Share Markets: ସେନ୍‌ସେକ୍ସରେ ସୁଧାର, ୯୦୦ ପଏଣ୍ଟ ବୃଦ୍ଧି

ଆମେରିକା-ଇରାକ୍‌ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ ପ୍ରଭାବ ପଡ଼ିଥିବାବେଳେ ଭାରତୀୟ ସେୟାର ବଜାର ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛି। ଗତ ୪ ଦିନ ଧରି ବମ୍ବେ ଷ୍ଟକ୍‌ ବଜାରରେ ସେନ୍‌ସେକ୍ସ ହ୍ରାସର ଧାରା ଜାରି ରହିଥିଲା।

ମୁମ୍ବାଇ: ଆମେରିକା-ଇରାକ୍‌ ଯୁଦ୍ଧକୁ ନେଇ ଆନ୍ତର୍ଜାତିକ ସ୍ତରରେ ଅର୍ଥନୈତିକ ପ୍ରଭାବ ପଡ଼ିଥିବାବେଳେ ଭାରତୀୟ ସେୟାର ବଜାର ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଛି। ଗତ ୪ ଦିନ ଧରି ବମ୍ବେ ଷ୍ଟକ୍‌ ବଜାରରେ ସେନ୍‌ସେକ୍ସ ହ୍ରାସର ଧାରା ଜାରି ରହିଥିଲା। ନିବେଶକମାନେ ବଜାରରୁ ପୁଞ୍ଜି ଫେରାଇ ନେଇଥିବାରୁ ଗତ ଚାରିଟି ଅଧିବେଶନରେ ସେନ୍‌ସେକ୍ସ ୩,୧୬୦ ପଏଣ୍ଟ ହ୍ରାସ ପାଇଥିଲା। ତେବେ ଆଜିର କାରବାରରେ ସେଥିରେ ସାମାନ୍ୟ ସୁଧାର ଆସିଛି।

ବମ୍ବେ ଷ୍ଟକ୍‌ ବଜାରରେ ସେନ୍‌ସେକ୍ସ ୯୦୦ ପଏଣ୍ଟ ବୃଦ୍ଧି ପାଇଛି। କାରବାର ଶେଷବେଳେକୁ ଏହା ୮୦,୧୧୫ ପଏଣ୍ଟ ଥିଲା। ନିବେଶକମାନଙ୍କ ପୁଞ୍ଜି ଦିନକର କାରବାରରେ ୬ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି। ଡଲାର ତୁଳନାରେ ଗତ କିଛି ଦିନ ହେଲା ଦୁର୍ବଳ ହେଉଥିବା ଟଙ୍କା ମୂଲ୍ୟରେ ମଧ୍ୟ ଆଜି ସୁଧାର ଆସିଥିଲା। ଅନ୍ୟପକ୍ଷରେ ଏହା ନିବେଶକମାନଙ୍କୁ ପ୍ରୋତ୍ସାହିତ କରିଥିବାରୁ ସେୟାର ମୂଲ୍ୟରେ ସୁଧାର ଆସି ପାରିଥିବା ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଆଜିର କାରବାରରେ ଯେଉଁ କଂପାନିଗୁଡ଼ିକର ସେୟାର ମୂଲ୍ୟ ବୃଦ୍ଧି ପାଇଛି, ସେଥିମଧ୍ୟରେ ଏଲ୍‌ ଆଣ୍ଡ ଟି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଅଗ୍ରଣୀ ରହିଛନ୍ତି। ଅନ୍ୟପକ୍ଷରେ ଟେକ୍‌ ମହିନ୍ଦ୍ରା, ଏଚ୍‌ସି ଟେକ୍‌, ଏଚ୍‌ୟୁଏଲ୍‌ ଭଳି କଂପାନିଙ୍କ ସେୟାର ମୂଲ୍ୟ ହ୍ରାସ ପାଇଛି। ଆଜିର ଅଧିବେଶନରେ ନିଫ୍‌ଟି ମଧ୍ୟ ୧.୧୭ ପ୍ରତିଶତ ବୃଦ୍ଧି ପାଇ ୨୪,୭୬୫ରେ ବନ୍ଦ ହୋଇଥିଲା।

ସୌଜନ୍ୟ ସମ୍ବାଦ

Exit mobile version