତ ହେଲେ। ପାହାଡ଼ଶ୍ରୀଗିଡ଼ା ଯୁଦ୍ଧରେ କ୍ୟାପଟେନ୍ ଉଡବ୍ରିଜଙ୍କୁ ହତ୍ୟା କରି ତଥା ବ୍ରିଟିସ ସେନାକୁ ଶୋଚନୀୟ ଭାବରେ ପରାଜିତ କରି ସମ୍ବଲପୁର ସଂଗ୍ରାମୀ କୁଦୋପାଲି ଘଟଣାର ପ୍ରତିଶୋଧ ନେଇଥିଲେ। କୁଦୋପାଲିର ଏହି ବଳିଦାନର କାହାଣୀ ଦୀର୍ଘ ଦିନ ଧରି କେବଳ ସ୍ଥାନୀୟ ଲୋକକଥା ଓ ଗୀତରେ ସୀମିତ ଥିଲା। ସ୍ଥାନୀୟ ଲୋକେ ଗାଇ ଆସୁଥିଲେ:

‘‘ଉଲି ଉଲି ଉଲି ଉଲି,
ଛବିଲ ସାଏ କେ ବାଜଲା ଗୁଲି,
କୁଦୋପାଲିର୍ ମଝା ଖୁଲି।’’

୧୯୧୪ ମସିହାରେ ସ୍ୱର୍ଗତ ଦୟାନିଧି ମିଶ୍ର ଏହାକୁ ନେଇ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ଏକ ଗଳ୍ପ ଲେଖିଥିଲେ ସୁଦ୍ଧା, ଏହା ରାଷ୍ଟ୍ରୀୟ ସ୍ତରରେ ବିଶେଷ ପରିଚିତି ପାଇ ନଥିଲା। ମାତ୍ର ବର୍ତ୍ତମାନ ଆଇ.ସି.ଏଚ.ଆର. ଏବଂ ନ୍ୟାସନାଲ ବୁକ୍ ଟ୍ରଷ୍ଟ(ଏନବିଟି)ର ପ୍ରୟାସରେ ଏହି ବିସ୍ମୃତ ଇତିହାସ ବିଶ୍ବ ସମ୍ମୁଖକୁ ଆସିଛି। ଓଡ଼ିଆ, ହିନ୍ଦୀ ଓ ଇଂରେଜୀ ଭାଷାରେ ପୁସ୍ତକ ପ୍ରକାଶ ପାଇବା ପରେ କୁଦୋପାଲିର ସଂଗ୍ରାମ ଏକ ବିସ୍ତୃତ ପରିଚୟ ପାଇବାକୁ ଯାଉଛି। କୁଦୋପାଲିରେ ଏକ ଭବ୍ୟ ସହିଦ ସ୍ମାରକ ନିର୍ମାଣର ଯୋଜନା ଚାଲିଛି, ଯାହା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ। ବିସ୍ମୃତିର ଅତଳ ଗର୍ଭରୁ ଉଦ୍ଭାସିତ ହୋଇ କୁଦୋପାଲି ଆଜି ଏକ କୃତଜ୍ଞ ରାଷ୍ଟ୍ରର ପ୍ରକୃତ ଶ୍ରଦ୍ଧାଞ୍ଜଳି ପାଲଟିଛି। ଏହି ବୀର ସଂଗ୍ରାମୀମାନଙ୍କ ବଳିଦାନ ଆମ ଇତିହାସର ପୃଷ୍ଠାରେ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।
(ମତାମତ ଲେଖକଙ୍କ ନିଜସ୍ବ)

ଧର୍ମେନ୍ଦ୍ର ପ୍ରଧାନ
ମନ୍ତ୍ରୀ, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର

Editorial

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button