Editorial

Editorial: ବୁଦ୍ଧ ନା ବୋମା?

ବିଜ୍ଞାନ ଓ ପ୍ରବିଧିର ଉତ୍ତରୋତ୍ତର ବିକାଶ କେବଳ ଜ୍ଞାନର ଉନ୍ନତି ସାଧନ ନିମିତ୍ତ ଉଦ୍ଦିଷ୍ଟ ହେବା ଉଚିତ ନା ବୃହତ୍ତର ସମାଜର ମଙ୍ଗଳ ସାଧନ ତାହାର ଅସଲ ଲକ୍ଷ୍ୟ ହେବା ଉଚିତ?

ବିଜ୍ଞାନ ଓ ପ୍ରବିଧିର ଉତ୍ତରୋତ୍ତର ବିକାଶ କେବଳ ଜ୍ଞାନର ଉନ୍ନତି ସାଧନ ନିମିତ୍ତ ଉଦ୍ଦିଷ୍ଟ ହେବା ଉଚିତ ନା ବୃହତ୍ତର ସମାଜର ମଙ୍ଗଳ ସାଧନ ତାହାର ଅସଲ ଲକ୍ଷ୍ୟ ହେବା ଉଚିତ? ବିଶୁଦ୍ଧ ବିଜ୍ଞାନର ପୂଜାରୀମାନଙ୍କ ମତରେ ବୈଜ୍ଞାନିକ ଗବେଷଣା ଓ ଅନୁସନ୍ଧାନର ନୈତିକତା ସହିତ କୌଣସି ସଂପର୍କ ରହିବା ଉଚିତ ନୁହେଁ। ବିଜ୍ଞାନ ହେଉଛି କେବଳ ବିଜ୍ଞାନ ପାଇଁ। କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ ସମାଜ ଦ୍ବାରା ସେମାନେ ପରିପୁଷ୍ଟ ହୋଇଥିବାରୁ ହିଁ ବିଜ୍ଞାନରେ ନିମଜ୍ଜିତ ହୋଇପାରିଥାନ୍ତି।

ଦ୍ବିତୀୟ ବିଶ୍ବଯୁଦ୍ଧରେ ହିଟ୍‌ଲର୍‌ଙ୍କ ନେତୃତ୍ବାଧୀନ ଅକ୍ଷ ଶକ୍ତି ଉପରେ ମିତ୍ର ଶକ୍ତିର ବିଜୟରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବ୍ରିଟେନ୍‌ର କିଂବଦନ୍ତି ପାଲଟିଥିବା ପ୍ରଧାନମନ୍ତ୍ରୀ ୱିନ୍‌ଷ୍ଟନ୍ ଚର୍ଚ୍ଚିଲ୍‌ଙ୍କ ସମୟରେ ବିଜ୍ଞାନ ଜଗତରେ ‘କୃତ୍ରିମ ମେଧା’ (‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ’ ବା ବର୍ତ୍ତମାନ ଅଧିକ ସୁପରିଚିତ- ‘ଏଆଇ’)ର ଆବିର୍ଭାବ ଘଟି ନ ଥିଲା। କିନ୍ତୁ ତଥାପି ସେଇ ଯୁଦ୍ଧରେ ବିଜ୍ଞାନର ବିଭିନ୍ନ ଉଦ୍ଭାବନମାନଙ୍କର ଅପପ୍ରୟୋଗ ଦ୍ବାରା ପୃଥିବୀ ଯେଉଁଭଳି ନର୍କରେ ପରିଣତ ହୋଇଥିଲା, ତାହା ବିଜ୍ଞାନର ଅଗ୍ରଗତି ପ୍ରତି ଚର୍ଚ୍ଚିଲ୍‌ଙ୍କ ଠାରେ କିପରି ମୋହଭଙ୍ଗ ଘଟାଇଥିଲା, ତାହା ତାଙ୍କର ଏଇ ବହୁଳ ଉଦ୍ଧୃତ ମନ୍ତବ୍ୟରୁ ସ୍ପଷ୍ଟ ହୋଇଥାଏ: ‘‘ବାଷ୍ପୀୟ ଇଞ୍ଜିନ୍‌ର ଉଦ୍ଭାବନ ପରେ ବିଜ୍ଞାନରେ ଆଉ ଯାହା ଅଗ୍ରଗତି ଘଟିଛି, ତାହା ଦ୍ବାରା ମାନବ ଜାତି ଲାଭବାନ ହୋଇଛି କି ନାହିଁ, ତାହା ହେଉଛି ତର୍କସାପେକ୍ଷ। … ତା’ର ବର୍ବର ଯୁଗର ପୂର୍ବଜମାନଙ୍କ ଠାରୁ ଆଦୌ ଭିନ୍ନ ହୋଇ ନ ଥିବା ଆଜିର ମନୁଷ୍ୟ ଜାତି ହାତରେ ପରମାଣୁ ବୋମା ପରି ଭୟଙ୍କର ସାଧନ ପଡ଼ିଲେ ତାହାର ପରିଣତି କ’ଣ ହୋଇପାରେ, ତାହା ଦେଖିବା ପରେ ମୁଁ ଏବେ ଘୋଡ଼ାଗାଡ଼ି ଯୁଗକୁ ଫେରିଯିବାକୁ ଚାହୁଁଛି।’’
କିନ୍ତୁ ମନୁଷ୍ୟ ଘୋଡ଼ାଗାଡ଼ି ଯୁଗକୁ ଫେରିଯିବା ପରିବ‌େର୍ତ୍ତ ଚର୍ଚ୍ଚିଲ୍‌ଙ୍କ ସମୟ ପରେ ବିଜ୍ଞାନରେ ଆହୁରି ଚମକପ୍ରଦ ଅଗ୍ରଗତି ଘଟି ବର୍ତ୍ତମାନ ସେ ‌େଯଉଁ ‘ଏଆଇ’ ଯୁଗରେ ପ୍ରବେଶ କରିଛି, ସେଥିରେ ଏଇ ନୂତନ ଜ୍ଞାନକୌଶଳର ଉପଯୋଗ ମନୁଷ୍ୟର ପ୍ରଭୂତ ମଙ୍ଗଳସାଧନର ସମ୍ଭାବନା ବହନ କରୁଥିବା ବେଳେ ଏହାର ଅନିୟନ୍ତ୍ରିତ ଉପଯୋଗ ଓ ଦୁରୁପଯୋଗ ଯେ ମାନବ ଜାତିକୁ ଘୋର ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେଇପାରେ, ସେ ସମ୍ବନ୍ଧରେ ବର୍ତ୍ତମାନ ବୈଜ୍ଞାନିକମାନଙ୍କ ଠାରୁ ଶିଳ୍ପୋଦ୍ୟୋଗୀ ଓ ରାଜନେତାମାନଙ୍କ ମଧ୍ୟରେ ବିଶ୍ବବ୍ୟାପୀ ସଚେତନତା ଦ୍ରୁତ ପ୍ରସାର ଲାଭ କରିବାରେ ଲାଗିଛି। ଦିଲ୍ଲୀରେ ଫେବ୍ରୁଆରି ୧୬ରୁ ୨୦ ପର୍ଯ୍ୟନ୍ତ ବର୍ତ୍ତମାନ ଯେଉଁ ପାଞ୍ଚଦିନିଆ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଟ୍ ୨୦୨୬’ ନାମକ ବିଶ୍ବ ରାଜନେତା ଓ ଅଗ୍ରଣୀ ଏଆଇ ଶିଳ୍ପୋଦ୍ୟୋଗୀମାନଙ୍କର ଶୀର୍ଷ ସମ୍ମିଳନୀ ଆୟୋଜିତ ହୋଇଛି, ତାହା ହେଉଛି ଏଇ ସଚେତନତାରୁ ପ୍ରସୂତ ଏଇ ଅତିମାନବୀୟ ଶକ୍ତିକୁ ଠିକଣା ବାଟରେ ପରିଚାଳିତ କରିବା ପାଇଁ ଉପାୟ ସନ୍ଧାନ ନିମିତ୍ତ ମାନବ ସମାଜର ଏକ ସାମୂହିକ ଉଦ୍ୟମ।
