OIL: ଭାରତକୁ ୪୦ ପ୍ରତିଶତ ଏଲ୍‌ଏନ୍‌ଜି ଯୋଗାଣ ପ୍ରଭାବିତ

ଯୁଦ୍ଧରେ ପ୍ରଭାବିତ ହେବା ଫଳରେ କତର ଏଲ୍‌ଏନ୍‌ଜି (ତରଳୀକୃତ ପ୍ରାକୃତିକ ଗ୍ୟାସ୍‌) ଉତ୍ପାଦନ ବନ୍ଦ କରିଛି। ଦେଶର ସର୍ବବୃହତ୍‌ ରପ୍ତାନି କେନ୍ଦ୍ର ଉପରେ ଇରାନ ଡ୍ରୋନ ଆକ୍ରମଣ କରି କ୍ଷତି ପହଞ୍ଚାଇବା ପରେ କତର ଏଭଳି ନିଷ୍ପତ୍ତି ନେଇଛି।

ନୂଆଦିଲ୍ଲୀ: ଯୁଦ୍ଧରେ ପ୍ରଭାବିତ ହେବା ଫଳରେ କତର ଏଲ୍‌ଏନ୍‌ଜି (ତରଳୀକୃତ ପ୍ରାକୃତିକ ଗ୍ୟାସ୍‌) ଉତ୍ପାଦନ ବନ୍ଦ କରିଛି। ଦେଶର ସର୍ବବୃହତ୍‌ ରପ୍ତାନି କେନ୍ଦ୍ର ଉପରେ ଇରାନ ଡ୍ରୋନ ଆକ୍ରମଣ କରି କ୍ଷତି ପହଞ୍ଚାଇବା ପରେ କତର ଏଭଳି ନିଷ୍ପତ୍ତି ନେଇଛି। ଏଥିଯୋଗୁ ଭାରତରେ ଶିଳ୍ପ ପ୍ରତି‌ଷ୍ଠାନ ଓ ସିଟି ଗ୍ୟାସ ବଣ୍ଟନ (ସିଜିଡି) କମ୍ପାନିଗୁଡ଼ିକୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବ।

ଭାରତର ସବୁଠୁ ବଡ଼ ଏଲ୍‌ଏନ୍‌ଜି ଆମଦାନିକାରୀ କମ୍ପାନି ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି ଲିମିଟେଡ କତରକୁ ଜାହାଜ ପଠାଇ ପାରିନାହିଁ। ହର୍ମୁଜ୍‌ ପ୍ରଣାଳୀ ବସ୍ତୁତଃ ବନ୍ଦ ହୋଇଯାଇଛି। ରାସ ଲାଫାନରେ ଜାହାଜ ନିରାପଦରେ ପହଞ୍ଚିବାରେ ଅସମର୍ଥ ହେଉଛି। ଭାରତ ବର୍ଷକୁ ପାଖାପାଖି ୨୭ ନିୟୁତ ଟନ୍‌ ଏଲ୍‌ଏନ୍‌ଜି ଆମଦାନି କରିଥାଏ। ସେଥିରୁ କତରରୁ ୪୦ ପ୍ରତିଶତ ଆସିଥାଏ।

ଦେଶର ସାର କମ୍ପାନି, ବିଦ୍ୟୁତ କମ୍ପାନି ଏବଂ ସିଟି ଗ୍ୟାସ କମ୍ପାନିଗୁଡ଼ିକ ଏହାକୁ ବ୍ୟବହାର କରିଥାନ୍ତି। ଭାରତର ପାଖାପାଖି ୫୦ ପ୍ରତିଶତ ଅଶୋଧିତ ତୈଳ ଏବଂ ୫୪ ପ୍ରତିଶତ ଏଲଏନ୍‌ଜି ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ। କେବଳ କତର ନୁହେଁ ସଂଯୁକ୍ତ ଆରବ ଏମି‌ରେଟ୍‌ସରୁ ମଧ୍ୟ ଏହି ମାର୍ଗ ଦେଇ ଏଲ୍‌ଏନ୍‌ଜି ଆସିଥାଏ। ଏଭଳି ସ୍ଥିତିରେ ପେଟ୍ରୋନେଟ୍‌ ଏହାର ଗ୍ରାହକ ଗେଲ୍‌, ଆଇଓସିଏଲ୍‌, ବିପିସିଏଲ ଆଦି କମ୍ପାନିକୁ ନୋଟିସ ଦେଇସାରିଛି।

କତରରୁ ବାର୍ଷିକ ୮.୫ ନିୟୁତ ଟନ୍ ଏଲ୍‌ଏନ୍‌ଜି କିଣିବା ଲାଗି ପେଟ୍ରୋନେଟ୍‌ ଚୁକ୍ତି ହୋଇଛି। ଏଥିସହିତ ସ୍ପଟ୍‌ ମାର୍କେଟରୁ ମଧ୍ୟ ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି କିଣିଥାଏ। ଆଇଓସି ବି ୟୁଏଇଠାରୁ ଏଲ୍‌ଏନ୍‌ଜି ଆଣିବା ଲାଗି ଚୁକ୍ତି କରିଛି। ସୂଚନା ଅନୁଯାୟୀ ଏହି ଦୁଇ କମ୍ପାନି ବର୍ତ୍ତମାନ ସ୍ପଟ୍‌ ମାର୍କେଟ୍‌ରୁ ଏଲ୍‌ଏନ୍‌ଜି ଆଣିବା ନେଇ ଯୋଜନା ଚଳାଇଛନ୍ତି। ସ୍ପର୍ଟ ମାର୍କେଟରେ ଏଲ୍‌ଏନ୍‌ଜି ଦର ବର୍ତ୍ତମାନ ମିଲିୟନ ବ୍ରିଟିସ ଥର୍ମାଲ ୟୁନିଟ୍‌ ପିଛା ୨୫ ଡଲାର ରହିଛି, ଯାହାକି ଚୁକ୍ତି ଦର ତୁଳନାରେ ଦୁଇଗୁଣା। ଏହି ସମସ୍ୟା ଜାରି ରହିଲେ ସାର କମ୍ପାନିଗୁଡ଼ିକୁ ଅଧିକ ଦର ଦେଇ ଗ୍ୟାସ୍‌ କିଣିବାକୁ ପଡ଼ିବ। ଫଳରେ ସରକାରଙ୍କ ସବସିଡି ବୋଝ ବଢ଼ିଯିବ।

ସୌଜନ୍ୟ ସମ୍ବାଦ

Exit mobile version