Electricity: ବହୁବର୍ଷ ପରେ ଲାଭ ପଥକୁ ଫେରିଲେ ବିଦ୍ୟୁତ୍‌ ବିତରଣ କମ୍ପାନି: ୨୦୨୪-୨୫ରେ ୨୭୦୧ କୋଟିର ଲାଭ

ଦେଶର ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକ ୨୦୨୪-୨୫ ଆର୍ଥିକ ବର୍ଷରେ ସାମୂହିକ ଭାବେ ୨୭୦୧ କୋଟି ଟଙ୍କାର ଲାଭ ହାସଲ କରିଛନ୍ତି। ବହୁ ବର୍ଷ କ୍ଷତି ସହିବା ପରେ ସେମାନେ ଲାଭ ପଥକୁ ଫେରିଛନ୍ତି

ନୂଆଦିଲ୍ଲୀ: ଦେଶର ବିଦ୍ୟୁତ ବିତରଣ କମ୍ପାନିଗୁଡ଼ିକ ୨୦୨୪-୨୫ ଆର୍ଥିକ ବର୍ଷରେ ସାମୂହିକ ଭାବେ ୨୭୦୧ କୋଟି ଟଙ୍କାର ଲାଭ ହାସଲ କରିଛନ୍ତି। ବହୁ ବର୍ଷ କ୍ଷତି ସହିବା ପରେ ସେମାନେ ଲାଭ ପଥକୁ ଫେରିଛନ୍ତି। ୨୦୨୩-୨୪ରେ ସେମାନେ ୨୫,୫୫୩ କୋଟି ଟଙ୍କା କ୍ଷତିି ସହିଥିଲେ। ୨୦୧୩-୧୪ରେ କ୍ଷତି ପରିମାଣ ୬୭,୯୬୨ କୋଟି ଟଙ୍କା ଥିଲା। ଏ ସମ୍ପର୍କରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ କହିଛନ୍ତି ଯେ ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ବିତରଣ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରାଯିବା ଫଳରେ ଏହା ସମ୍ଭବ ହୋଇପାରିଛି।

ପରିବର୍ଦ୍ଧିତ ବିତରଣ କ୍ଷେତ୍ର ଯୋଜନା ଅଧୀନରେ ଭିତ୍ତିଭୂମି ଆଧୁନିକୀକରଣ ଏବଂ ସ୍ମାର୍ଟ ମିଟରିଂ ବ୍ୟବସ୍ଥା ଜରିଆରେ ଆର୍ଥିକ ସ୍ଥିତିରେ ସୁଧାର ଅଣାଯାଇଛି। ଆର୍ଥିକ ଓ ପରିଚାଳନାଗତ ଶୃଙ୍ଖଳାକୁ ପ୍ରୋତ୍ସାହିତ କରିବା ଲାଗି ଶକ୍ତି କ୍ଷେତ୍ରର ସଂସ୍ଥାଗୁଡ଼ିକୁ ଆର୍ଥିକ ଶକ୍ତି ପ୍ରଦାନ କରିବା ଲାଗି ଅତିରିକ୍ତ ବିବେକପୂର୍ଣ୍ଣ ମାନଦଣ୍ଡ ଲାଗୁ କରାଯାଇଛି। ସମ୍ପୂର୍ଣ୍ଣ ଖର୍ଚ୍ଚ ଅସୁଲି, ବିବେକପୂର୍ଣ୍ଣ ଶୁଳ୍କ ଢାଞ୍ଚା ଏବଂ ପାରଦର୍ଶୀ ଅନୁଦାନ ଆକାଉଣ୍ଟିଂ ଲାଗି ବିଦ୍ୟୁତ ନିୟମରେ ସଂଶୋଧନ କରାଯାଇଛି। ଉନ୍ନତ ଆର୍ଥିକ ପରିଚାଳନା ଲାଗି ବିଦ୍ୟୁତ ବିତରଣ (ଆକାଉଣ୍ଟିଂ ଏବଂ ଅତିରିକ୍ତ ପ୍ରକଟୀକରଣ) ନିୟମ, ୨୦୨୫ କାର୍ଯ୍ୟକାରୀ କରାଯାଇଛି।

ଏହି ସଂସ୍କାରଗୁଡ଼ିକ ଫଳରେ ଅନେକ ବର୍ଷ ପରେ ବିତରଣ କମ୍ପାନୀଗୁଡ଼ିକର ଲାଭ ବଢ଼ିବା ସହିତ ଅନ୍ୟାନ୍ୟ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇଛି। ବିଗତ କିଛି ବର୍ଷ ମଧ୍ୟରେ ମୋଟ୍ ବୈଷୟିକ ଏବଂ ବାଣିଜ୍ୟିକ (ଏଟିଏଣ୍ଡସି) କ୍ଷତି ମଧ୍ୟ ହ୍ରାସ ପାଇଛି। ୨୦୧୩-୧୪ରେ ଏଟିଆଣ୍ଡସି କ୍ଷତି ୨୨.୬୨ ପ୍ରତିଶତରୁ ହ୍ରାସ ପାଇ ୨୦୨୪-୨୫ରେ ୧୫.୦୪ ପ୍ରତିଶତରେ ପହଞ୍ଚିଛି। ଉତ୍ପାଦନ କମ୍ପାନିଗୁଡ଼ିକର ଦେୟ ବକେୟା ରାଶି ମଧ୍ୟ ୯୬ ପ୍ରତିଶତ ହ୍ରାସ ପାଇଛି। ୨୦୨୨ରେ ତାହା ୧,୩୯,୯୪୭ କୋଟି ଟଙ୍କା ଥିବା ବେଳେ ବର୍ତ୍ତମାନ ହ୍ରାସ ପାଇ ମାତ୍ର ୪୯୨୭ କୋଟି ଟଙ୍କା ରହିଛି।

ସୌଜନ୍ୟ ସମ୍ବାଦ

Exit mobile version