ପୁଣି ଭାରତ ଭଳି ଦକ୍ଷିଣ ବିଶ୍ବର ଏକ ଦେଶରେ ଏହି ଶୀର୍ଷ ସମ୍ମିଳନୀ ଆୟୋଜିତ ହେବା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ। ଏହା ସୂଚାଇଥାଏ ଯେ ‘ଏଆଇ’ର ବିକାଶ ଓ ନିୟନ୍ତ୍ରଣ ସଂପର୍କିତ ନୀତିନିୟମ ପ୍ରସ୍ତୁତିରେ ଦକ୍ଷିଣ ବିଶ୍ବର ଦେଶମାନେ କେବଳ ନିରବଦ୍ରଷ୍ଟା ନ ସାଜି ଏଥିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଯାଉଛନ୍ତି। ଭାରତ ବର୍ତ୍ତମାନ ପୃଥିବୀର ବୃହତ୍ତମ ଡିଜିଟାଲ ସମାଜମାନଙ୍କ ମଧ୍ୟରୁ ଅନ୍ୟତମ ରୂପେ ଆବିର୍ଭୂତ ହୋଇ ଏ କ୍ଷେତ୍ରରେ ନେତୃତ୍ବ ନେବା ପାଇଁ ହକ୍‌ଦାର ହୋଇଛି ବୋଲି ଏଇ ସମ୍ମିଳନୀର ଆୟୋଜନରୁ ସାବ୍ୟସ୍ତ ହୋଇଥାଏ।
ଏଇ ଶୀର୍ଷ ସମ୍ମିଳନୀର ତାତ୍ପର୍ଯ୍ୟକୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ। ପ୍ରଥମ, ‘ଏଆଇ’ ମଡେଲ୍‌ମାନଙ୍କୁ ତାଲିମ ଦେବା ପାଇଁ ବିପୁଳ ଡେଟା ବ୍ୟବହୃତ ହୋଇଥାଏ। ବର୍ତ୍ତମାନ ମୁଖ୍ୟତଃ ଆମେରିକାର ସିଲିକନ୍ ଭ୍ୟାଲି ନିୟନ୍ତ୍ରିତ ‘ଏଆଇ’ ମଡେଲ୍ ତାଲିମରେ ଯେଉଁ ଡେଟାସେଟ୍ ବ୍ୟବହୃତ ହେଉଛି, ସେଥିରେ ଦକ୍ଷିଣ ବିଶ୍ବର ଦେଶମାନଙ୍କର ଭାଷା, ସଂସ୍କୃତି, ପ୍ରସଙ୍ଗ ଆଦି ଖୁବ୍ କମ୍ ପ୍ରତିଫଳିତ ହୋଇଥାନ୍ତି, ଯାହା ବହିର୍ଭୂକ୍ତକାରୀ ଓ ପକ୍ଷପାତିତାମୂଳକ ହୋଇଥାଏ। ଭାରତ ଯଦି ‘ଏଆଇ’ରେ ଭାଷାଗତ ଓ ସାଂସ୍କୃତିକ ବିବିଧତା ପ୍ରତିଷ୍ଠା ନିମିତ୍ତ ଏସିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକାର ଦେଶମାନଙ୍କୁ ଏକଜୁଟ କରାଇପାରେ, ତାହା ଏଇ ନୂତନ ପ୍ରବିଧିକୁ ଅଧିକ ନ୍ୟ‌ାୟୋଚିତ ଓ ନିର୍ଭୁଲ୍‌ କରିବ।
ଦ୍ବିତୀୟରେ, ଅନେକ ବିକାଶଶୀଳ ଦେଶମାନଙ୍କ ପାଇଁ ‘ଏଆଇ’ ହେଉଛି ସେମାନେ ସମ୍ମୁଖୀନ ହୋଇ ଆସୁଥିବା କେତେକ ପାରମ୍ପରିକ ପ୍ରତିବନ୍ଧକମାନଙ୍କୁ ଅତିକ୍ରମ କରିବା ପାଇଁ ଏକ ନୂତନ ଚମକପ୍ରଦ ଉପାୟ: ପୂର୍ବାନୁମାନକାରୀ ବିଶ୍ଳେଷଣ ଦ୍ବାରା ଫସଲ ଅମଳରେ ଉନ୍ନତିସାଧନ; ଟେଲିମେଡିସିନ୍‌ର ପ୍ରସାର ମାଧ୍ୟମରେ ଦୂରରେ ଥାଇ ଚିକିତ୍ସା ମାଧ୍ୟମରେ ଆରୋଗ୍ୟ ଲାଭ; କଲ୍ୟାଣ ବିତରଣର ବ୍ୟବସ୍ଥିତୀକରଣ; କିମ୍ବା ବିପର୍ଯ୍ୟୟ ପ୍ରଶମନ ପ୍ରତିକ୍ରିୟାର ଦୃଢ଼ୀକରଣ ଆଦି। କିନ୍ତୁ ‘ଏଆଇ’ ବ୍ୟବହାରରୁ ଏଭଳି ଲାଭ ପାଇବାକୁ ହେଲେ ଆବଶ୍ୟକ ସ୍ବଳ୍ପ ବ୍ୟୟସ‌ାପେକ୍ଷ କମ୍ପ୍ୟୁଟିଙ୍ଗ କ୍ଷମତା, ଡେଟାସେଟ୍‌କୁ ପହୁଞ୍ଚ, ଓ ଦକ୍ଷତାରେ ଉନ୍ନତି ଆଦି। ଶୀର୍ଷ ସମ୍ମିଳନୀ ଅର୍ଥପୂର୍ଣ୍ଣ ହେବାକୁ ହେଲେ କେବଳ ଘୋଷଣାରେ ସୀମିତ ନ ରହି ଏହାକୁ ସମ୍ଭବ କରିବା ନିମିତ୍ତ ବ୍ୟବସ୍ଥା କରାଯିବା ଆବଶ୍ୟକ। ଉଦାହରଣ ସ୍ବରୂପ ସହଭାଗିତାମୂଳକ କମ୍ପ୍ୟୁଟ୍ ପୁଲ୍, ଅବାଧ ଓପନ୍ ସୋର୍ସ ସହଯୋଗ ଓ ଫାଇନାନ୍‌ସିଙ୍ଗ ବ୍ୟବସ୍ଥା ଆଦି ସୃଷ୍ଟି ଦ୍ବାରା ଏହା ସମ୍ଭବ ହୋଇପାରିବ।
ତୃତୀୟରେ, ପୃଥିବୀ ବର୍ତ୍ତମାନ ‘ଏଆଇ’ର କ୍ଷମତା ଓ ତାହାକୁ ନିରାପଦ ରଖିବା ନିମିତ୍ତ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ଏକ ଚିନ୍ତାଜନକ ତଫାତ୍‌ର ସମ୍ମୁଖୀନ। ଡେଟା ଗୋପନୀୟତା ଉଲ୍ଲଂଘନରୁ ଆରମ୍ଭ କରି ଆଲ୍‌ଗୋରିଦ୍‌ମ ପକ୍ଷପାତିତା, ମିଥ୍ୟା ସୂଚନା ପ୍ରସାରଣ, ଓ ନିଯୁକ୍ତି କ୍ଷୟ ଆଦି ପର୍ଯ୍ୟନ୍ତ ‘ଏଆଇ’ ବ୍ୟବହାରର ଅନେକ ଗୁରୁତର ସମ୍ଭାବ୍ୟ କୁପରିଣାମ ରୂପେ ଆବିର୍ଭୂତ ହେବାକୁ ଆରମ୍ଭ କରିଥିବା ବେଳେ, ଏହାକୁ ପ୍ରତିହତ କରିବା ପାଇଁ କୌଣସି ନିର୍ଭରଯୋଗ୍ୟ ବ୍ୟବସ୍ଥା ଏ ପର୍ଯ୍ୟନ୍ତ ପ୍ରତିଷ୍ଠିତ ହୋଇନାହିଁ। ସମ୍ମିଳନୀରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବା ଦରକାର।

ଏଇ ସମ୍ମିଳନୀର ଅସଲ ଉଦ୍ଦେଶ୍ୟ କେବଳ ଏଇ କ୍ଷେତ୍ରରେ ବୃହତ୍ ନିବେଶ ହାସଲରେ ସୀମିତ ନୁହେଁ‌; ବରଂ ଚର୍ଚ୍ଚିଲ୍‌ଙ୍କର ଉପରୋକ୍ତ ଚିନ୍ତାକୁ ଅନୁସରଣ କଲାଭଳି ବିଜ୍ଞାନର ଅଗ୍ରଗତି ଓ ବୃହତ୍ତର ସମାଜ ମଧ୍ୟରେ ଆଦର୍ଶ ସଂପର୍କର ରୂପରେଖ କିଭଳି ହେବା ଉଚିତ, ତାହାର ଅନୁସନ୍ଧାନ ମଧ୍ୟ ହେଉଛି ଏଠାରେ ଅନୁଷ୍ଠିତ ଆଲୋଚନାମାନଙ୍କର ଅନ୍ୟତମ ମୌଳିକ ଉଦ୍ଦେଶ୍ୟ। ବିଜ୍ଞାନ ଓ ପ୍ରବିଧିର ଉତ୍ତରୋତ୍ତର ବିକାଶ କେବଳ ଜ୍ଞାନର ଉନ୍ନତି ସାଧନ ନିମିତ୍ତ ଉଦ୍ଦିଷ୍ଟ ହେବା ଉଚିତ ନା ବୃହତ୍ତର ସମାଜର ମଙ୍ଗଳ ସାଧନ ତାହାର ଅସଲ ଲକ୍ଷ୍ୟ ହେବା ଉଚିତ? ବିଶୁଦ୍ଧ ବିଜ୍ଞାନର ପୂଜାରୀମାନଙ୍କ ମତରେ ବୈଜ୍ଞାନିକ ଗବେଷଣା ଓ ଅନୁସନ୍ଧାନର ନୈତିକତା ସହିତ କୌଣସି ସଂପର୍କ ରହିବା ଉଚିତ ନୁହେଁ। ବିଜ୍ଞାନ ହେଉଛି କେବଳ ବିଜ୍ଞାନ ପାଇଁ। କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ ସମାଜ ଦ୍ବାରା ସେମାନେ ପରିପୁଷ୍ଟ ହୋଇଥିବାରୁ ହିଁ ବିଜ୍ଞାନରେ ନିମଜ୍ଜିତ ହୋଇପାରିଥାନ୍ତି। ତେଣୁ ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ଫ୍ରିଟ୍ୟଫ୍ କାପ୍ରା କହିଥିବା ଭଳି, ‘‘ବୈଜ୍ଞାନିକମାନେ କେବଳ ବୌଦ୍ଧିକତା ଦୃଷ୍ଟିରୁ ସେମାନଙ୍କର ଗବେଷଣା ପାଇଁ ଉତ୍ତରଦାୟୀ ହୋଇଥାନ୍ତି, ତାହା ନୁହେଁ‌; ସେମାନେ ମଧ୍ୟ ନୈତିକତା ଦୃଷ୍ଟିରୁ ସେଥିପାଇଁ ଉତ୍ତରଦାୟୀ ହୋଇଥାନ୍ତି। ଆମର ଆବିଷ୍କାର ଆମକୁ ବୁଦ୍ଧଙ୍କ ନିକଟବର୍ତ୍ତୀ କରିପାରେ କିମ୍ବା ବୋମାର ନିକଟବର୍ତ୍ତୀ କରିପାରେ। ଆମେ କେଉଁ ପଥ ଅନୁସରଣ କରିବା ତାହା ଆମର ନିଷ୍ପତ୍ତି ଉପରେ ନିର୍ଭର କରେ।’’
ଆଶା କରାଯାଏ ଦିଲ୍ଲୀ ଶୀର୍ଷ ସମ୍ମିଳନୀ ବୁଦ୍ଧଙ୍କ ଦିଗରେ ପଡ଼ିଥିବା ପଥ ଅନୁସରଣ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button